ବହୁଚର୍ଚ୍ଚିତ ମାଲକାନଗିରିର କିଡନୀ ବିକ୍ରି ମାମଲା । ନକଲି ବାପା ସାଜିଥିବା ସୁବଳ ମାଝୀଙ୍କୁ ଗିରଫ କଲା ପୁଲିସ ।

କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁ ଚଂଚକତା କରି ତାଙ୍କ ସ୍ତ୍ରୀଙ୍କ କିଡିନି ବିକି ଦେଇଥିବା ନେଇ ଥାନାରେ ହୋଇଥିଲା ଅଭିଯୋଗ ।

79

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମାଲକାନଗିରିର କିଡିନି ବିକ୍ରି ମାମଲାରେ ନକଲି ବାପା ସାଜି ଥିବା ବ୍ୟକ୍ତି ସୁବଳ ମାଝୀଙ୍କୁ ଗିରଫ କରିଛି ପୁଲିସ । ମାଲକାନଗିରି କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁ ଚଂଚକତା କରି ତାଙ୍କ ସ୍ତ୍ରୀର କିଡିନି ବିକ୍ରି ଦେଇଥିବା ନେଇ ମାଲକାନଗିରି ଥାନାରେ ସ୍ତ୍ରୀ ରଂଜିତା କୁଣ୍ଡୁ ଅଭିଯୋଗ କରି ଥିଲେ । ସ୍ୱାମୀ ପ୍ରଶାନ୍ତ କୁଣ୍ଡୁ ଏମଭି ୩୮ ଗାଁ ର ଅସିମ ହାଲଦାରଙ୍କୁ କିଡନି ବିକ୍ରି କରିବା ଲାଗି ଜାଲ କାଗଜ ପତ୍ର ପ୍ରସ୍ତୁତ କରିଥିଲେ ।

ଏମଭି ୭୦ ଗାଁ ର ସୁବଳ ମାଝିଙ୍କ ଝିଅ ଦରଶାଇ ରଂଜିତା ମାଝୀ ନାଁ ରେ ଜାଲ ଆଧାର କାର୍ଡ ସମେତ ବିଭିନ୍ନ ଜାଲ କାଗଜ ପତ୍ର ପ୍ରସ୍ତୁତ କରି ଥିଲା ସ୍ୱାମୀ । ଗୋଟିଏ ଆଧାର ନଂ ରେ ଦୁଇଟି ଭିନ୍ନ ଭିନ୍ନ ନାଁ ଥିବା ନେଇ କନକ ନ୍ୟୁଜ ରେ ମଧ୍ୟ ଖବର ପ୍ରସାରଣ ହୋଇ ଥିଲା । ଗୋଟିଏ କାର୍ଡ ରେ ରଂଜିତା କୁଣ୍ଡୁ ଓ ଆଉ ଗୋଟିଏରେ ରଂଜିତା ମାଝୀ ନା ଥିଲା । ଆଉ ଚିକିତ୍ସା କରିବାକୁ କହି ରଂଜିତାଙ୍କୁ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଡାକ୍ତରଖାନା ଆଣିଥିଲେ । ସେଠାରେ ରଞ୍ଜିତାଙ୍କ କିଡିନି ଅସିମ ହାଲଦାର ବିକ୍ରି କରିଥିଲେ । ପରେ ଅସିମଙ୍କ ଦେହରେ ପ୍ରତିରୋପଣ କରାଇ ଥିବା ନେଇ ଅଭିଯୋଗ କରିଥିଲେ ରଞ୍ଜିତା । ଆଉ କିଡିନି ବିକିବା ପରେ ସ୍ୱାମୀ ତାଙ୍କୁ ଛାଡି ପଳାଇଥିଲେ ।

ପରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ଗତ ଅଗଷ୍ଟ ୨୩ ତାରିଖରେ ଥାନାର ଦ୍ୱାରସ୍ଥ ହୋଇଥିଲେ ସ୍ତ୍ରୀ । ସ୍ୱାମୀ ସହ ନଣନ୍ଦ, ଅସିମ ହାଲଦାର ଓ ତାଙ୍କ ଦୁଇ ପୁଅ ନାଁ ରେ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ ସ୍ତ୍ରୀ ରଂଜିତା କୁଣ୍ଡୁ । ବିଳମ୍ବରେ ହେଲେ ମଧ୍ୟ ମାଲକାନଗିରି ଥାନା ପୁଲିସ, ଜାଲ ବାପା ସାଜି ଥିବା ଏମଭି ୭୦ ଗାଁ ର ସୁବଳ ମାଝିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ତାଙ୍କ ସ୍ୱାମୀ ପ୍ରଶାନ୍ତ କୁୂଣ୍ଡୁଙ୍କୁ ପୁଲିସ ଗିରଫ କରିଥିଲା ।