ଅନଶନ ଭାଙ୍ଗିଲେ ଆନ୍ନା: ଫଳରସ ପିଆଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

45

କନକ ବ୍ୟୁରୋ: ଚାଷୀଙ୍କ ବିଭିନ୍ନ ସମସ୍ୟା, ଲୋକପାଳ ବିଲ ଓ ସ୍ୱଚ୍ଛ ନିର୍ବାଚନ ବ୍ୟବସ୍ଥା ସମ୍ପର୍କିତ ଦାବିରେ ସ୍ଥାନୀୟ ରାମଲୀଳା ମଇଦାନରେ ଆମରଣ ଅନଶନରେ ବସିଥିବା ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଗତକାଲି ସପ୍ତମ ଦିନରେ ଅନଶନ ଭାଙ୍ଗିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାଭିସ୍ ଓ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ ଆନ୍ନାଙ୍କ ସହ ଆଲୋଚନା କରି ଦାବି ପୂରଣର ପ୍ରତିଶ୍ରୁତି ଦେଇଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ହାତରୁ ଫଳରସ ପିଇ ୮୦ ବର୍ଷୀୟ ଆନ୍ନା ଅନଶନ ଭାଙ୍ଗିଥିଲେ । ମଞ୍ଚ ଉପରେ ଥାଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଲିଖିତ ପ୍ରତିଶ୍ରୁତିକୁ ମନ୍ତ୍ରୀ ଶେଖାଓ୍ଵତ ପଢ଼ିଥିଲେ ।

ଚାଷୀଙ୍କ ବିଭିନ୍ନ ସମସ୍ୟା, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୃଷିଋଣରୁ ଚକ୍ରବୃଦ୍ଧି ସୁଧ ହାର ହଟାଇବା, ଲୋକାୟୁକ୍ତ ବିଲ୍ ଓ ନିର୍ବାଚନ ପଦ୍ଧତିରେ ସଂସ୍କାର ସମ୍ବନ୍ଧୀୟ ମୋଟ ୧୧ଟି ଦାବିରୁ ୮ଟିର ପୂରଣ ପାଇଁ ସରକାର ରାଜି ହୋଇଛନ୍ତି । ଅନ୍ୟ ଦାବିଗୁଡ଼ିକ ଉପରେ ଏବେ ବି ଆଲୋଚନା ଜାରି ରହିଛି ବୋଲି ଶେଖାଓ୍ଵତ କହିଥିଲେ । ଅନଶନ ଭାଙ୍ଗିଲା ପରେ ଆନ୍ନା ଗଣମାଧ୍ୟମକୁ କହିଥିଲେ ଯେ କେନ୍ଦ୍ର ସରକାର ଶୀଘ୍ର ଲୋକପାଳ ନିଯୁକ୍ତି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ୬ମାସ ମଧ୍ୟରେ ପ୍ରତିଶ୍ରୁତି ପୂରଣ ନହେଲେ ସେ ପୁଣି ଅନଶନରେ ବସିବେ।