ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆହୁରି ବିଳମ୍ବ ଘଟିବା ନେଇ ଆଶଙ୍କା । ଏଯାଏଁ ଚିହ୍ନଟ ହୋଇନି ୧୦ ଏକର ଜମି ।

36

କନକ ବ୍ୟୁରୋ : ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆହୁରି ବିଳମ୍ବ ଘଟିବା ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟ ସରକାର ଯୋଗାଇ ଦେଇଥିବା ୧୦ ଏକର ଜମି ଏଯାଏଁ ଚିହ୍ନଟ ହୋଇପାରିନାହିଁ । ଗୋଟିଏ ପଟେ ଶିଳ୍ପାଂଚଳର ଘରୋଇ କମ୍ପାନୀ ଦ୍ୱାରା ଜମି ବେଆଇନ ଦଖଲ ହୋଇନାହିଁ ବୋଲି ତହସିଲଦାର ରିପୋର୍ଟ ଦେବା ପରେ ବର୍ତମାନ ବନ ବିଭାଗ ଉକ୍ତ ଅଂଚଳ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି ବୋଲି ଦାବି କରିଛି ।

ସୂଚନାନୁସାରେ, ରାଜ୍ୟ ସରକାର ଐତିହାସିକ ବରୁଣେଇ ପାହାଡ଼ ତଳେ ୧୦ ଏକର ଜମି ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଜମି ଚିହ୍ନଟ ହେବା ପରେ ୨୦୧୯ ଡିସେମ୍ବର ୮ ତାରିଖରେ ରାଷ୍ଟ୍ରପତି ସେଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କିନ୍ତୁ ପରବର୍ତୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ମାପଚୁପ କରାଯାଇ ୯ ଏକର ୬୮୫ ଡେସିମଲ ଜମି ଚିହ୍ନଟ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଏହି ଚିହ୍ନଟ ସମୟରେ ଜମିର ପ୍ରାୟ ଅଢ଼େଇ ଏକର ଅଂଚଳ ବ୍ରିଟାନିଆ କମ୍ପାନୀ ଓ ଟାଇଟ୍ ଇଂଜିନିୟରିଂ କଲେଜ ଅଧୀନରେ ରହିଥିବା ଜଣାଯାଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ୍ ଦିଆଯାଇଥିଲା । ଗତ ଜାନୁଆରୀ ୧୧ ତାରିଖରେ ଜିଲ୍ଲାପାଳ, ଅତରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଜମି ମାପଚୁପ ହୋଇ ଜମିର ଅଢ଼େଇ ଏକର ନୁହେଁ ୬୦୦-୭୦୦ ଡେସିମଲ ଜମି ଘରୋଇ କମ୍ପାନୀ ଅଧୀନରେ ରହିଥିବା ଜଣାପଡ଼ିଥିଲା । ଏହି ଜମିକୁ ଛାଡ଼ିବା ପାଇଁ ତିନିଦିନିଆ ଚରମପତ୍ର ମଧ୍ୟ ଦିଆଯାଇଥିଲା । ଇତିମଧ୍ୟରେ ବ୍ରିଟାନିଆ କମ୍ପାନୀ ପକ୍ଷରୁ ହାଇକୋର୍ଟରେ ଆଶ୍ରୟ ନିଆଯାଇ ଜମି ଉପରେ ସ୍ଥିତାବସ୍ଥା ଜାରି କରାଯାଇଛି ।

ଅପରପକ୍ଷରେ, ଚଳିତ ମାସ ୫ ତାରିଖରେ ତହସିଲଦାର ଦାଖଲ କରିଥିବା ଦ୍ୱିତୀୟ ରିପୋର୍ଟରେ ଉକ୍ତ ଜମିରେ ବ୍ରିଟାନିଆ କିମ୍ବା ଟାଇଟ୍ ଦ୍ୱାରା କୌଣସି ଜମି ଜବର ଦଖଲ ହୋଇନାହିଁ ବୋଲି ଦର୍ଶାଯାଇଛି । ଏହାପରେ ଜିଲ୍ଲାପାଳ ନିକଟରେ ଥିବା ଗଛ କାଟି, ରାସ୍ତା ସମତଳ କରିବା ଓ ୩୩ କେଭି ବିଦ୍ୟୁତ୍ ତାରର ରାସ୍ତା ବଦଳାଇବା ନେଇ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ବନ ବିଭାଗ ପକ୍ଷରୁ ଯେଉଁ ସ୍ଥାନ ସମତଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ତାହା ବନ ବିଭାଗର ସଂରକ୍ଷିତ ଜଙ୍ଗଲ ଇଲାକାରେ ଥିବା ଦର୍ଶାଯାଇଛି । ଏନେଇ ଜିଲ୍ଲାପାଳ ସନତ କୁମାର ମହାନ୍ତି କହିଛନ୍ତି ଯେ ବନ ବିଭାଗର ଆପତ୍ତି ପରେ ତହସିଲଦାରଙ୍କ ରିପୋର୍ଟ ସହ ବନ ବିଭାଗର ଆପତ୍ତି ମଧ୍ୟ ରାଜ୍ୟ ସଚିବଙ୍କ ନିକଟକୁ ପଠାଇଦେଇଛନ୍ତି । ଡିଏଫ୍ଓଙ୍କୁ ଏନେଇ ଆଲୋଚନା କରିବାକୁ ଡାକିଛନ୍ତି । ଆଲୋଚନା ପରେ ଏନେଇ ଏକ ରାସ୍ତା ବାହାରିବା ସମ୍ଭାବନା ରହିଛି ।