ମଣ୍ଡିରେ ଧାନ ଆଉ ରାଜ ରାସ୍ତାରେ ଚାଷୀ । ମଣ୍ଡିରୁ ଧାନ ଉଠୁନଥିବାରୁ ଧାନ ବସ୍ତା ରଖି ମାଲକାନଗିରି କୋରୁକୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କଲେ ଚାଷୀ

85

କନକ ବ୍ୟୁରୋ : ମଣ୍ଡିରେ ଧାନ ଆଉ ରାଜ ରାସ୍ତା ରେ ଚାଷୀ । ମାଲକାନଗିରି ଜିଲ୍ଲାରୁ ଆସିଛି ଅଭାବନୀୟ ଚିତ୍ର । କୋରୁକୋଣ୍ଡା ବ୍ଲକର ଚାଷୀ ମାନେ ମଣ୍ଡି ରୁ ଧାନ ଉଠାଇବା ଦାବି ନେଇ ଦିନ ତମାମ ରାଜ ରାସ୍ତା ରେ ପଡି ରହିଛନ୍ତି, ତେବେ ଧାନ ଉଠିବା ତ ଦୂର ରେ ଥାଉ, ପ୍ରତିଶ୍ରୁତି ଟିକିଏ ମଧ୍ୟ ପାଇ ପାରିଲେ ନାହିଁ ଚାଷୀ । ଆଉ ନିଜ ଦାବି ନେଇ ଚିତ୍ରୋକୋଣ୍ଡା ମାଲକାନଗିରି ରାଜ ରାସ୍ତାରେ ପଡି ରହିଛନ୍ତି ଶହ ଶହ ଚାଷୀ ।

କୋରୁକୋଣ୍ଡା ବ୍ଲକର ଶହ ଶହ ଚାଷୀ ରାଜରାସ୍ତା ଉପରେ ଧାନ ବସ୍ତା ରଖି ମଣ୍ଡିରୁ ଧାନ ଉଠାଇବା ଲାଗି ଦାବି କରୁଛନ୍ତି । ମାଲକାନଗିରି ଠାରୁ ଚିତ୍ରକୋଣ୍ଡା ମୁଖ୍ୟରାସ୍ତାକୁ ଚାଷୀମାନେ ଅବରୋଧ କରିଥିଲେ ବି ସମାଧାନର ବାଟ ଫିଟୁ ନାହିଁ । ଚାଷୀଙ୍କ ପାଖରେ ଟୋକନ ଅଛି । ଧାନ ବିକିବା ପାଇଁ ପ୍ରୋଗ୍ରାମ ବି ମିଳିଥିଲା । ପ୍ରଶାସନର ପ୍ରୋସେସ୍ ଅନୁସାରେ ଧାନ ବିକିବା ପାଇଁ ମଣ୍ଡିକୁ ଆଣି ହତାଶ ହେଉଛନ୍ତି ଚାଷୀକୁଳ । କେବଳ କୋରୁକୋଣ୍ଡା ମଣ୍ଡିରେ ୭ ରୁ ୮ ହଜାର କ୍ୟୁଂଟାଲ ଧାନ ପଡିରହିଛି । ହେଲେ ମାତ୍ର ୯୦ କ୍ୟୁଂଟାଲ ଧାନ କିଣିବା ପାଇଁ ନୂଆ ଟାର୍ଗେଟ ଆସିଥିବାରୁ ଚିିହିଁକି ଉଠିଛନ୍ତି କୋରୁକୋଣ୍ଡା ଚାଷୀ ।

କେବଳ କୋରୁକୋଣ୍ଡା ନୁହେଁ, ମାଲାକନଗିରି ଜିଲ୍ଲାର ୬୫ଟି ଯାକ ମଣ୍ଡିରେ ଏକା ଅବସ୍ଥା । ଚାଷୀ ମଣ୍ଡିରେ ନିଜ ଝାଳ ବୁହା ଫସଲ ରଖି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଯୋଗାଣ ଅଧିକାରୀ ଓ ଲ୍ୟାମ୍ପସ ଅଧିକାରୀଙ୍କ ଅଫିସ ଚକ୍କର କାଟୁଛନ୍ତି । ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ୧୦ ଲକ୍ଷ ୫୩ ହଜାର କ୍ୱିଂଟାଲ ଧାନ କିଣା ସରିଛି । ଏବେ ଆଉ ୧ ଲକ୍ଷ ୪୯ ହଜାର କ୍ୱିଂଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଛି । ଯାହା ସମୁଦ୍ରକୁ ସଂଖେ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ତେବେ ସ୍ଥନୀୟ ବିଡିଓ ଚାଷୀଙ୍କୁ ବିଝାସୁଝା କରି ଫରିଥିଲେ ବି ପୁରା ଧାନ ଉଠିବା ଲାଗି ଟାର୍ଗେଟ ନ ଆସିଲେ ଚାଷୀ ରାଜରାସ୍ତାରୁ ହଟିବେ ନାହିଁ ବୋଲି ଚେତାଇ ଦେଇଛନ୍ତି ଚାଷୀ ନେତା ।

ସେପଟେ ନବରଙ୍ଗପୁରରୁ ବି ଆସିଛି ସମାନ ଚିତ୍ର ଦୀର୍ଘ ଦିନ ଧରି ମଣ୍ଡିରୁ ଧାନ ଉଠୁ ନାହିଁ । ଟାର୍ଗେଟ ସରି ଯିବାରୁ ମିଲର ଧାନ କିଣୁ ନାହାନ୍ତି । ତେଣୁ ଚାଷୀ ତାତି ଉଠିଛନ୍ତି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡିରେ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି । ନନ୍ଦାହାଣ୍ଡି ଲ୍ୟାମ୍ପସ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ଲ୍ୟାମ୍ପସ କାର୍ଯ୍ୟାଳୟରେ ତାଲା ପକାଇବା ପରେ ରାସ୍ତାରୋକ କରିଛନ୍ତି ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଥିବା ଅନ୍ନଦାତା । ସରୁଗୁଡାରୁ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ ।