ବିନା ଗାନ୍ଧୀରେ କଂଗ୍ରେସକୁ ମିଳିବ ମୁଖିଆ । ନିର୍ବାଚନ ମଇଦାନରେ ଶଶି ଥରୁର ବନାମ ମଲ୍ଲିକାର୍ଜୁନ ଖଡଗେ ।

71

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ହେବ ଜୋରଦାର ଟକ୍କର । ଦୁଇ ପ୍ରଭାବଶାଳୀ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ହେବାକୁ ଯାଉଛି ଲଢେଇ । ଝାଡଖଣ୍ଡ ନେତା କେ ଏନ୍ ତ୍ରିପାଠୀଙ୍କ ନାମାଙ୍କନ ରଦ୍ଦ ହେବା ପରେ ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁର ହେବେ ମୁହାଁମୁହିଁ । ଆସନ୍ତା ୧୭ରେ ହେବ କଂଗ୍ରେସ ପ୍ରେସିଡେଣ୍ଟ ଇଲେକ୍ସନ ।

  • କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ମୈଦାନ ପ୍ରସ୍ତୁତ
  • ମଲ୍ଲିକାର୍ଜୁନ ଖଡ଼ଗେ ବନାମ ଶଶୀ ଥରୁର

ଏଥର ଜଣେ ଅଣଗାନ୍ଧୀ ପାଲଟିବେ କଂଗ୍ରେସ ଅଧ୍ୟକ୍ଷ  । ରାଜସ୍ଥାନ ଡ୍ରାମା, ଗେହଲଟଙ୍କୁ ନେଇ ଅନିଶ୍ଚିତତାର ପର୍ବ ପରେ ଏବେ ପ୍ରସ୍ତୁତ ହୋଇଯାଇଛି ମୈଦାନ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ହେବ ଦ୍ୱିପାକ୍ଷିକ ଲଢ଼େଇ । ମୈଦାନରେ ଏବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ  । ମଲ୍ଲିକାର୍ଜୁନ ଖଡ଼ଗେ ବନାମ ଶଶୀ ଥରୁର । କାରଣ ଝାଡ଼ଖଣ୍ଡର କଂଗ୍ରେସ ନେତା କେଏନ ତ୍ରିପାଠୀଙ୍କ ନାମାଙ୍କନ ରଦ୍ଦ ହୋଇଯାଇଛି । କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ତ୍ରିପାଠୀ ଦୌଡ଼ରୁ ବିଦା ହେବା ପରେ ଏବେ ଥରୁର ଓ ଖଡ଼ଗେଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବ । ତେବେ ବର୍ତମାନର ସ୍ଥିତି ଦେଖିଲେ ଖଡ଼ଗେଙ୍କ ପଲ୍ଲା ଭାରି ରହିଛି । ତାଙ୍କ ନାମାଙ୍କନ ବେଳେ କଂଗ୍ରେସର ପ୍ରାୟ ସବୁ ବଡ଼ ନେତାଙ୍କୁ ଦେଖିବାକୁ ମିଳିଥିଲା । ଏହାସହ ଖଡ଼ଗେଙ୍କ ପଛରେ ଉଭୟ ସୋନିଆ ଓ ରାହୁଲଙ୍କ ସମର୍ଥନ ଥିବା କୁହାଯାଉଛି ।

ତେବେ ଏତେ ସହଜରେ ହାର ମାନିଯିବାକୁ ଥରୁର ମଧ୍ୟ ପ୍ରସ୍ତୁତ ନୁହଁନ୍ତି । ନିଜର ବାକଚାତୁରୀ ପାଇଁ ବେଶ୍ ପ୍ରସିଦ୍ଧ ଥରୁର କହିଛନ୍ତି ଯେ, ଯଦି ଦଳର ବର୍ତ୍ତମାନର ସ୍ଥିତି ନେଇ କଂଗ୍ରେସ କର୍ମୀମାନେ ସନ୍ତୁଷ୍ଟ ଅଛନ୍ତି, ତାହେଲେ  ଖଡ଼ଗେଙ୍କ ସପକ୍ଷରେ ଭୋଟ୍ ଦିଅନ୍ତୁ, ହେଲେ ଯଦି ପରିବର୍ତ୍ତନ ଚାହାନ୍ତି, ତାହେଲେ ତାଙ୍କ ସପକ୍ଷରେ ମତ ଯିବା ଉଚିତ ବୋଲି ଥରୁର କହିଛନ୍ତି । ତେବେ ଏଥିରେ ବିଚାରଧାରାର କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ଶଶୀ ଥରୁର । ସେପଟେ ବିଜେପି କହିଛି ଯେ, ଯିଏ ବି କଂଗ୍ରେସ ଅଧ୍ୟକ୍ଷ ହେବ, ଗାନ୍ଧୀ ପରିବାରର ହାତରେ କଣ୍ଢେଇ ସାଜିବ ।

ଅକ୍ଟୋବର ୮ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । କିଛି କଂଗ୍ରେସ ନେତା ନାମାଙ୍କନ ପ୍ରତ୍ୟାହାର ପାଇଁ ଥରୁରଙ୍କୁ ଅପିଲ କରିଛନ୍ତି । ଯଦି ଥରୁର ନାମାଙ୍କନ ପ୍ରତ୍ୟାହାର ନକରନ୍ତି ତା ହେଲେ ଅକ୍ଟୋବର ୧୭ରେ ନିର୍ବାଚନ ହେବ । ଅନ୍ୟପଟେ ରାଜ୍ୟସଭାରେ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ମଲ୍ଲିକାର୍ଜୁନ ଖାଡ଼ଗେ । ଏବେ ଦିଗବିଜୟ ସିଂ କିମ୍ବା ପି ଚିଦାମ୍ବରମଙ୍କୁ ଏହି ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଛି ।