ରାଜନୀତିରେ ଏୟାର୍ ଷ୍ଟ୍ରାଇକ୍ ପ୍ରଭାବ ! ମୋଦିଙ୍କ କଡ଼ା ଆଭିମୁଖ୍ୟକୁ ଦେଶବାସୀଙ୍କ ଉଚ୍ଚପ୍ରଶଂସା, ବିରୋଧୀଙ୍କ ପାଇଁ ବଢ଼ିଲା ରଣନୀତି ପରିବର୍ତ୍ତନର ଚାପ  ।

204

କନକ ବ୍ୟୁରୋ : ପାକ୍ ମାଟିରେ ପ୍ରତିଶୋଧ ନେଇଛି ଭାରତ । ସେପଟେ ରାଜନୀତି ନିର୍ବିଶେଷରେ ସବୁ ଦଳ ଓ ସବୁ ନେତା ଏହାକୁ ଉଚ୍ଚପ୍ରଶଂସା କରିଥିବା ବେଳେ ସର୍ଜିକାଲ ଷ୍ଟ୍ରାଇକକୁ ନେତାଙ୍କ ସମାଲୋଚନା ଭଳି ପୂର୍ବ ସ୍ଥିତି ଦେଖିବାକୁ ମିଳିନାହିଁ  । ଅନ୍ୟପଟେ ଏହାଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ରବାଦୀ ଛବି ଆହୁରି ପ୍ରଖର ହୋଇଥିବା ଓ ଏହାର ଲାଭ ୨୦୧୯ ନିର୍ବାଚନରେ ସିଧାସଳଖ ବିଜେପିକୁ ମିଳିବା କୁହାଯାଉଛି  । ଏୟାର୍ ଷ୍ଟ୍ରାଇକର ପ୍ରଭାବ ଯଦି ଅଧିକ ଦିନ ରହେ ତେବେ କଂଗ୍ରେସ ପଛରେ ପଡ଼ିବା କୁହାଯାଉଛି  ।

ରାଜନୀତିରେ ‘ଏୟାର୍ ଷ୍ଟ୍ରାଇକ୍’ ପ୍ରଭାବ । ପ୍ରଖର ହେଉଛି କି ମୋଦିଙ୍କ ରାଷ୍ଟ୍ରବାଦୀ ଛବି ? ପାକିସ୍ତାନ ମାଟିରେ ପଶି ପୁଲୱାମା ଘଟଣାର ଭୟଙ୍କର ପ୍ରତିଶୋଧ ନେଇଛି ଭାରତ । ସେପଟେ ଗତ ସାଢ଼େ ୪ବର୍ଷ ମଧ୍ୟରେ ମୋଦିଙ୍କ ରିପୋର୍ଟ କାର୍ଡ ନେଇ ତିଆରି ହୋଇଥିବା ମାହୋଲ୍ କ୍ରମେ ବଦଳିବାରେ ଲାଗିଛି । ଏୟାର୍ ଷ୍ଟ୍ରାଇକ୍ ପରେ ମୋଦିଙ୍କ ରାଷ୍ଟ୍ରବାଦୀ ଛବି ଆହୁରି ପ୍ରଖର ହୋଇ ସାମ୍ନାକୁ ଆସିଥିବାର ଚର୍ଚ୍ଚା ବଢ଼ିବାରେ ଲାଗିଛି । ସେପଟେ ତମାମ୍ ଘଟଣାରେ ମୋଦିଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ୨୦୧୯ ନିର୍ବାଚନରେ ବିଜେପିକୁ ଆଗରେ ରଖିବାର ସମ୍ଭାବନା ସୃଷ୍ଟି କରିଛି  । ଏୟାର୍ ଷ୍ଟ୍ରାଇକର ପ୍ରଭାବ ଯଦି ଅଧିକ ଦିନ ରହେ ତେବେ ୨୦୧୯ ନିର୍ବାଚନକୁ ଏହା ପ୍ରଭାବିତ କରିବା କୁହାଯାଉଛି ।

ଡିସେମ୍ବର ୧୧ ତାରିଖ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ନିଯୁକ୍ତି ଓ ଚାଷୀ ପ୍ରସଙ୍ଗରେ ବିଜେପିକୁ ଘେରିଥିଲା କଂଗ୍ରେସ ଓ ଏହା ଲାଭଦାୟକ ମଧ୍ୟ ହୋଇଥିଲା । ଏହାପରେ ଫେବୃଆରୀ ୧୪ ପୁଲୱାମା ହମଲା ପରେ ଦଳ ଜନତାର ମୁଡ୍ ପରଖିବାକୁ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲା । ଏପରିକି ଦଳ ଟ୍ରମ୍ପ୍ କାର୍ଡ ଭାବେ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଟାଣିଥିଲା ରାଜନୀତିକୁ । ତେବେ ବାୟୁସେନାର ଏୟାର୍ ଷ୍ଟ୍ରାଇକ୍ ରାଜନୈତିକ ମାହୋଲକୁ ବି ପ୍ରଭାବିତ କରିଛି  । ଏୟାର୍ ଷ୍ଟ୍ରାଇକ୍ ଉପରେ କୌଣସି ରାଜନୈତିକ ବୟାନବାଜୀ ନ କରିବାକୁ ପୂର୍ବରୁ ଦଳୀୟ ନେତାଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି କଂଗ୍ରେସ । ସେପଟେ ହମଲା ପରେ ପ୍ରଖର ହେବାରେ ଲାଗିଛି ବିଜେପିର ରାଷ୍ଟ୍ରବାଦୀ ଛବି । ଏଭଳି ସ୍ଥିତିରେ ମୋଦି ବିରୋଧୀଙ୍କୁ ରଣନୀତି ବଦଳାଇବାକୁ ପଡ଼ିବ ବୋଲି ରାଜନୈତିକ ମାହୋଲରେ ଚର୍ଚ୍ଚା ସୃଷ୍ଟି ହୋଇଛି  ।