ଦିବ୍ୟାଙ୍ଗଙ୍କୁ ଯୌନ ନିର୍ଯାତନା ମାମଲା । ଆସିଲା ଯୌନ ଶୋଷଣର ସାଂଘାତିକ ଅଭିଯୋଗ । ସୁରେଶ ଫେରାର, ବନ୍ଧା ହେଲେ ମଧୁମଂଜରୀ ଧଳ

328

କନକ ବ୍ୟୁରୋ: ଏୟାରପୋର୍ଟ ଥାନାରୁ ମହିଳା ଅଭିଯୁକ୍ତକୁ ଘୋଷାଡି ଘୋଷାଡି ନେଲା ପୋଲିସ । ମହିଳା ଜଣକ ଏଭଳି କିଛି କାମ କରିଛନ୍ତି ଯେଉଁଥିପାଇଁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳା ଜଣଙ୍କ ହେଉଛନ୍ତି ନିଖିଳ ଉକ୍ରଳ ଶାରିରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ଫେରାର ସମ୍ପାଦକ ସୁରେଶ ବେହେରାଙ୍କ ସହଯୋଗୀ ମଧୁମଂଜରୀ ଧଳ ।

ଉଭୟ ମିଶି ଭିନ୍ନକ୍ଷମ ମହିଳାଙ୍କୁ ଯୌନ ନିର୍ଯାତନା ସହ ଯୌନଶୋଷଣରେ ଲିପ୍ତ ହେବା ପାଇଁ ବାଧ୍ୟ କରୁଥିବାର ସାଂଘାତିକ ଅଭିଯୋଗ ଆସିଛି । ଏହାପରେ ଏହି ଘଟଣାରେ ସୁରେଶ ଫେରାର ଥିବା ବେଳେ ତାର ସହଯୋଗୀ ମଧୁକୁ ବାନ୍ଧିଛି ଏୟାରପୋର୍ଟ ଥାନା ପୋଲିସ । ଏହି ମହିଳାଙ୍କ ବିରୋଧରେ ଲାଗିଛି ସଙ୍ଗିନ ଓ ସାଂଘାତିକ ଦଫା । ଆଇପିସିର ଦଫା ୩୪୧-କାହାକୁ ଅଟକାଇବା, ୨୯୪-ଗାଳିଗୁଲଜ, ୩୫୪-ଅସଦାଚରଣ , ୫୦୬-ହତ୍ୟା ଧମକ, ୫୦୯-ଅଶ୍ଲିଳ ଇଙ୍ଗିତ, ୧୦୯-ସନ୍ଦେହପୂର୍ଣ୍ଣ କାର୍ଯ୍ୟକଳାପ, ୧୨୦-ବି -ଅପରାଧିକ ଷଡଯନ୍ତ୍ର ଦଫାରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ତେବେ ସୁରେଶ ଗଲା କୁଆଡେ ତାର ଖୋଜ ଖବର ପାଉନି ପୋଲିସ । ମୁଖ୍ୟ ସହେଯାଗୀକୁ ଗିରଫ କରିବା ଏବଂ ଥାନାରେ ମାଳ ମାଳ ଅଭିଯୋଗ ଆସିବା ପରେ ଏବେ ସୁରେଶକୁ ଧରିବା ପୋଲିସ ପାଇଁ ଚ୍ୟାଲେଂଜ ହୋଇଛି । ନୂଆପଡା ସିନାପାଲ୍ଲୀ ଅଂଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ଏହି ଅନୁଷ୍ଠାନରେ ବିୟୁଟି ପାର୍ଲର ଇନଷ୍ଟ୍ରକଟର ପଦରେ ଚାକିରି କରିଥିଲେ । ତତକାଳୀନ ସମ୍ପାଦକ ସୁରେଶ ବେହେରା ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ।