ପ୍ରାର୍ଥୀପତ୍ର ନାକଚକୁ ନେଇ ଅସ୍ତରଙ୍ଗ ବ୍ଲକ ପରିସରରେ ଉତ୍ତେଜନା । ସମର୍ଥକଙ୍କ ସହ ହୋହାଲ୍ଲା କଲେ ଆଶାୟୀ ପ୍ରାର୍ଥୀ

ସେପଟେ ବଲାଙ୍ଗୀର ତୁରେଇକେଲାରେ ବି ଉତ୍ତେଜନା : ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ପାଇଁ ଅନଶନ କଲେ ପ୍ରତିଦ୍ୱନ୍ଦୀ

108

କନକ ବ୍ୟୁରୋ : ପ୍ରାର୍ଥୀପତ୍ର ନାକଚକୁ ନେଇ ଅସ୍ତରଙ୍ଗ ବ୍ଲକ ପରିସରରେ ଉତ୍ତେଜନା । ସରିପୁର ପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ସସ୍ମିତା ଛଟେଇଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଯାଇଛି । କାହିଁକି ପ୍ରାର୍ଥୀ ପତ୍ର ନାକଚ ହେଲା ଜାଣିବାକୁ ଚାହିଁଥିଲେ ବିଜେଡିର ଅସନ୍ତୁଷ୍ଟ ଆଶାୟୀ ସସ୍ମିତା ଛାଟୋଇ ଓ ତାଙ୍କ ସମର୍ଥକ । କିନ୍ତୁ ବ୍ଲକ ପ୍ରଶାସନିକ ଅଧିକାରୀ କୌଣସି ସନ୍ତୋଷଜନକ ଉତର ଦେଇନଥିବା ଅଭିଯୋଗ ଆଣି ହୋ-ହାଲ୍ଲା କରିଥିଲେ ସସ୍ମିତାଙ୍କ ସମର୍ଥକ ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ଶାନ୍ତ ପଡିଥିଲେ । ଅନ୍ୟପଟେ ବିଡିଓ କହିବା ଅନୁସାରେ ମିଥ୍ୟା ସତ୍ୟପାଠ ଯୋଗୁଁ ପ୍ରାର୍ଥୀ ପତ୍ର ନାକଚ କରାଯାଇଛି । ୨୦୦୭ରୁ ୨୦୧୨ ମସିହାରେ ସସ୍ମିତା ଛାଟୋଇ ଅସ୍ତରଙ୍ଗ ପଂଚାୟତ ସମିତି ଅଧ୍ୟ କ୍ଷା ରହିଥିଲେ । ସେହି ସମୟରେ ସରକାରୀ ଟଙ୍କା ହଡପ ଅଭିଯୋଗ ହୋଇଛି, ଓ ତାହାର ଭରଣା ପାଇଁ ଅର୍ଥ ବିଭାଗ ତରଫରୁ ନୋଟିସ ହୋଇଥିଲା । ଏକଥା ସତ୍ୟପାଠରେ ଉଲ୍ଲେଖ କରିନଥିବାରୁ ତାଙ୍କ ପ୍ରାର୍ଥୀପତ୍ର ନାକଚ କରାଯାଇଛି ।

ସେପଟେ ବଲାଙ୍ଗିର ଜିଲ୍ଲୀ ତୁରେକେଲା ବ୍ଲକ ପରିସରରେ ମଧ୍ୟ ପ୍ରାର୍ଥୀପତ୍ର ଯାଂଚ ବେଳେ ଉତେଜନା ଦେଖିବାକୁ ମିଳିଛି । ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱି ପ୍ରାର୍ଥୀ ଓ ତାଙ୍କ ସମର୍ଥକ ଧାରଣା ଦେଇଥିଲେ । ସୂଚନା ଅନୁସାରେ ତୁରେକେଲା ବ୍ଲକ ହଲନଭଟାର ସମିତି ସଭ୍ୟ ପ୍ରାର୍ଥୀ ଫଗୁନି ତାଣ୍ଡିଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଧାରଣାରେ ବସିଥିଲେ ପ୍ରତିଦ୍ୱନ୍ଦ୍ୱି ପ୍ରାର୍ଥୀ ପୁଷ୍ପାଞ୍ଜଳି ନାଗ ।

ଅଭିଯୋଗ ହେଉଛି, ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଥିବା ଫଗୁନି ଓଡିଆ ଲେଖି ପାରନ୍ତି ନାହିଁ କି ପଢି ପାରନ୍ତି ନାହିଁ । ତେଣୁ ତାଙ୍କ ପ୍ରାର୍ଥୀପତ୍ର ନାକଚ କରିବା ଦାବିରେ ବ୍ଲକ ପରିସରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମିତି ସଭ୍ୟା ପ୍ରାର୍ଥୀ ପୁଷ୍ପାଞ୍ଜଳି ନାଗ ବସିଥିଲେ । ତେବେ ବିଡିଓ ବୁଝାସୁଝା କରିବା ପରେ ସେ ଧାରଣାରୁ ଓହରିଥିବା ସୂଚନା ମିଳିଛି ।