କୁକୁର ବାହାଘରରେ ମଣିଷ ବରଯାତ୍ରୀ । ରୀତିନୀତିରେ ହେଲା ବାହାଘର, ଭୋଜିଭାତ

159

କନକ ବ୍ୟୁରୋ : ବାଜା ବାଜୁଛି, ରୋଷଣୀ ହେଉଛି । ମୁର୍ଦ୍ଦଙ୍ଗର ତାଳେ ତାଳେ ବରଯାତ୍ରୀ ନାଚୁଛନ୍ତି । ଏହି ଦୃଶ୍ୟକୁ ଦେଖି ଆପଣ ନିଶ୍ଚୟ ଭାବୁଥିବେ କୌଣସି ଏକ ରାଜ ପରିବାରର ବିବାହ ଉତ୍ସବ ଚାଲିଛି । ଆଜ୍ଞା ହଁ ଏଠି ବାହାଘର ଚାଲିଛି ସତ କିନ୍ତୁ କୌଣସି ବର-କନ୍ୟାଙ୍କର ବିବାହ ହେଉନି । ଏଠି ବର ଆଉ କନ୍ୟା ସାଜିଛନ୍ତି ଦୁଇ କୁକୁର । ହୀନ୍ଦୁ ରୀତିନିତି ଅନୁସାରେ ଯେଉଁଭଳି ବିବାହ କରାଯାଏ । ଠିକ୍ ସେହିଭଳି ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ଚାଲିଛି । ଗୋଡରେ ଅଳତା, ମଥାରେ ଟିକିଲି ସହ ନାଲି ଚୁନରୀ ପକାଇ କନ୍ୟା ବେସରେ ସଜେଇହୋଇଛି ସ୍ୱିଟି । ସେପଟେ ବରଯାତ୍ରୀ ଧରି ସ୍ୱିଟି ଘରେ ବିବାହ ପାଇଁ ପହଞ୍ଚିଛି ସେରୁ ।
ଏନେଇ ସେରୁରପରିବାର ଲୋକ କୁହନ୍ତି, ଦୀର୍ଘଦିନ ହେବ ଆମର ସ୍ୱପ୍ନ ଥିଲା ସ୍ୱିଟି ଏବଂ ସେରୁର ବିବାହ କରିବା ପାଇଁ । ସେରୁ ଆମ ପୁଅ ଭଳି । ତେଣୁ ପୁଅକୁ ବାହାଘର କରିବା ପାଇଁ ଆମେ ନିସ୍ପତ୍ତି ନେଇଥିଲୁ । ବାହାଘର ପାଇଁ କାର୍ଡ ଛପିଆ ହୋଇଛି । ପ୍ରାୟ ୧୦୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଭୋଜି ଭାତ, ବ୍ୟାଣ୍ଡ ବାଜା, ନାଚ ଗୀତର ଆୟୋଜନ କରାଯାଇଛି । ରୀତିନିତି ହିସାବରେ ବିବାହ ପାଇଁ ପଣ୍ଡିତ ବି ଆସିଛନ୍ତି, ହୋମ ନିଆଁକୁ ସାକ୍ଷୀ ରଖି ବିବାହ ହେବ । ଦୁହେଁ ସାତ ଫେରା ନେଇ ସାତ ଜନମ ପାଇଁ ସାଥୀ ହେବେ । ସ୍ୱିଟି ତା ବାପ ଘର ଛାଡି ଆମ ଘରକୁ ଆସିବ । ତାକୁ ଆମେ ବୋହୂ ଭଳି ଘରେ ରଖିବୁ ।
ସେପଟେ ଝିଅ ସ୍ୱିଟିର ବାହାଘର ପାଇଁ ଲୁଗା, ବାସନକୁସନ, ଗହଣା ସଜେଇ ରଖିଛନ୍ତି ସ୍ୱିଟିର ମାଆ । ଏପରିତି ସଂଖା ସିନ୍ଦୁର ମଧ୍ୟ କିଣି ରଖିଛନ୍ତି ସ୍ୱିଟିର ମାଆ । ଝିଅର ବାହାଘର ନେଇ କେତେ ଖୁସି ଅଛନ୍ତି ପଚାରିବାରୁ ସେ କହିଛନ୍ତି, ଆମର କେହି ପିଲାପିଲି ନାହାନ୍ତି । ଆମେ ପଶୁ ପକ୍ଷୀଙ୍କୁ ରଖି ପିଲାଙ୍କ ଭଳି ଲାଳନପାଳନ କରୁଛୁ । ଏମାନଙ୍କୁ ପିଲାଙ୍କ ଭଳି ସ୍ନେହ ଦେଉଛୁ । ଆଜି ଯାହାର ବାହାଘର ହେଉଛି ତା ନାଁ ହେଉଛି ସ୍ୱିଟି, ତାକୁ ପିଲାଟି ଦିନରୁ ପାଳିଆସିଛୁ । ସେ ମୋ ଝିଅ ଭଳି । ତେଣୁ ଝିଅକୁ ଶାଶୁ ଘର ବିଦା କରିବା ଆମର ସୌଭାଗ୍ୟ । ମୁଁ ଆଜି ବହୁତ ଖୁସି ।
ଦୁଇ ପରିବାର କଥାବାର୍ତ୍ତା ହୋଇ ସେରୁ ଏବଂ ସ୍ୱିଟିକୁ ବିବାହ କରିବା ପାଇଁ ନିସ୍ପତ୍ତି ନେଇଥିଲେ । ଏହା ଦ୍ୱାରା ଦୁଇ ପରିବାରଙ୍କ ମଧ୍ୟରେ ପୂର୍ବରୁ ଥିବା ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଦୁଇ ପରିବାର କହିଛନ୍ତି ।