ରାଜଧାନୀ ରାସ୍ତାରେ ରକ୍ତ ଚରିତ୍ର ଗ୍ୟାଙ୍ଗର ଆତଙ୍କ । ରାତି ୩ଟାରେ ଭିଡ଼ିଓ କରି କଲେ ଭାଇରାଲ, ୪ ଛାତ୍ରଙ୍କ ନାଁରେ ମାମଲା ରୁଜୁ, ଲାଗିଲା ସଙ୍ଗୀନ ଦଫା ।

266

କନକ ବ୍ୟୁରୋ : ରାସ୍ତା ଉପରେ ଉତ୍ପାତ କଲେ, ଆଉ ଭିିଡିଓ ଭାଇରାଲ୍ କଲେ । ଯୁବପିଢିଙ୍କୁ ରିଲସ୍ କରିବାର ନିଶା ଏମିତି ଘାରିଛି ଯେ ଦିନରାତି ସବୁ ଏକ କରିଦେଉଛନ୍ତି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଆଉଏକ ଭିଡିଓ ଅର୍ଥାତ୍ ରକ୍ତ ଚରିତ୍ର ପାର୍ଟ-୨ । ରାତି ୩ଟା ୮ ମିନିଟରେ ଏହି ଭିଡିଓକୁ ସୁଟ୍ କରି ଅତି ବାହାଦୁରୀର ସହିତ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି କିଛି ଯୁବକ ।

ଏବେ ଆଉ ଖଣ୍ଡଗିରି ରାସ୍ତା ନୁହେଁ ବରଂ ସହର ଭିତରେ ଅର୍ଥାତ ନନ୍ଦନକାନନ ରାସ୍ତାରେ ଉତ୍ପାତ କରୁଛନ୍ତି ଯୁବକ । ରକ୍ତଚରିତ୍ର ପାର୍ଟ-୨ ଭିଡିଓରେ ରହିଛି ଏହି ଛାତ୍ରମାନଙ୍କ ଆଉ ଏକ କାରନାମାର ଭିଡିଓ । ଗୋଟିଏ ଗାଡି ଭିତରୁ ମୋବାଇଲରେ ଭିଡିଓ ସୁଟିଂ ଚାଲିଛି , ଆଉ ଗୋଟିଏ ଗାଡିର ଡୋର ଉପରେ ବସି ଫିଲ୍ମ ଷ୍ଟାଇଲରେ ରିଲସ ବନାଉଛନ୍ତି ଏହି ଯୁବକ । ଆଉ ରାତି ୩ଟା ୮ମିନିଟରେ ଏହି ଭିଡିଓକୁ ସୁଟ୍ କରି ଅତି ବାହାଦୁରୀର ସହିତ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ଦେଖିଲେ ଲାଗୁଛି ଯେମିତି ଏମାନଙ୍କର ପୁଲିସ ପ୍ରତି ଯେମିତି ଡରଭୟ ନାହିଁ ।

ରକ୍ତ ଚରିତ୍ର ଗ୍ୟାଙ୍ଗ ନାଁରେ ରୁଜୁ ହେଲା ମାମଲା । ଲାଗିଲା ସଙ୍ଗୀନ ଦଫା । ଏକ ଘରୋଇ ଇଂଜିନିୟରିଂ କଲେଜର ୪ଜଣ ଛାତ୍ରଙ୍କ ନାଁରେ ମାମଲା ରୁଜୁ କରିଛି ଖଣ୍ଡଗିରି ଥାନା ପୁଲିସ । ଆଭାସ ପଟ୍ଟନାୟକ, ଅମ୍ଲାନ ମହାନ୍ତି, ରବୀନ ଓ ପ୍ରବୀଣଙ୍କୁ ଏବେ ପୁଲିସ ଖୋଜିବା ଆରମ୍ଭ କରିଛି । ଏଫଆଇଆରରେ ଥିବା ୪ଜଣ ଯାକ ଛାତ୍ର ସେହି ଗୋଟିଏ କଲେଜର ହୋଇଥିଲେ ମଧ୍ୟ ଅପରାଧୀ ଭଳି ବ୍ୟବହାର କରୁଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ଅସଭ୍ୟଙ୍କ ଭଳି ଗାଳିଗୁଲଜ କରିବା ସହିତ କିଛି ଯୁବକଙ୍କ ସହାୟତାରେ ମାରପିଟ କରିବା ସହିତ ଟିକଟିକ କରି କାଟି ପଲିଥିନରେ ପୁରାଇ ନିଜ ଗାଁକୁ ପଠାଇଦେବାକୁ ଧମକ ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି
-ରାଜଧାନୀ ଛାତିରେ ରାଜ କଲେଣି କି ଅପରାଧୀ?
-୩ଟା ରାତିରେ ଇଏ କି ଦୃଶ୍ୟ?
-କୁଆଡେ ଗଲା ପୁଲିସର ରାତ୍ରୀକାଳୀନ ପାଟ୍ରୋଲିଂ?
-ଏହି ଆତଙ୍କୀଙ୍କ ପଛରେ କିଏ?