ଚିନ୍ତାରେ ବରଗଡ ଚାଷୀ । ବିଷ ପିଇ ଆତ୍ମହତ୍ୟା । କାଲି ଜମିରେ ଲଗାଇଥିଲେ ନିଆଁ

52

କନକ ବ୍ୟୁରୋ : ବରଗଡ଼ରେ ଚକଡ଼ା ପୋକ ଆକ୍ରମଣରେ ଫସଲହାନି ଘଟିବାରୁ ଧାନ ଫସଲରେ ନିଆଁ ଲଗାଇ ଦେଇଥିବା ଚାଷୀ ଆତ୍ମହତ୍ୟା କରିଛନ୍ତି । ଫସଲରେ ନିଆଁ ଲଗାଇ ଦେଇଥିବା ଚାଷୀ ନିଜ ଜମିରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ବିଷ ପିଇ ଦେଇଥିବା ଚାଷୀଙ୍କୁ ଗୁରୁତର ଅବସ୍ଥାରେ ବରଗଡ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ବରଗଡ଼ ନିକଟସ୍ଥ କଳାପାଣି ପଂଚାୟତରେ ଚକଡ଼ା ପୋକ ପୁରା ଫସଲକୁ ଖାଇଯିବା ପରେ ଏଥିରେ ନିଆଁ ଲଗାଇ ଦେଇଥିଲେ ଚାଷୀ । ଆଉ ମାତ୍ର ୧୫ରୁ ୨୦ ଦିନ ଭିତରେ ଧାନ ଫସଲ ଅମଳ ହେବାକୁ ଥିବା ବେଳେ ଧାନ ଭିତରୁ ଚାଉଳ ଖାଇଯାଇଛନ୍ତି ଏହି ମାରାତ୍ମକ ପୋକ । ଚାଷୀଙ୍କ ପାଇଁ ସବୁଠାରୁ ମୁଣ୍ଡବ୍ୟଥାର କଥା ହେଉଛି, ଏହି ପୋକ ଉପରେ ସରକାର ଯୋଗାଉଥିବା ନିମ୍ନମାନର କୀଟନାଶକ କାମ କରୁନାହିଁ । ଫଳରେ ବରଗଡ଼ରେ ସଙ୍କଟ ଭିତରକୁ ଠେଲି ହୋଇଯାଇଛି ଚାଷୀର ଭାଗ୍ୟ ।

ଅମଳ କରିବା ପୂର୍ବରୁ ଏହି ଚାଷୀମାନେ ଯେଉଁ ହାତରେ ମାସ ମାସ ଧରି ପରିଶ୍ରମ କରିଥିଲେ, ଗତକାଲି ସେହି ହାତରେ ନିଜ ଫସଲରେ ନିଆଁ ଲଗାଇ ଦେଇଛନ୍ତି । ପରିଶ୍ରମ ସାଙ୍ଗକୁ ଖର୍ଚ୍ଚ ସବୁଥିରେ ଲାଗିଛି ନିଆଁ । ସବୁଠାରୁ ଆଶ୍ଟର୍ୟ୍ୟର କଥା ହେଉଛି, ନିଜେ ଚାଷୀ ନିଜ ଫସଲରେ ନିଆଁ ଲଗାଇ ଦେଇଥିଲା । ଚାଷୀଙ୍କ କଥା ବୟାନ କରୁଛି ସେମାନଙ୍କର କଷ୍ଟ କାହାଣୀ । ଚାରିଆଡେ ମାଡ଼ିଯାଇଛି ଚକଡ଼ା ପୋକ । ଏବଂ ଏହି ପୋକ ଏମିତି ଭାବେ ମାଡ଼ିଛି ଯେ କୌଣସି ଗୋଟିଏ ଧାନ ଗଛ ବି ତା’ କବଳରୁ ବର୍ତ୍ତିପାରିନାହିଁ । ଏହି ପୋକ ସିଧା ଚାଉଳକୁ ଆକ୍ରମଣ କରେ । ଧାନ ଭିତରୁ ଚାଉଳକୁ ପୂରା ଖାଇଯାଏ । ଉପକୂଳରେ ଏହାକୁ ଲେଡ଼ା ପୋକ ବୋଲି କୁହାଯାଉଥିବା ବେଳେ ବରଗଡ଼ ଅଂଚଳରେ ଏହାକୁ “ଚକଡ଼ା’’ କହନ୍ତି ଚାଷୀ ।

ସବୁଠାରୁ ଦୁଃଖଦାୟକ କଥା ହେଉଛି ଚକଡ଼ା ପୋକକୁ ମାରିବା ପାଇଁ ଏହି ଚାଷୀମାନେ ସରକାରୀ କୀଟନାଶକ ବାରମ୍ବାର ପ୍ରୟୋଗ କରିଛନ୍ତି । କିନ୍ତୁ କିଛି ବି ଫଳ ମିଳନାହିଁ । ଚକଡ଼ା ପୋକ ଯେମିତି ମାଡି ଚାଲିଥିଲା, ସେମିତି ମାଡ଼ି ଚାଲିଲା । ଚାଷୀଙ୍କ ଅଭିଯୋଗ ହେଉଛି, କୀଟନାଶକ ନିମ୍ନ ମାନର ହୋଇଥିବାରୁ କାମ କରୁନାହିଁ ।ବରଗଡ଼କୁ ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଏ । ଏବଂ ଏହି ଅଂଚଳରେ ଚାଷ ହିଁ ସବୁଠାରୁ ବଡ଼ ଜୀବିକା । ଆଉ ଯଦି ଏହି ଅଂଚଳରେ ଚାଷୀକୁ ନିମ୍ନ ମାନର କୀଟନାଶକ ଦିଆଯାଏ ଏବଂ ଚାଷୀ ସବୁକିଛି ହରାଇ ବସେ, ତେବେ ତାର ପରିଣାମ ନିଆଁ ଲଗାଇବାଠାରୁ ଆରଂଭ କରି ଆହୁରି ଭୟଙ୍କର ହେବାର ମଧ୍ୟ ଆଶଙ୍କା ରହିଛି । ଏହା ସରକାର ବୁଝିବା ଦରକାର ।