ପଶ୍ଚିମବଙ୍ଗ ଓ ଆସାମରେ ଆରମ୍ଭ ହେଲା ମତଦାନ । ପ୍ରଥମ ପର୍ଯ୍ୟାୟ ପାଇଁ ପଡିଲା ଭୋଟ ।

50

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ପଡିଲା ଭୋଟ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗର ୩୦ ଓ ଆସାମର ୪୭ଟି ଆସନରେ ଭୋଟଗ୍ରହଣ ଆରମ୍ଭ ହୋଇଛି । ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ମୋଟ୍‌ ୭.୩୨ କୋଟି ଭୋଟର ୧,୦୧,୯୧୬ ନିର୍ବା‌ଚନୀ ବୁଥ୍‌ରେ ଭୋଟ୍‌ ଦେବେ। ତେବେ ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷରୁ ଅଧିକ ଭୋଟର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ନିର୍ବାଚନ ଥିବା ଜିଲ୍ଲାମାନଙ୍କରେ ୬୮୪ କମ୍ପାନି କେନ୍ଦ୍ରୀୟ ବାହିନୀ ମୁତୟନ ହୋଇଛନ୍ତି। ଟିଏମସି ଏବଂ ବିଜେପି ମଧ୍ୟରେ ଚଳିତ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିବ। ୨୦୧୬ ବିଧାନସଭା‌ ନିର୍ବାଚନରେ ଟିଏମସି ଏହି ୩୦ ଆସନରୁ ୨୭ଟିରେ ଜିତିଥିଲା । ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ୮ ଟି  ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ନିର୍ବାିଚନ ହେବ । ଅନ୍ୟପକ୍ଷେ ମେ’ ୨ ତାରିଖରେ ଫଳାଫଳ ଆସିବ।

ଆସାମରେ ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାର ୪୭ ଆସନରେ ସକାଳ ୭ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୮୧,୦୯,୮୧୫ ଭୋଟର ଭୋଟ୍‌ ‌ଦେବେ। ଏମାନଙ୍କ ମଧ୍ୟରୁ ୪୦,୭୭,୨୧୦ ଜଣ ପୁରୁଷ ଏବଂ ୪୦,୩୨,୪୮୧ ଜଣ ମହିଳା। ୧,୧୫୩୭ଟି ବୁଥରେ ଭୋଟ୍‌ ଗ୍ରହଣ ହେବ। ଆସାମରେ ବିଜେପି କ୍ଷମତାରେ ଅଛି। ୨୦୧୬ ଆସାମ ବିଧାନସଭା ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀ ଏଜିପି ୪୭ ଆସନରୁ ୩୫ଟିରେ ଜିତିଥିଲେ। ବିଜେପି ଏକାକୀ ୨୭ ଆସନରେ ଜିତିଥିଲା। ଚଳିତ ନିର୍ବାଚନରେ କଂଗ୍ରେସ ବିଜେପିକୁ ମାତ୍‌ ଦେବାପାଇଁ ଏଆଇୟୁଡିଏଫ୍‌ ସହ ମେଣ୍ଟ କରିଛି। ଉଲ୍ଲେଖଯୋଗ୍ୟ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ପାଇଁ ୩  ପର୍ଯ୍ୟାୟରେ ରେ ଭୋଟ୍‌ ଗ୍ରହଣ ହେଉଛି। ୨୭ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଥିବାବେଳେ ଏପ୍ରିଲ୧ରେ ଦ୍ବିତୀୟ ଏବଂ ୬ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅଛି।