ଚୋର ଧରିବାକୁ ଯାଇ ନାକେଦମ୍ ହେଲା ପୋଲିସ : ପିଲା ଚୋର ସନ୍ଦେହରେ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଲେ ଗାଁ ଲୋକ

ଭୁଲରେ ପୁଲିସ ଉପରେ ଆକ୍ରମଣ ପରେ ଗିରଫଦାରୀ ଭୟରେ ପୁରୁଷଶୂନ୍ୟ ହେଲା ଗାଁ

167

କନକ ବ୍ୟୁରୋ : ଚୋର ଧରିବାକୁ ପୁଲିସ ନାକେଦମ୍‌ ହୋଇଛି । ସାଦା ପୋଷାକରେ ଯାଇଥିବା ବଅଁରପାଳ ଥାନାର କିଛି ଅଧିକାରୀ ଓ କର୍ମଚାରୀଙ୍କ ଉପରେ ହୋଇଛି ନିସ୍ତୁକ ମାଡ଼ । ପିଲା ଚୋର ସନ୍ଦେହରେ ଆମନା ଓ ସଂଜପଡା ଗ୍ରାମବାସୀ ସୋମବାର ସନ୍ଧ୍ୟାରେ ପୁଲିସ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଲୋକଙ୍କ ପଥର ଓ କାଚ ବୋତଲ ମାଡରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଏପଟେ ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସୁଧୁରିଥିଲେ ମଧ୍ୟ ଗିରଫଦାରି ଭୟରେ ଉଭୟ ଗାଁ ପୁରୁଷଶୂନ୍ୟ ହୋଇଯାଇଛି ।

ପାରାଦୀପ ଆଇଓସିଏଲ୍‌ରୁ ପାଇପ ଯୋଗେ ସମ୍ବଲପୁରକୁ ତେଲ ଯୋଗାଣ କରାଯାଉଛି । ଗତ ୪ ତାରିଖରେ ବଉଳିଗଡ଼ ଜଙ୍ଗଲ ନିକଟରେ ଯାଇଥିବା ପାଇପ୍‌ ଲାଇନରୁ ୫ ଟ୍ୟାଙ୍କର ତେଲ ଚୋରି ହୋଇଥିବା ବିଭାଗ ପକ୍ଷରୁ ସୂଚନା ପାଇବା ପରେ ସୁରକ୍ଷା କର୍ମୀ ବଉଳିଗଡ଼ ଜଙ୍ଗଲ ପାଇପ୍‌ ଲାଇନ ନିକଟରେ ବୁଲାବୁଲି କରୁଥିବା କିଛି ଯୁବକଙ୍କ ସଂପର୍କରେ ଅନୁଗୁଳ ଏସ୍‌ପିଙ୍କୁ ଜଣାଇଥିଲେ । ଚୋରଙ୍କୁ ଧରିବା ପାଇଁ ବଅଁରପାଳ ପୁଲିସକୁ ଏସ୍‌ପି ନିର୍ଦେଶ ଦେଇଥିଲେ। ସୋମବାର ସକାଳେ ପାଇପ୍‌ ଲାଇନ ସୁରକ୍ଷା କର୍ମଚାରୀ ଓ ବଅଁରପାଳ ପୁଲିସ ମିଳିତ ଭାବେ ବଉଳିଗଡ଼ ଜଙ୍ଗଲରେ ଚଢଉ କରିଥିଲେ । ସେମାନେ ଜଙ୍ଗଲ ନିକଟରୁ ଗୋଟିଏ ନମ୍ବର ବିହୀନ କାର୍‌ ଜବତ କରିବା ସହ ତିନି ଜଣ ଯୁବକଙ୍କୁ କାବୁ କରି ଥାନାକୁ ନେଇଥିଲେ । ‌

