ଦିନେ କୋହଲିଙ୍କୁ ଅଧିନାୟକ ପଦରୁ କାଢିଥିଲେ, ଏବେ ନିଜେ ସିଲେକ୍ଟର ପଦରୁ ବାହାରିଲେ । ଟିମ୍ ଇଣ୍ଡିଆର ସମସ୍ତ ସିଲେକ୍ଟରଙ୍କୁ ବରଖାସ୍ତ କଲା ବିସିସିଆଇ ।

2,426

କନକ ବ୍ୟୁରୋ: ଟି-୨୦ ୱାଲ୍ଡକପରେ ପରାଜୟ ଭୋଗିବା ପରେ, ବଡ ପଦକ୍ଷେପ ନେଇଛି ବିସିସିଆଇ । ଟିମ୍ ଇଣ୍ଡିଆ ସିନିୟର ସିଲେକ୍ସନ କମିଟିର ସମସ୍ତ ସଦସ୍ୟଙ୍କୁ ବିସିସିଆଇ ଶୁକ୍ରବାର ବରଖାସ୍ତ କରିଛି । ଚୟନ ସମିତିରେ ଥିବା ଚେତନ ଶର୍ମା, ହରବିନ୍ଦର ସିଂହ, ସୁନୀଲ ଜୋଶି ଆଉ ଦେବାଶିଷ ମହାନ୍ତିଙ୍କୁ ଚୟନକର୍ତା ପୋଷ୍ଟରୁ ହଟେଇ ଦିଆଯାଇଛି । ଆଉ ଏହି ସ୍ଥାନରେ ନୂଆ ସିଲେକ୍ଟର୍ସଙ୍କ ଚୟନ ପାଇଁ ବିସିସିଆଇ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି ।

ଚେତନ ଶର୍ମାଙ୍କୁ ବିସିସିଆଇ ସିଲେକ୍ଟର ପୋଷ୍ଟରୁ ହଟେଇବା ପରେ, ସୋସିଆଲ୍ ମିଡିଆରେ କୋହଲିଙ୍କ ଫ୍ୟାନ୍ସମାନେ ଖୁସି ମନେଇଛନ୍ତି । ଗୋଟିଏ ବର୍ଷ ଭିତରେ ଯେଉଁ ବ୍ୟକ୍ତି… କୋହଲିଙ୍କୁ ଅଧିନାୟକ ପଦରୁ ହଟେଇଥିଲେ, ଏବେ ସେହି ବ୍ୟକ୍ତିଙ୍କୁ ନିଜେ ବିସିସିଆଇ ନିଜ ସିଲେକ୍ଟର ପୋଷ୍ଟରୁ ହଟେଇବା,କୋହଲି ଫ୍ୟାନ୍ସଙ୍କୁ ଖୁସି ଆଣିଦେଇଛିି । ତେବେ ଗତବର୍ଷ ବିଶ୍ୱକପ ପରେ କୋହଲିଙ୍କୁ ଯେତେବେଳେ ଅଧିନାୟକ ପଦରୁ ହଟାଯାଇଥିଲା । ସେତେବେଳେ ଚୟନକର୍ତା ଆଉ ସେତେବେଳର ବିସିସିଆଇ ପ୍ରେସିଡେଂଟ ସୌରଭ ଗାଙ୍ଗୁଲିଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଆଉ ଏବେ ଏହି ଦୁଇ ଜଣ ବ୍ୟକ୍ତି ବିସିସିଆଇ ସିଲେକ୍ଟର ଆଉ ସଭାପତି ପଦରୁ ହଟି ସାରିଥିବାବେଳେ, କୋହଲି ଏବର୍ଷ ବିଶ୍ୱକପରେ ପୁଣି କ୍ରିକେଟର କିଙ୍ଗ୍ ବୋଲି ପ୍ରମାଣିତ କରିଛନ୍ତି ।

