ପାଠପଢା ବୟସରେ ପରିବାରର ବୋଝ । ହାତରେ ବହିବସ୍ତାନୀ ବଦଳରେ ବ୍ୟାଗ ଧରି ଘର ଘର ବୁଲି ଭିକ ମାଗୁଛି କୁନି ପୁଅ । ଭିକ ନମାଗିଲେ ମାଆକୁ ମିଳିବନି ଔଷଧ, ଜଳିବନି ଚୁଲି । ଭୋକ ପାଇଁ ଭିକ ମାଗୁଛି କଅଁଳ କଢି । ସରକାର ଏ ପିଲା କଣ ଏମିତି ଭିକ ମାଗୁଥିବ… ??
କନକ ବ୍ୟୁରୋ: ମା ଗଣ୍ଡେ ଭିକ ଦିଅ… ବାବୁ ଭିକ ଗଣ୍ଡେ ମିଳୁ… ମୋ ମାଆ ଦେହ ଭଲ ନାହିଁ, ସାହାଯ୍ୟ ମିଳିଲେ ଔଷଧ ଆଣିବି… ଭିକ ମିଳିଲେ ମୋ ଭଉଣୀ ଖାଇବ, ଆମ ପରିବାର ଚଳିବ… ଦୟା କର ବାବୁ… ଭିକ ଗଣ୍ଡ ଦିଅ… ଭିକ ଗଣ୍ଡ ଦିଅ…
Kanak News is now on WhatsApp
Join and get latest news updates delivered to you via WhatsApp
ଘରେ ରୋଗୀଣା ମାଆ, ଅସହାୟ ଭଉଣୀ, ଆଉ ଦୁଃଖକୁ କାନେ୍ଧଇଥିବା ଏ କୁନି ପୁଅ । ଭୋକ ଯେବେ ଭୟଙ୍କର ହୁଏ, ସେବେ ଘରର ସୀମା ଡେଇଁ ଭିକ ପାଇଁ ବାହାରିଯାଏ ଏ କଅଁଳ ପାଦ । ପାଠ ପଢା ବସ୍ତାନୀ ବଦଳରେ ହାତରେ ପ୍ଲାଷ୍ଟିକ ବ୍ୟାଗ ଥାଏ ଆଉ ଘର ଘର ବୁଲି ଭିକ ମାଗିଲା ବେଳେ ଏ ପାଠୁଆ ବୟସ ଭୋକ- ଭିକର ଭୁଗୋଳ ପଢେ । କାରଣ ପର ଘରୁ ଭିକ ଆଣିଲେ ପରିବାରର ପେଟ ପୂରିବ, ଭାତ ହାଣ୍ଡି ବସିବ, ଚୁଳି ଜଳିବ ଆଉ ମାଆ ଭଉଣୀଙ୍କ ଭୋକିଲା ପେଟରେ ଫୁଟା ଭାତ ଗଣ୍ଡେ ପଡିବ । ସେଇଥିପାଇଁ ସକାଳେ ହେବା କ୍ଷଣି ଘର ଘର ବୁଲେ ୭ ବର୍ଷର ଏ କୁନି ଶିଶୁ, ଆଉ କହେ ମାଆ ଗଣ୍ଡେ ଭିକ ଦିଅ…
କେନ୍ଦ୍ରାପଡା ଜିଲ୍ଲା ଧୁମାତ ପଞ୍ଚାୟତର ସବିତା ଦାସ । କିଡନି ରୋଗରେ ଆକ୍ରାନ୍ତ ହୋଇ ଘରେ ପଡିଛନ୍ତି । ସ୍ୱାମୀ ଦିବ୍ୟାଙ୍ଗ ଥିବାରୁ ଘର ଚଳାଇ ନପାରି ମାନସିକ ଭାରସାମ୍ୟ ହରାଇ ୯ ବର୍ଷ ତଳେ ଆତ୍ମହତ୍ୟା କରିଥିଲେ । ସେବେଠାରୁ ଦୁଇ ପୁଅ ଓ ଜଣେ ଝିଅକୁ ନେଇ କଷ୍ଟରେ ଘର ଚଳାଉଥିଲେ ସବିତା । ହେଲେ କିଡନିର କବଜାକୁ ଆସିବା ପରେ ଆଉ ଅଳିଚଳି ପାରୁନାହାନ୍ତି ସେ । ତେଣୁ ବାଧ୍ୟ ହୋଇ ପରିବାରର ବୋଝ କାନ୍ଧକୁ ନେଇଛି ଏ କୁନି ପୁଅ, ଆଉ ଘର ଘର ବୁଲି ମାଗୁଛି ଭିକ…
ପର ହାତପତାରୁ ଯାହା ଯେତିକି ମିଳେ ସେତିକିରେ ସମସ୍ତେ ଚଳି ଯାଆନ୍ତି ଆଉ ଯେଉଁଦିନ ନମିଳେ ଉପାସରେ ଶୁଅନ୍ତି । ସବୁଠାରୁ ବଡ କଥା ହେଉଛି ପରିବାର କେହି ମଜବୁତ ଖୁଣ୍ଟ ନଥିବାରୁ ସମସ୍ତେ ସେମାନଙ୍କୁ ଠକି ଦେଉଛନ୍ତି । ବେସାହାର ସବିତାଙ୍କୁ ସରକାରୀ ଯୋଜନାରେ ଇନ୍ଦିରା ଆବାସ ମିଳିଥିଲା ହେଲେ ଠକି ଦେଲା ଠିକାଦାର । ଯାହା ଫଳରେ ଏ ଭଙ୍ଗା କୁଡିଆରେ ଭାଗ୍ୟ ଲେଖୁଛନ୍ତି ଏମାନେ । ଖାଲି ଘର ନୁହେଁ ଅନ୍ତୋଦୟ ଯୋଜନାରେ ବି ଚାଉଳ କମ ମିଳୁଛି । ୩୫ ଯାଗାରେ ୧୫ ଦେଇ ଘଉଡାଇ ଦେଉଛନ୍ତି ରାସନ ଡିଲର ।
ସଂକ୍ରମଣ ବେଳେ ଭୋକର ଭଉଁରୀରୁ ତ ବର୍ତ୍ତିଯିବେ ଥିଲା ବାଲା । ହେଲେ ନଥିଲାବାଲା କେମିତି ବଞ୍ଚିବେ ? ଭୂତାଣୁ ପଛେ ଭୟ ଦେଖାଉ, ହେଲେ ଭୋକ ପାଇଁ ଭିକ ମାଗିବାକୁ ହେବ । କାରଣ ସେମାନେ ଜାଣନ୍ତି ଭୋକର କଷ୍ଟ କେତେ ଭୟଙ୍କର ? ତେବେ କଅଁଳ କଢ଼ିର କଷ୍ଟ ଦାୟକ କାହାଣୀ କେବେ ଶୁଣିବେ ସରକାର, ଆଉ ସରକାରୀ ବ୍ୟବସ୍ଥା କେବେ ତାଙ୍କ କାନ୍ଧରୁ ବ୍ୟାଗ୍ ବଦଳରେ ବସ୍ତାନୀ ଧରାଇବ ତାକୁ ହିଁ ଅପେକ୍ଷା…