ପାକିସ୍ତାନ ପଠାଇଥିଲା ଯୁଦ୍ଧ ବିମାନ, ଆକାଶପଥରେ ଖସାଇଦେଲା ଭାରତୀୟ ବାୟୁସେନା । ପଣ୍ଡ ହେଲା ଆକ୍ରମଣ ଉଦ୍ୟମ, ଜଣେ ପାଇଲଟ ନିଖୋଜ!

126

କନକ ବ୍ୟୁରୋ : ପୁଲୱାମା ହମଲା ପରେ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର କ୍ୟାମ୍ପକୁ ଭାରତୀୟ ବାୟୁ ସେନା ଉଡାଇ ଦେବା ପରେ ବିଚଳିତ ହୋଇପଡିଛି ପାକିସ୍ତାନ । ଆଜି ଏଲଓସି ଅତିକ୍ରମ କରି ପଶି ଆସିଥିଲା ପାକିସ୍ତାନ ଯୁଦ୍ଧ ବିମାନ । ଟାର୍ଗେଟରେ ଥିଲା ଭାରତର ମିଲିଟାରୀ ପ୍ରତିଷ୍ଠାନ । ହେଲେ ବାୟୁ ସେନାର ତ୍ୱରିତ ପଦକ୍ଷେପ ଯୋଗୁଁ ଫେଲ୍ ମାରିଥିଲା ପାକିସ୍ତାନର ଯୋଜନା । ପାକିସ୍ତାନର ଯୁଦ୍ଧ ବିମାନକୁ ତଳକୁ ଖସାଇ ଦିଆଯାଇଥିଲା । ହେଲେ ଭାରତକୁ ହରାଇବାକୁ ପଡ଼ିଛି ଗୋଟିଏ ମିଗ୍-୨୧ ବିମାନ । ଆକାଶରେ ଚାଲିଥିବା ଏହି ମୁକାବିଲାରେ ଜଣେ ପାଇଲଟ୍ ନିଖୋଜ ଥିବା ସ୍ୱୀକାର କରିଛି ବୈଦେଶିକ ମନ୍ତ୍ରାଳୟ । ତେବେ ପାକିସ୍ତାନ ଦାବି କରିଛି ସଂପୃକ୍ତ ପାଇଲଟକୁ ଗିରଫ କରାଯାଇଛି । ଯାହାର ସତ୍ୟାସତ୍ୟକୁ ଯାଞ୍ଚ କରୁଛି ଭାରତ ।

ଆଜି ସକାଳେ ଭାରତ ଆକାଶରେ ଦେଖିବାକୁ ମିଳିଥିଲା ଏଭଳି ଏକ ଦୃଶ୍ୟ ଯେଉଁଥିରେ ଭାରତର ମିଲିଟାରୀ ବେସକୁ ଟାର୍ଗେଟ କରିବା ପାଇଁ ଉଦ୍ୟମ କରୁଥିଲା ପାକିସ୍ତାନର ଲଢ଼ୁଆ ବିମାନ । ତେବେ ଏହି ବିମାନ ଠାବ ହେବା ପରେ ଆକ୍ସନ୍ ମୋଡକୁ ଆସିଯାଇଥିଲା ଇଣ୍ଡିଆନ୍ ଏୟାର ଫୋର୍ସ । ପୂର୍ବରୁ ପ୍ରସ୍ତୁତ ଓ ସଜାଗ ରହିଥିବା ମିଗ୍-୨୧ ସାଙ୍ଗେ ସାଙ୍ଗେ ପିଛା କରିଥିଲା । ଚାରପଟୁ ଘେରିଯିବାରୁ ଖସିଯିବାର ବାଟ ପାଇନଥିଲା ପାକ୍ ଏୟାରକ୍ରାଫ୍ଟ । ଭାରତର ଲଢୁଆ ବିମାନ ମିଗ୍-୨୧ର ଆକ୍ରମଣକୁ ସାମନା କରିପାରିନଥିଲା । ମିଗ୍-୨୧ର ଘନ ଘନ ଆକ୍ରମଣରେ ପିଓକେରେ ତଳକୁ ଖସି ପଡିଥିଲା ପାକିସ୍ତାନର ଯୁଦ୍ଧ ବିମାନ । ତେବେ ଏହି ଲଢ଼େଇରେ ଦୁର୍ଭାଗ୍ୟବଶତଃ ଭାରତକୁ ଗୋଟିଏ ମିଗ୍-୨୧ ବିମାନ ହରାଇବାକୁ ପଡିଥିଲା । ପାକିସ୍ତାନ ଏୟାରକ୍ରାଫ୍ଟ ସହ ଲଢ଼େଇରେ ଜଣେ ଭାରତୀୟ ପାଇଲଟ୍ ନିଖୋଜ ହୋଇଯାଇଥିଲେ । ପାକିସ୍ତାନ ଦାବି କରିଛି ତା’ କଷ୍ଟୋଡିରେ ରହିଛନ୍ତି ଏହି ନିଖୋଜ ପାଇଲଟ୍ । ଏନେଇ ବିଦେଶ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, ‘ଲଢ଼େଇରେ ଆମେ ଦୁଭାର୍ଗ୍ୟବଶତଃ ଗୋଟିଏ ମିଗ୍-୨୧ ଲଢ଼ୁଆ ବିମାନ ହରାଇଛୁ । ଏହି ମୁକାବିଲାରେ ଜଣେ ପାଇଲଟ୍ ନିଖୋଜ ଅଛନ୍ତି । ପାକିସ୍ତାନ ଦାବି କରିଛି, ପାଇଲଟକୁ ସେମାନେ କଷ୍ଟୋଡିକୁ ନେଇଛନ୍ତି । ଏହାର ଯାଂଚ କରାଯାଉଛି ।’

ବାଲାକୋଟରେ ଥିବା ଜୈସ ମହମ୍ମଦର ସବୁଠୁ ବଡ ଶିବିରକୁ ଭାରତୀୟ ବାୟୁସେନା ଧ୍ୱଂସ କରିଦେବା ପରେ ବିଚଳିତ ହୋଇ ପଡିଛି ପାକିସ୍ତାନ । ବୁଧବାର ସକାଳେ ପ୍ରତିଶୋଧ ପରାୟଣ ହୋଇ ଭାରତର ମିଲିଟାରୀ ବେସକୁ ଟାର୍ଗେଟ କରିଥିଲା ପାକିସ୍ତାନ ଏୟାର ଫୋର୍ସ । ତେବେ ସଜାଗ ରହିଥିବା ଭାରତୀୟ ବାୟୁ ସେନାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପଣ୍ଡ ହୋଇଯାଇଛି ପାକିସ୍ତାନର ଯୋଜନା । ନିଖୋଜ ହୋଇଥିବା ପାଇଲଟ୍ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଏନେଇ କୌଣସି ଭାରତ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।