ଭିଜିଲାନ୍ସ ଆଗରେ ଉତ୍ତର ରଖିପାରିଲେନି ବାଙ୍ଗିରପୋଷି ତହସିଲଦାର : ୨ଲକ୍ଷ ୫୬ ହଜାର ଟଙ୍କା ଧରି ଯାଉଥିବା ବାଲେଶ୍ୱର ରାସ୍ତାରେ ଅଟକାଇଲେ ଭିଜିଲାନ୍ସ ଅଧିକାରୀ

ବେଆଇନ ଅର୍ଥ କାରବାର ମାମଲାରେ ଗିରଫ

206

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ତହସିଲ୍‌ଦାର ଅଭିମନ୍ୟୁ ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଯାଞ୍ଚ ବେଳେ ତାଙ୍କଠାରୁ ନଗଦ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ କରାଯାଇଛି । ଏତେ ଟଙ୍କା କେଉଁଠୁ ଆଣୁଥିଲେ, ସେ ସଂପର୍କରେ କିଛି କହିପାରିନଥିଲେ ତହସିଲଦାର। ବେଆଇନ୍ ଅର୍ଥ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବାବେଳେ ବାଲେଶ୍ବର ଜିଲ୍ଲା ମଲ୍ଲିକାଶପୁରସ୍ଥିତ ବାସଭବନରେ ଚଢ଼ଉ କରିଛି ।

ଭିଜିଲାନ୍‌ସର ସୂଚନା ମୁତାବକ, ଲାଞ୍ଚ କାରବାର ନେଇ ତହସିଲଦାର ନାଁରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ସନ୍ତୋଷ କୁମାର ମିଶ୍ର ଏହାକୁ ଗୁରୁତ୍ବର ସହ ନେଇ ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଜଣେ ବ୍ୟକ୍ତିଙ୍କଠାରୁ ଶ୍ରୀ ପଣ୍ଡା ୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଜାଣିବା ପରେ ଏସ୍‌ପି ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଡିଏସ୍‌ପି ଏସ୍‌କେ ସାମନ୍ତରାୟ, ଇନ୍‌ସପେକ୍ଟର ସୁଶୀଲ ଏକ୍କା, ଦୁଷ୍ମନ୍ତ ନାୟକ, ଜୟନ୍ତୀ ଦଳେଇଙ୍କ ନେତୃତ୍ବରେ ଏକ ଟିମ୍‌ ତାଙ୍କ ଉପରେ ନଜର ରଖିଥିଲେ ।

ଅପରାହ୍ନ ସମୟରେ ଶ୍ରୀ ପଣ୍ଡା ସରକାରୀ ଗାଡ଼ିରେ ବାଲେଶ୍ବରସ୍ଥିତ ଘରକୁ ଫେରୁଥିବା ବେଳେ ନହରପାଟଣା ନିକଟରେ ପଛରୁ ପିଛା କରୁଥିବା ଭିଜିଲାନ୍ସ ଟିମ୍‌ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତାଙ୍କ ନିକଟରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଥିଲା । ତେବେ ଏତେ ଟଙ୍କା ସେ କେଉଁଠୁ ଆଣିଲେ, କାହାଠୁ ଆଣିଲେ ତାର କିଛି ହିସାବ ଦେଇ ପାରିନଥିଲେ। ସନ୍ତୋଷଜନକ ଉତ୍ତର ନମିଳିବାରୁ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ଜେରା କରାଯାଉଛି । ଖୁବ୍‌ଶୀଘ୍ର ଶ୍ରୀ ପଣ୍ଡାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ତାଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ଆକଳନ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି କହିଛନ୍ତି ।