ବର୍ଷା ହେଲେ ବାରବାଟୀ ମ୍ୟାଚକୁ ବିପଦ ନାହିଁ । ଇଂଲଣ୍ଡରୁ ଆସିଛି ପୂରା ଗ୍ରାଉଣ୍ଡକୁ ଘୋଡାଇ ପାରୁଥିବା କଭର, ବର୍ଷାରେ ବାତିଲ ସମ୍ଭାବନା ପୂରା କମ ।

271

କନକ ବ୍ୟୁରୋ : ବାରବାଟୀରେ ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଏବେ ଆରମ୍ଭ ହୋଇଛି ଅଫଲାଇନରେ ଟିକେଟ୍ ବିକ୍ରି ପ୍ରକ୍ରିୟା । ଦୁଇ ଦିନ ପାଇଁ କେବଳ ଓସିଏ ସହ ଅନୁବନ୍ଧିତ ଥିବା ସଂସ୍ଥା ଟିକଟ ନେଉଛନ୍ତି । ୯ ତାରିଖ ପାଖରୁ ଅଫଲାଇନରେ ସାଧାରଣ ଲୋକ ଟିକେଟ୍ କିଣିବେ । ସେପଟେ ମ୍ୟାଚ୍ ଆରମ୍ଭ ବେଳେ ବର୍ଷାର ସମ୍ଭାବନା ଥିବାରୁ ଓସିଏ ପ୍ରସ୍ତୁତି ଆରମ୍ଭ କରିଛି ।

ବାରବାଟୀ ଟି-ଟ୍ୱେଣ୍ଟି ପାଇଁ ଅନଲାଇନ ପରେ ଏବେ ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଟିକେଟ କିଣିଥିଲେ । ଏହାପରେ ମଙ୍ଗଳବାର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ତଥା ଓସିଏ ସହ ଅନୁବନ୍ଧିତ ସଂସ୍ଥା, କ୍ଲବ, ସ୍କୁଲ, କଲେଜ ଓ ଜିଲ୍ଲାମାନଙ୍କୁ ଟିକେଟ୍ ବିକ୍ରି କରାଯାଉଛି । କଟକ ମେୟର ସୁବାସ ସିଂ ମଧ୍ୟ ଅଫଲାଇନରେ ଟିକେଟ କିଣିଛନ୍ତି । ୭ ଏବଂ ୮ ତାରିଖ ଦୁଇ ଦିନରେ ମୋଟ ୮ ହଜାର ଟିକେଟ୍ ବିକ୍ରି କରାଯିବ । ୯ ଏବଂ ୧୦ ତାରିଖ ଦର୍ଶକଙ୍କ ପାଇଁ ଅଫଲାଇନରେ ଟିକେଟ୍ ମିଳିବ । ତେବେ ମୋଟ ୨୯ ହଜାର ୧୫୪ ଟିକେଟ୍ ବିକ୍ରି ହେବାକୁ ଥିବା ବେଳେ ସେଥିରୁ ଅନଲାଇନରେ ୫ ହଜାର ଟିକେଟ୍ ୫ ମିନିଟରେ ଶେଷ ହୋଇଯାଇଥିଲା ।

ଏପଟେ ବାରବାଟୀରେ ହେବାକୁ ଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଂଟି ମ୍ୟାଚ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ମ୍ୟାଚ ସମୟରେ ମୌସୁମୀ ବର୍ଷାର ସମ୍ଭାବନା ରହିଛି । କିନ୍ତୁ ଏଥର ବର୍ଷା ହେଲେ ବି ମ୍ୟାଚ ବାତିଲ ହେବାର ସମ୍ଭାବନା ବହୁତ କମ୍ । କାରଣ ବାରବାଟୀ ପାଖରେ ରହିଛି ହୋଲ ଗ୍ରାଉଣ୍ଡ କଭର । ଏହା ପିଚକୁ ବର୍ଷାରୁ ସୁରକ୍ଷା ଦେବ ।

ସେପଟେ ବାରବାଟୀ ମ୍ୟାଚ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ । ଖେଳାଳିଙ୍କ ଆସିବାଠୁ ଯିବା ପର୍ଯ୍ୟନ୍ତ ଟୁଇନ ସିଟିରେ ପଇଁତରା ମାରିବ ୨୧ ପ୍ଲାଟୁନ ପୋଲିସ ଫୋର୍ସ । ବିମାନ ବନ୍ଦର ଠାରୁ ହୋଟେଲ ଏବଂ ଷ୍ଟାଡିୟମ ଯାଏ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ । ଅନ୍ୟପଟେ ମ୍ୟାଚ୍ ବାତିଲ ନେଇ ହୋଇଥିବା ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ବାରବାଟୀ ମ୍ୟାଚକୁ ବାତିଲ କରିବାକୁ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷିତ ମ୍ୟାଚ୍ ଆୟୋଜନ ନେଇ ଆଶ୍ୱାସନା ଦିଆଯାଇଛି । ଏହାପରେ ଜନସ୍ୱାର୍ଥ ମାମଲା ଖାରଜ କରିଛନ୍ତି ହାଇକୋର୍ଟ ।