ମୃତ୍ୟୁ ମୁହଁରୁ ବଞ୍ଚାଇ ଦେଲା ମୋବାଇଲ । ଗୋଟିଏ ଫୋନ କଲରେ ଫାଶରୁ ଫିଟିଲା ଜୀବନ । ମୃତ୍ୟୁର ଟନେଲରୁ ମୁକୁଳିଲେ ୧୨ ଜଣ ଶ୍ରମିକ ।

239

କନକ ବ୍ୟୁରୋ: ରଖେ ହରି ତ ମାରେ କିଏ ? ଈଶ୍ୱର ଯଦି ତୁମକୁ ବଞ୍ଚାଇ ରଖିବାକୁ ଚାହିଁବେ ତେବେ ମୃତ୍ୟୁ ଯେତେ ଚେଷ୍ଟା କଲେ ସୁଦ୍ଧା ତୁମକୁ ମାରି ପାରିବ ନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ବଞ୍ଚିବାର ସମସ୍ତ ଆଶା ହରାଇ ଦେଇଥିବା ୧୨ଜଣଙ୍କର ବହୁମୂଲ୍ୟ ଜୀବନକୁ ବଞ୍ଚାଇ ଦେଇଛି ଗୋଟିଏ ମୋବାଇଲ ଫୋନ୍‌।

ରବିବାର ଯେତେବେଳେ ଉତ୍ତରପ୍ରଦେଶର ଚାମୋଲିରେ ହିମସ୍ଖଳନ ଫଳରେ ନନ୍ଦା ନଦୀରେ ପ୍ରବଳ ବନ୍ୟା ଆସି ନିର୍ମାଣଧୀନ ତପୋବନ ଜଳବିଦ୍ୟୁତ ପ୍ରକଳ୍ପକୁ ସଂପୂର୍ଣ୍ଣ ରୂପେ ଭସାଇ ନେଲା, ସେତେବେଳେ ସେଠାରେ କାର୍ଯ୍ୟରତ ଥିବା ୧୨ ଜଣ ଶ୍ରମିକ ଘଟଣା କ’ଣ ବୁଝିବା ପୂର୍ବରୁ ବନ୍ୟାଜଳରେ ଭାସିଯାଇ ଗୋଟିଏ ଭୂତଳ ଟନେଲ ମଧ୍ୟରେ ବନ୍ଦୀ ହୋଇ ରହି ଯାଇଥିଲେ। ଟନେଲ ଭିତରେ ବନ୍ୟାଜଳ ପଶିଯିବା ସହ ସବୁଆଡ଼ ଘନ ଅନ୍ଧକାରମୟ ହୋଇ ଯାଇଥିଲା। ଟନେଲ ଭିତରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ଯେତେ ଚିତ୍କାର କଲେ ମଧ୍ୟ ସେମାନଙ୍କ ଚିତ୍କାର ବାହାରକୁ ବାହରି ପାରୁନଥିଲା ।

ଏପରିସ୍ଥିତରେ ବଞ୍ଚିବାର ସମସ୍ତ ଆଶା ହରାଇ ସେମାନେ ଯେତେବେଳେ ଈଶ୍ୱରଙ୍କୁ ଡାକୁଥିଲେ ସେତେବେଳେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ମୋବାଇଲ୍‌ ଫୋନ୍‌ ନେଟୱାର୍କ କାମ କରୁଥିବାର ଦେଖିବାକୁ ପାଇଥିଲେ। ପରେ, ଲାଲ ବାହାଦୁର ନାମକ ଶ୍ରମିକ ଜଣକ ତାଙ୍କ ଫୋନରୁ ଫୋନ୍‌ କରି ସେମାନଙ୍କୁ ଟନେଲରୁ ଉଦ୍ଧାର କରିବା ପାଇଁ ଅନ୍ୟ ବନ୍ଧୁଙ୍କୁ କହିଥିଲେ। ସକାଳ ପ୍ରାୟ ୧୦ ଟାରୁ ଅପରାହ୍ନ ୫ ଟା ସେମାନେ ଟନେଲ ମଧ୍ୟରେ ଦୀର୍ଘ ସାତ ଘଣ୍ଟା ଧରି ଅଟକି ରହବା ପରେ ଏହି ଘଟଣା ସଂପର୍କରେ ଖବର ମିଳିଥିଲା ଆଇଟିବିପିକୁ।

ଖବର ପାଇବା ମାତ୍ରେ ଆଇଟିବିପି ଦ୍ୱାରା ଆରମ୍ଭ ହୋଇଯାଇଥିଲା ଉଦ୍ଧାର କାର୍ଯ୍ୟ। ଆଇଟିବିପିର କର୍ମୀମାନେ ନିଜ ଜୀବନକୁ ପାଣି ଛଡ଼ାଇ ନନ୍ଦା ନଦୀର ପ୍ରଖର ସ୍ରୋତ ମଧ୍ୟକୁ ପ୍ରବେଶ କରିଥିଲେ। ଏବଂ ଦୀର୍ଘ ୪ ଘଣ୍ଟାର ଅପରେସନ ପରେ ଭୂପୃଷ୍ଠରୁ ୩୦୦ ମିଟର ତଳେ ଥିବା ଟନେଲ ମଧ୍ୟରୁ ସମସ୍ତ ୧୨ ଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରିଥିଲେ। ଉଦ୍ଧାର କରାଯିବା ପରେ ଏହି ୧୨ ଜଣ ଶ୍ରମିକଙ୍କୁ ଏବେ ଘଟଣା ସ୍ଥଳଠାରୁ ପ୍ରାୟ ୨୫ କିଲୋମିଟର ଦୂର ଆଇଟିବିପି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ଟନେଲ ମଧ୍ୟରୁ ଉଦ୍ଧାର ପାଇବା ପରେ ଜଣେ ଶ୍ରମିକ କହିଛନ୍ତି ଯେ ଆଇଟିବିପି ଆମକୁ ନୂତନ ଜୀବନ ଦେଇଛି। ଆମେ ବଞ୍ଚିବାର ସମସ୍ତ ଆଶା ହରାଇ ଦେଇଥିଲୁଟ୍ଟ କିନ୍ତୁ, ତା’ପରେ ଆମେ କିଛି ଲାଇଟ ଦେଖିଲୁ ଏବଂ ନିଶ୍ୱାସ ନେବା ପାଇଁ କିଛି ବାୟୁ ଅନୁଭବ କଲୁ ଟ୍ଟ ହଠାତ୍‌ ଆମ ଭିତରୁ ଜଣେ ତାଙ୍କ ମୋବାଇଲରେ ନେଟୱାର୍କ ଥିବା ଦେଖିଲା ଏବଂ ତା’ପରେ ସେ ଆମ ଜେନେରାଲ୍‌ ମ୍ୟାନେଜରଙ୍କୁ ଡାକି ଆମ ଅବସ୍ଥା ବିଷୟରେ ଜଣାଇଲେ। ଆଉ ତାପରେ ଆମେ ବଞ୍ଚିଗଲୁ. ନୂଆ ଜୀବନ ପାଇଲୁ ।