ଲୋକସଭାରେ ଉଠିଲା ବୈଜୟନ୍ତଙ୍କ ମନି ଲଣ୍ଡରିଂ ପ୍ରସଙ୍ଗ ! ଶୂନ୍ୟକାଳରେ ବିଜେଡ଼ି ପଚାରିଲା ତିନୋଟି ପ୍ରଶ୍ନ

430

କନକ ବ୍ୟୁରୋ : ବୈଜୟନ୍ତଙ୍କୁ ନେଇ ଲୋକସଭାରେ ପ୍ରଶ୍ନ ଉଠାଇଲା ବିଜେଡି ।  ମନି ଲଣ୍ଡରିଂ ମାମଲାରେ ସାଂସଦ ଭର୍ତ୍ତୃହରି  ମହତାବ କେତେକ ପ୍ରଶ୍ନ କରିଛନ୍ତି ।  ସାଂସଦ ପଣ୍ଡା ବାହାମାସରେ ଆକାଉଂଟ ଖୋଲିବା ନେଇ  ଏହି ପ୍ରଶ୍ନ ଉଠିଛି ।  ଭର୍ତ୍ତୃହରି କହିଛନ୍ତି, ଭାରତୀୟ ପାସର୍ପୋଟ ରଖିଥିବା  ବୈଜୟନ୍ତ ପଣ୍ଡା ବାହାମାସରେ ଆକାଉଂଟ ଖୋଲିବା ପୂର୍ବରୁ ଆରବିଆଇର ଅନୁମତି ନେଇଥିଲେ କି ? ଭର୍ତ୍ତୃହରି  କହିଛନ୍ତି, ଯଦି ସେ ସମୟରେ ବୈଜୟନ୍ତ ଏନଆରଆଇ ଥିଲେ କିମ୍ବା  ଅଧ୍ୟୟନ ପାଇଁ ବାହାରକୁ ଯାଇଥିଲେ, ତେବେ ଭାରତ ଫେରିବା ପରେ ସେ ଆରବିଆଇକୁ  ଏ ବିଷୟରେ ସୂଚନା ଦେଇଥିଲେ କି ? କାରଣ ଆଇନ ଅନୁସାରେ ଏହା ନିତ୍ୟନ୍ତ ଆବଶ୍ୟକ  ।

ଶୂନ୍ୟକାଳରେ ପ୍ରଶ୍ନ ଉଠାଇ ବିଜେଡି ସାଂସଦ ଆହୁରି ପଚାରିଥିଲେ,  ଯେ ବାହାମାସରେ ଆକାଉଂଟ ବନ୍ଦ କରିବା ବେଳେ ବୈଜୟନ୍ତ ଆରବିଆଇକୁ ଏ ବିଷୟରେ ସୂଚନା ଦେଇଥିଲେ କି  ?  ଭାରତୀୟ ଆଇନ ଅନୁସାରେ  ବିଦେଶରେ ଆକାଉଂଟ ବନ୍ଦ କରିବା ପରେ  ଏହି ଟଙ୍କା ପ୍ରଥମେ ଭାରତୀୟ ବ୍ୟାଙ୍କକୁ ଆସିବା କଥା । ବୈଜୟନ୍ତ ପଣ୍ଡା ବାହାମାସ ଆକାଉଂଟର ଟଙ୍କାକୁ ଭାରତୀୟ ବ୍ୟାଙ୍କକୁ ଆଣିଥିଲେ କି ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି  । ଯଦି ଆଇନର ଏସବୁ ସର୍ତ୍ତାବଳୀକୁ ବୈଜୟନ୍ତ ପୂରଣ କରିନାହାନ୍ତି ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଉଚିତ ବୋଲି ବିଜେଡି ସାଂସଦ ଯୁକ୍ତି ବାଢିଛନ୍ତି । ଏହାଛଡା ଫରେନ ଏକ୍ସଚେଂଜ ଆଇନ ଉଲ୍ଲଂଘନ ଓ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଦରକାର ବୋଲି ବିଜେଡି ଲୋକସଭାରେ କହିଛି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ବିଭାଗ ନିକଟରେ ଏକ ଗମ୍ଭୀର ଅଭିଯୋଗ ହୋଇଥିଲା ।  ବୈଜୟନ୍ତ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା ଦେବୀଙ୍କ ନାଁରେ ମନି ଲଣ୍ଡରିଂକୁ ନେଇ ଏହି ଅଭିଯୋଗ ଆସିଥିଲା । ଜାନୁୟାରୀରେ ହୋଇଥିବା ଅଭିଯୋଗରେ ଅନୁସାରେ  ମନି ଲଣ୍ଡରିଂ ଆଇନ, ବ୍ଲାକ ମନି ଆଇନ ଏବଂ ଆୟକର ଆଇନକୁ ସେମାନେ ଉଲ୍ଲଂଘନ କରିଥିଲେ । ମିଛ କମ୍ପାନୀ ଗଠନ କରି ସେମାନେ ୧୭ କୋଟି ୭୨ଲକ୍ଷ ଟଙ୍କା ବିଦେଶରୁ ହାସଲ କରିଥିଲେ । କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର କୌଣସି ରେକର୍ଡ ନଥିଲା ବୋଲି ଅଭିଯୋଗ ହୋଇଥିଲା । ଏହାପରେ ସେହି ଟଙ୍କାର ସେୟାରକୁ ଅତି କମ ମୁଲ୍ୟରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କୁ ମିଳିଥିବା ଅଭିଯୋଗ ହୋଇଥିଲା । ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା ।