ବାରହା ଶିକାର କଲା ବାଘୁଣୀ ! ସାତକୋଶିଆ ଏନକ୍ଲୋଜରରେ ଶିକାର କୌଶଳ ଦେଖାଇଲା ସୁନ୍ଦରୀ

36

କନକ ବ୍ୟୁରୋ: ବାରହା ଶିକାର କଲା ବାଘୁଣୀ । ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିବା ବାଘୁଣୀ ସୁନ୍ଦରୀ ଏନକ୍ଲୋଜର ଭିତରେ ବାରହା ଶୀକାର କରିଛି । ବାନ୍ଧବଗଡ ଜାତୀୟ ଉଦ୍ୟାନରୁ ବାଘୁଣୀ ସୁ୍ଦରୀକୁ ସାତକୋଶିଆ ଅଣାଯାଇଛି । ବାନ୍ଧବଗଡ ଜାତୀୟ ଉଦ୍ୟାନର ସବୁଠାରୁ ଆକର୍ଷଣୀୟ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ପରେ ତାକୁ ଓଡିଶା ସ୍ଥାନାନ୍ତର କରାଯାଇଛି । ଟି-୪୧୨ ନମ୍ବରର ଏହି ବାଘୁଣୀର ବୟସ ୨୭ ମାସ । ତିନି ଭଉଣୀ ମଧ୍ୟରେ ଦୁଇ ନମ୍ବର ହେଉଛି ସୁନ୍ଦରୀ । ଏହାକୁ ଠାବ କରିବା ପରେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା ।

ଦୀର୍ଘ ୭ ଶହ କିଲୋମିଟରର ଯାତ୍ରା ପରେ କାଲି ସଂଧ୍ୟାରେ ବାଘୁଣୀ ଅନୁଗୁଳ ପହଂଚିଥିଲା । ଏହି ବାଘୁଣୀ ଉପରେ ନଜର ରଖିଛନ୍ତି ବିଶେଷଜ୍ଞ । ସୁସ୍ଥ ହେବା ପରେ ତାକୁ ସାତକୋଶିଆରେ ପ୍ରାୟ ଦୁଇ ହେକ୍ଟର ଅଂଚଳରେ ସୁନ୍ଦରୀ ପାଇଁ ସ୍ୱତନ୍ତ୍ର ଏନକ୍ଲୋଜର କରାଯାଇଛି । ରେଡିଓ କଲାର ସହ ସିସିଟିଭି ଜରିଆରେ କିଛି ଦିନ ଅନୁଧ୍ୟାନ କଲା ପରେ ବାଘୁଣୀକୁ ଜଙ୍ଗଲ ଭିତରକୁ ଛଡାଯିବ । ତାପରେ ମହାବୀର ଓ ସୁନ୍ଦରୀ ସାତକୋଶିଆରେ ବାଘବଂଶ ବୃଦ୍ଧି କରିବାରେ ସହାୟକ ହେବେ ବୋଲି ଆଶା ରଖିଛନ୍ତି ବନବିଭାଗ ଓ ବନ୍ୟଜନ୍ତୁ ବିଶେଷଜ୍ଞ ।