ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ: ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି କଲେ ଟୁଇଟ୍

559

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଦିଲ୍ଲୀ ଗସ୍ତରେ ଯାଇ ମଙ୍ଗଳବାର ଗୃହମନ୍ତ୍ରୀଙ୍କ ସହ ସୈାଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି । କେବଳ ସେତିକି ନୁହେଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ.ଭି. ରମନ୍ନା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିଛନ୍ତି ବିଶ୍ୱଭୂଷଣ । ଯାହାକୁ ନେଇ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆନ୍ଧ୍ରର ରାଜ୍ୟପାଳ ନିଯୁକ୍ତ ହେବା ପୂର୍ବରୁ ଠିକ୍ ସମାନ ଢଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ନିଜ ରଚିତ ପୁସ୍ତକ ‘ସଂଗ୍ରାମ ସରିନାହିଁ‘ ଉପହାର ଦେଇଥିଲେ ଏହି ବର୍ଷିଆନ ରାଜନେତା । ଏବେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ତାଙ୍କର ଏହି ସାକ୍ଷାତ ଆଲୋଚନା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ଦେଶର ୧୭ଟି ରାଜ୍ୟ ଏବେ ବିଜେପି ଦଖଲରେ ଥିଲେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଭୋଟ ପାଇଁ ଏହା ଯଥେଷ୍ଟ ନୁହେଁ । ସେପଟେ ବିଜେପି ବିରୁଦ୍ଧରେ ପ୍ରାର୍ଥୀ ଦେବା ପାଇଁ ସମସ୍ତ ମୋଦି ବିରୋଧୀ ଦଳ ଏବେଠାରୁ ରଣନୀତି କରିବା ଆରମ୍ଭ କରିଦେଲେଣି ।

ଏମିତି ପରିସ୍ଥିତିରେ ନିଜ ପ୍ରାର୍ଥୀଙ୍କୁ ଦେଶର ସର୍ବୋଚ୍ଚ ପଦରେ ବସାଇବା ପାଇଁ ବିଜେପିକୁ ଗୋଟିଏ ଦୁଇଟି ଆଂଚଳିକ ଦଳର ସମର୍ଥନ ଆବଶ୍ୟକ ପଡିବ । ତେଣୁ କୁହାଯାଉଛି ଓଡିଶା ବିଜେପିର ଏହି ନେତାଙ୍କୁ ର୍ପାର୍ଥୀ କଲେ ଉଭୟ ନବୀନ ଓ ଜଗନ ଦଳକୁ ସହଯୋଗ ଦେବାରେ କୈାଣସି ଆପତି ରହିବ ନାହିଁ ।

ଓଡିଶାରୁ ଏପର୍ଯ୍ୟନ୍ତ କୈାଣସି ବ୍ୟକ୍ତି ରାଷ୍ଟ୍ରପତି ପଦରେ ବସି ନାହାନ୍ତି । ଆଉ ଏବେ ଓଡିଶାରୁ ବିଶ୍ୱଭୂଷଣଙ୍କ ସହ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୈାପଦୀ ମୂର୍ମୂଙ୍କ ନାମକୁ ନେଇ ଜାତୀୟ ଗରମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଯାଇଛି । ତେଣୁ ପୂର୍ବ ଭାରତର ବିକାଶରେ ଦେଶର ବିକାଶ କଥା କହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭୂଭାଗରୁ ପ୍ରାର୍ଥୀ ଚୟନ କରି ମାଷ୍ଟର ଷ୍ଟ୍ରୋକ୍ ଖେଳିପାରନ୍ତି ବୋଲି କୁହାଯାଉଛି