ତେବେ ପୁଲିସ ଆଖିରେ ଧୂଳି ଦେଇ ସେଠାରୁ ଜଣେ ଚମ୍ପଟ ମାରିଥିଲା । ତାଙ୍କୁ ଧରିବା ପାଇଁ ସନ୍ଧ୍ୟାରେ ପୁଲିସ ଜାଲ ବିଛାଇଥିଲା । ଧରାପଡିଥିବା ଯୁବକମାନଙ୍କର ପୋଷାକ ପିନ୍ଧି ବଅଁରପାଳ ଥାନାର ଏସଆଇ ଦିଲୀପ ସାହୁ ଓ ଅନ୍ୟ କର୍ମଚାରୀମାନେ ଜବତ କାର୍‌ରେ ଆମନା ଗ୍ରାମ ନିକଟକୁ ଯାଇଥିଲେ । ଅଟକ ଥିବା ଯୁବକମାନଙ୍କ ଫୋନ୍‌ରୁ କଥା ହୋଇ ଫେରାର ‌ହୋଇଥିବା ଯୁବକକୁ ଡକାଇଥିଲେ। ପରେ ସେ ଆମନା ଗ୍ରାମ ନିକଟରେ ଥିବା ଜାଣିବା ପରେ ପୁଲିସ ସେଠାରୁ ହରିୟାଣା ଅଞ୍ଚଳର ସନ୍ଦୀପ କୁମାର ନାମକ ଯୁବକକୁ କାବୁ କରି ନେଇଥିଲା ।

ଏହି ଯୁବକକୁ ପୁଲିସ ଧରି ଥାନାକୁ ଆଣିବା ସମୟରେ ସୃଷ୍ଟି ହୋଇଥିଲା ମହାଭାରତ । ଆମନା ଗ୍ରାମ ଛକ ନିକଟରେ ଗ୍ରାମବାସୀମାନେ ଏହି ନମ୍ବରବିହୀନ ଗାଡିକୁ ଛାଡ଼ି ନଥିଲେ। ପିଲା ଚୋର ସନ୍ଦେହରେ ଗାଡିକୁ ଅଟକ ରଖି ବଚସା କରିଥିଲେ। ପୁଲିସ ଓ ସୁରକ୍ଷା କର୍ମୀମାନେ ନିଜର ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ସେମାନଙ୍କୁ ଛାଡ଼ି ନଥିଲେ । ଧରାପଡିଥିବା ଯୁବକଜଣକ ହିନ୍ଦୀରେ କଥାବାର୍ତା କରୁଥିବାରୁ ଲୋକେ ତାଙ୍କୁ ପିଲା ଚୋର ବୋଲି ନିଶ୍ଚିତ ହୋଇ ଯାଇଥିଲେ । ପରେ ପୁଲିସ ନେଇଥିବା ନମ୍ବର ବିହୀନ କାର୍‌କୁ ଭାଙ୍ଗି ଚୂରମାର କରିବା ସହିତ ଘଟଣାସ୍ଥଳକୁ ଯାଇଥିବା ବଅଁରପାଳ ପୁଲିସ ଗାଡିକୁ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ । ଏହା ସହ ପୁଲିସ ପାଖରେ ଥିବା ସନ୍ଦୀପଙ୍କୁ ଛଡାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ ଏହାର ବିରୋଧ କରିବାରୁ ପୁଲିସକୁ ମାଡ଼ ମାରିବା ସହିତ କାଚ ବୋତଲ ଫିଙ୍ଗିଥିଲେ ଶତାଧିକ ଗ୍ରାମବାସୀ ।

ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ପାଖାପାଖି ଦୁଇ ଘଣ୍ଟା ଧରି ଚାଲିବା ପରେ ଘଟଣାସ୍ଥଳକୁ କଣ୍ଟାବଣିଆ ଥାନା ଅଧିକାରୀ ନିରଞ୍ଜନ ସେଠୀ ଓ ବଅଁରପାଳ ପୁଲିସ ପହଞ୍ଚି ଘଟଣାକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । କିଛି ସମୟ ପରେ ଅନୁଗୁଳ ଏସଡିପିଓ ଅଶ୍ୱିନୀ କୁମାର ସାହୁ, ମୋଟଙ୍ଗା ଥାନା ଅଧିକାରୀ, ବାଲିମୀ ଥାନା ଅଧିକାରୀ ଓ ଦୁଇ ପ୍ଲାଟୁନ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଏହି ଘଟଣାରେ ତିନି ଜଣ ପୁଲିସ କର୍ମଚାରୀ ଓ ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ପୁଲିସକୁ ମାଡ଼ ମାରିବା ସହ ଗାଡ଼ି ଭାଙ୍ଗିଥିବା କେତେକ ଲୋକଙ୍କୁ ପୁଲିସ ଅଟକ ରଖିଛି । ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏପଟେ ପୁଲିସ ଭୟରେ ଉଭୟ ଆମନା ଓ ସଂଜପଡା ଗାଁ ପୁରୁଷଶୂନ୍ୟ ହୋଇଯାଇଛି ।