୨୦୨୦ ମସିହା ଡିସେମ୍ବର ୨୪ ତାରିଖରେ ବିସିସିଆଇ ସିନିୟର ସିଲେକ୍ସନ କମିଟିର ଘୋଷଣା କରାଯାଇଥିଲା । ସେତେବେଳେ ଚେତନ ଶର୍ମାଙ୍କୁ ଏହାର ଚିଫ୍ କରାଯାଇଥିବାବେଳେ । ହରବିନ୍ଦର ସିଂହ, ସୁନୀଲ ଜୋଶି ଆଉ ଓଡିଆ କ୍ରିକେଟର ଦେବାଶିଷ ମହାନ୍ତି ସିଲେକ୍ସନ କମିଟିରେ ସ୍ଥାନ ପାଇଥିଲେ । ହେଲେ ଚଳିତ ବର୍ଷ ବିଶ୍ୱକପ ସେମିଫାଇନାଲରେ ନିରାଶାଜନକ ପ୍ରଦର୍ଶନ । ଆଉ ୧୫ ବର୍ଷଧରି ଆଇସିସି ଇଭେଂଟରେ ଭାରତ କପ୍ ଜିତିନପାରିବା । ସିଲେକ୍ଟରଙ୍କ ଉପରେ ଖଣ୍ଡାଧାର ସାଜିଥିଲା । ଯାହାର ଫଳସ୍ୱରୂପ ଶୁକ୍ରବାର ବିସିସିଆଇ ନିଜର ସିନିୟର ସିଲେକ୍ସନ କମିଟିକୁ ବରଖାସ୍ତ କରିବା ସହ, ନୂଆ ଚୟନକର୍ତାଙ୍କ ପାଇଁ ଆବେଦନ ଆରମ୍ଭ କରିଛି ।

ବିସିସିଆଇର ନୂଆ ଚୟନକର୍ତା ପାଇଁ କିଛି ନିୟମ ରହିଛି । ଜଣେ ବ୍ୟକ୍ତି ଏହି ପୋଷ୍ଟ ପାଇଁ ଆପ୍ଲାଏ କରିବାକୁ ହେଲେ, ସେ ଅତି କମରେ ୭ଟି ଟେଷ୍ଟ ମ୍ୟାଚ୍ ସହ ୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ । ୧୦ଟି ୱାନ୍ ଡେ ନହେଲେ ୨୦ଟି ଫାଷ୍ଟକ୍ଲାସ୍ ମ୍ୟାଚ୍ ଖେଳିଥିବା ଆବଶ୍ୟକ । ତା ସହିତ ବିସିସିଆଇ ସିନିୟର ସିଲେକ୍ସନ କମିଟିରେ ରହିବାକୁ ହେଲେ କ୍ରିକେଟର ଜଣକ ୫ ବର୍ଷ ପୂର୍ବରୁ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଦରକାର । ତେବେ ଯାଇ ସେ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ । ତେବେ ଟିମ୍ ଇଣ୍ଡିଆ ସିଲେକ୍ସନ କମିଟି ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ନଭେମ୍ବର ୨୮ ତାରିଖ । ଏହି ତାରିଖ ପୂର୍ବରୁ ଚୟନକର୍ତା ହେବାକୁ ଥିବା କ୍ରିକେଟରମାନେ ଆବେଦନ କରିପାରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ଖାଲି ସିଲେକ୍ଟର ନୁହେଁ, କ୍ୟାପଟେନ୍ସିରେ ମଧ୍ୟ ବିସିସିଆଇ ବଡ ଧରଣର ଅଦଳବଦଳ କରିପାରେ ବୋଲି ସୂଚନା ମିଳୁଛି । ରୋହିତଙ୍କ ସ୍ଥାନରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳର ଟି-୨୦ କ୍ୟାପଟେନ୍ ପଦ ମିଳିପାରେ ବୋଲି ସୂଚନା ମିଳୁଥିବାବେଳେ । ମହେନ୍ଦ୍ର ସିଂହ ଧୋନୀଙ୍କୁ ମଧ୍ୟ ଟିମ୍ ଇଣ୍ଡିଆର କିଛି ବଡ ପୋଷ୍ଟରେ ଦାୟିତ୍ୱ ମିଳିପାରେ । ତେଣୁ ବିଶ୍ୱକପ ପରାଜୟ ପରେ ବିସିସିଆଇ ସିଲେକ୍ଟରଙ୍କଠୁ ଆରମ୍ଭ କରି ଟିମରେ କିଛିଟା ଅଦଳବଦଳ କରିବା ଆରମ୍ଭ କରିଦେଇଛି ।