ପରିଣତ ବୟସରେ ଜଗା ସେବାରେ ବିଭୋର ବୃଦ୍ଧା । ୯୫ ବର୍ଷରେ କାଳିଆ ପାଇଁ ପାଟବସ୍ତ୍ର ପ୍ରସ୍ତୁତ କରୁଛନ୍ତି ଖୋର୍ଦ୍ଧା ରାଉତପଡାର ଆସେଲି ଦାସ ।

102

କନକ ବ୍ୟୁରୋ: କାଳିଆ ପ୍ରେମରେ ବନ୍ଧା ୯୫ ବର୍ଷିୟ ବୃଦ୍ଧା । ଜଗାର ସେବା କରିବାକୁ ସମସ୍ତଙ୍କୁ ସୌଭାଗ୍ୟ ମିଳେ ନାହିଁ । ଭାଗ୍ୟ ଆଉ ମହାପ୍ରଭୁଙ୍କ କୃପା ଥିଲେ ତାଙ୍କ ସେବା କରିବାର ସୁଯୋଗ ମିଳେ । ସେମିତି ଜଣେ ସୌଭାଗ୍ୟବତୀ ବୃଦ୍ଧା ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ରାଉତପଡାର ଆସେଲି ଦାସ । ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ତିଆରି କରିବାରେ ଆଜି ବି ନିୟୋଜିତ କରୁଛନ୍ତି ଆସେଲି । ବୟସକୁ ମାପକାଠି ନଭାବି ବଡଠାକୁରଙ୍କ ବସ୍ତ୍ର ବୁଣାରେ ଲାଗିଛନ୍ତି ୯୫ ବର୍ଷିୟ ବୃଦ୍ଧା । ସକାଳୁ ଉଠି ନିଜ ନିତ୍ୟ କର୍ମସାରି ଲାଗି ପଡନ୍ତି ପାଟ ବସ୍ତ୍ର ପ୍ରସ୍ତୁତିରେ ।

ବଡ ଠାକୁରଙ୍କ ପାଇଁ ଆସେଲିଙ୍କ ପରିବାର ପାଟ ବସ୍ତ୍ର ପ୍ରସ୍ତୁତି କରିଥାନ୍ତି । ପୁଅ-ବୋହୂ ଏବଂ ପୁରା ପରିବାର କାଳିଆ କାମରେ ଲାଗିଥାନ୍ତି । ତେବେ ପାଟ ତିଆରି ପାଇଁ ବ୍ୟବହାର ହେଉଥିବା ସୁତାକୁ ଅରଟ ମାଧ୍ୟମରେ ଗୁଡେଇ ନଳି ଓ ବବିନୀ ଯୋଗାଇ ଦେଇଥାନ୍ତି ଆସେଲି ଦାସ । ସକାଳୁ ସଂଜ ଯାଇଁ ଅବିରତ ଏହି କାମରେ ଲାଗିଥାନ୍ତି ବୁଢି ମାଉସୀ । ଆଉ ୯୫ ବର୍ଷ ବୟସରେ ତାଙ୍କର ଏହି କାମ କହିଦେଉଛି ଜଗାର ସେବା କରିବାକୁ କେତେ ତତ୍ପର ଏହି ବୁଢି ମାଉସୀ ।