ଚିନ୍ତା ବଢାଇଲା ଆମିକସ କ୍ୟୁରିଙ୍କ ରିପୋର୍ଟ। ଅସୁରକ୍ଷିତ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ।

88

କନକ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନକୁ ନେଇ ହାଇକୋର୍ଟରେ ଆମିକସକ୍ୟୁରି ରିପୋର୍ଟ ଦାଖଲ କରିଛନ୍ତି । ଯେଉଁଥିରେ ନାଟମଣ୍ଡପ ଓ ଜଗମୋହନର ମରାମତି ଜରୁରୀ ବୋଲି ଆମିକସକ୍ୟୁରି ଏନ.କେ ମହାନ୍ତି ଉଲ୍ଲେଖ କରିଛନ୍ତି । ଗତ ସେପ୍ଟେମ୍ବର ୨୦୧୭ରେ ଆମିକସକ୍ୟୁରି ଶ୍ରୀମନ୍ଦିରର ବିଭିନ୍ନ ମରାମତି କାମର ଅନୁଧ୍ୟାନ କରିଥିଲେ । ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ସହିତ ଆଲୋଚନା କରିଥିଲେ । ଆଲୋଚନା ବେଳେ ନାଟମଣ୍ଡପର ଦୁର୍ବଳ ତଥା ଫଟା ବିମ ପ୍ରସଙ୍ଗରେ ମାଡ୍ରାସ ଆଇଆଇଟି ରିପୋର୍ଟକୁ ଉପସ୍ଥାପନ କରିଥିଲେ ଏଏସଆଇ ଭୁବନେଶ୍ୱର ସର୍କଲର ମୁଖ୍ୟ ଅରୁଣ ମଲ୍ଲିକ । ଫଟା ବିମର ଜରୁରୀ ସଂରକ୍ଷଣ ଓ ମରାମତି ଆବଶ୍ୟକ ବୋଲି ଉଲ୍ଲେଖ କରାଯାଇଥିଲେ ମଧ୍ୟ ଅଗଷ୍ଟ ୨୦୧୮ରୁ ଏହି କାମ ବାକି ରହିଥିବା କୋର୍ଟଙ୍କୁ ଜଣାଇଛନ୍ତି ଆମିକସକ୍ୟୁରି ।

ଜଗମୋହନ ଭିତର ଅଂଶ ମରାମତି ପରେ ବାହାର ଛାତ ଗଡାଣିର ସଂରକ୍ଷଣ କରିବା ପାଇଁ ଏଏସଆଇ ଦ୍ୱାରା ଗଠିତ କୋର କମିଟି ପୂୂର୍ବରୁ ପରାମର୍ଶ ଦେଇଥିଲା । ଜଗମୋହନ ପିଢର ପ୍ରଥମ ଏବଂ ଦ୍ୱିତୀୟ ସ୍ତରରେ ଫାଟ ସୃଷ୍ଟି ହେବା ସହ ପଥର ଛାଡିଯାଇଛି । ଏହିସବୁ ଦୁର୍ବଳ ସ୍ଥାନ ଜଗମୋହନର ପୂର୍ବ ଓ ଦକ୍ଷିଣ କୋଣରେ ରହିଥିବା ବେଳେ ନାଟମଣ୍ଡପର ଛାତ ଉପରୁ ଦେଖାଯାଉଛି । ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ଅନେକ ଥର ଆଲୋଚନା କରାଯାଇଛିା ଆଉ ଏବେ ଏହାର ମରାମତି କାମ ଆରମ୍ଭ କରିଛି ଏଏସଆଇ ।

୨୦୧୯, ଡିସେମ୍ବର ୨୩ରେ ଏଏସଆଇ ହାଇକୋର୍ଟରେ ଦର୍ଶାଇଥିଲା ଯେ ନାଟମଣ୍ଡପ ଓ ଅନ୍ୟାନ୍ୟ ମରାମତି ଓ ସଂରକ୍ଷଣ କାର୍ଯ୍ୟ ଚାରି ମାସ ଭିତରେ ଶେଷ ହେବ । ଏବେ ତିନି ବର୍ଷ ବିତିଛି । କିନ୍ତୁ ଏବେ ବି ପୂର୍ବ ସ୍ଥିତି ରହିଛି । ଅର୍ଥାତ୍ ହାଇକୋର୍ଟରେ ଏଏସ୍ଆଇ ଯେଉଁ ପ୍ରତିଶ୍ରୁତି ରଖିଥିଲା, ତାହା ପାଳନ କରି ନଥିବା ଆମିକସକ୍ୟୁରି କହିଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ତଦାରଖ କରିବା ଆବଶ୍ୟକ । ତେଣୁ ନିୟମିତ ବ୍ୟବଧାନରେ ହାଇକୋର୍ଟ ମରାମତି ଓ ସଂରକ୍ଷଣ କାର୍ଯ୍ୟର ତଦାରଖ କରିବା ଦରକାର ବୋଲି ଆମିକସକ୍ୟୁରି କହିଛନ୍ତି । ଏହାରି ଭିତରେ ଜଗମୋହନ ଓ ନାଟମଣ୍ଡପର ମରାମତି ଓ ସଂରକ୍ଷଣ କାର୍ଯ୍ୟ ୨୦୨୩, ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ଏଏସଆଇ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛି ।