ରାଜନୀତିରୁ ରିଜର୍ଭ ବ୍ୟାଙ୍କ । ଦିଲ୍ଲୀ ଦରବାରରେ ବଢୁଛି ଓଡ଼ିଆଙ୍କ ଦବଦବା, ଦେଶର ପାୱାରଫୁଲ ପଦବୀରେ ବସିଛନ୍ତି ଓଡ଼ିଆ ପୁଅ । ଜାଣନ୍ତୁ ସେମାନଙ୍କ ବାବଦରେ କିଛି ।

787

କନକ ବ୍ୟୁରୋ : ମୋଦି ସରକାରରେ ଓଡ଼ିଆଙ୍କ ଦବଦବା । ରାଜନେତାଙ୍କ ଠାରୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ ପର୍ଯ୍ୟନ୍ତ ଦେଶର ଉଚ୍ଚ ପଦପଦବୀରେ ଦେଖିବାକୁ ମିଳୁଛି ଓଡ଼ିଆଙ୍କ ଦବଦବା । ଗତ କିଛି ବର୍ଷ ମଧ୍ୟରେ ପାୱାରଫୁଲ ତାଲିକାରେ ନୂଆ ନୂଆ ନାଁ ଯୋଡି ହୋଇ ଚାଲିଛି । ଆଉ ଯେତେବେଳେ ଓଡ଼ିଆ ଆଇଏଏସ ଅଫିସର ଗିରୀଶ ମୁର୍ମୁଙ୍କୁ ଦେଶର ନୂଆ ସିଏଜି ଭାବେ ନିଯୁକ୍ତ କରାଯାଇଛି ସେତେବେଳେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ନଜର ପକାନ୍ତୁ ସେହି ଓଡ଼ିଆ ବ୍ୟକ୍ତି ବିଶେଷଙ୍କ ଉପରେ ଯେଉଁମାନେ ମୋଦି ସରକାରରେ ଅଧିକ ଚର୍ଚ୍ଚାରେ ରହିବା ସହ ଟପ୍ ପୋଷ୍ଟରେ ରହିଛନ୍ତି ।

ଗିରୀଶ ଚନ୍ଦ୍ର ମୁର୍ମୁ : ଦେଶର ନୂଆ ମହାଲେଖା ନିୟନ୍ତ୍ରକ ବା ସିଏଜି । ପ୍ରଥମ ଓଡ଼ିଆ ଭାବେ ଏହି ସର୍ବୋଚ୍ଚ ପଦରେ ବସିବାକୁ ଯାଉଛନ୍ତି ଗିରୀଶ । ୧୯୮୫ ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ଗିରୀଶ ଏହା ପୂର୍ବରୁ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଜମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇବା ପରେ ଗିରୀଶଙ୍କୁ ଉପରାଜ୍ୟପାଳ ଭାବେ ଗୁରୁଦାୟିତ୍ୱ ଦେଇଥିଲେ ମୋଦି ସରକାର । ଏପରିକି ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରମୁଖ ସଚିବ ଭାବେ କାମ କରିଛନ୍ତି ଗିରୀଶ । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଗିରୀଶଙ୍କୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ।

ପି.କେ ମିଶ୍ର : ୧୯୭୨ ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ପ୍ରମୋଦ କୁମାର ମିଶ୍ର । ସମ୍ବଲପୁରରେ ଜନ୍ମିତ ପ୍ରମୋଦ ଏବେ ଦିଲ୍ଲୀ ଦରବାରରେ ସବୁଠୁ ଚର୍ଚ୍ଚିତ ଚେହେରା । ୨୦୧୯ ସେପ୍ଟେମ୍ବରରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ପି.କେ ମିଶ୍ର । ଏହାପୂର୍ବରୁ ମୋଦି ସରକାରର ପ୍ରଥମ ପାଳିରେ ପିଏମଓରେ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି ପି.କେ । ଏହାଛଡା ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଭିନ୍ନ ଗୁରୁତ୍ୱପୂଣ୍ଣର୍୍ ବିଭାଗରେ କାର୍ଯ୍ୟ କରିଛନ୍ତି ପି.କେ ମିଶ୍ର ।

ଶକ୍ତିକାନ୍ତ ଦାସ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ୨୦୧୮ରେ ଉର୍ଜିତ ପଟେଲ ଆରବିଆଇର ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ଓଡ଼ିଆ ପୁଅ ଶକ୍ତିକାନ୍ତଙ୍କୁ ଏହି ଗୁରୁଦାୟିତ୍ୱ ଦେଇଥିଲେ ମୋଦି ସରକାର । ସେତେବେଳେ ଶକ୍ତିକାନ୍ତଙ୍କୁ ନେଇ ପୂରା ଦେଶରେ ଚର୍ଚ୍ଚା ହୋଇଥିଲା । ୧୯୮୦ ବ୍ୟାଚର ତାମିଲନାଡୁ କ୍ୟାଡରର ଆଇଏଏସ ଶକ୍ତିକାନ୍ତ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇବା ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ : କେବଳ ପ୍ରଶାସନିକ ସ୍ତରରେ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ବଢିଛି ଓଡ଼ିଆଙ୍କ ଦବଦବା । ମୋଦି ସରକାରର ଉଭୟ ପାଳିରେ ସବୁଠୁ ଚର୍ଚ୍ଚିତ ଚେହେରା ସାଜି ଉଭା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କ ଗୁଡବୁକରେ ରହି ଆସିଥିବା ଧର୍ମେନ୍ଦ୍ରଙ୍କୁ ପ୍ରଥମ ପାଳିରେ ମିଳିଥିଲା ପେଟ୍ରୋଲିୟମ ବିଭାଗ ଭଳି ବଡ ଦାୟିତ୍ୱ । ଆଉ ଦ୍ୱିତୀୟ ପାଳିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ସହ ମିଳିଛି ଇସ୍ପାତ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଏହାଛଡା ଅନେକ ସମୟରେ ଦଳର କ୍ରାଇସିସ ମ୍ୟାନେଜର ଭୂମିକାରେ ନଜର ଆସିଥିବା ଧର୍ମେନ୍ଦ୍ରଙ୍କର ଏବେ ପାୱାର କରିଡରରେ କାଟତି ବଢିବାରେ ଲାଗିଛି ।

ବିଶ୍ୱଭୂଷଣ ହରିଚନ୍ଦନ : ମୋଦି ସରକାରର ଦ୍ୱିତୀୟ ପାଳିରେ ଚର୍ଚ୍ଚାକୁ ଆସିଥିବା ଆଉ ଜଣେ ଓଡ଼ିଆ ହେଉଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ । ୨୦୧୯ରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦେଇଥିଲେ କେନ୍ଦ୍ର ସରକାର । ରାଜ୍ୟ ବିଜେପିର ଏହି ହେଭିୱେଟ ଚେହେରା ୫ ଥର ବିଧାୟକ ଥିବା ବେଳେ ବିଜେପି-ବିଜେଡି ମେଣ୍ଟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ପ୍ରତାପ ଷଡଙ୍ଗୀ : ଦ୍ୱିତୀୟ ଥର ମୋଦି କ୍ଷମତାକୁ ଆସିବା ପରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ନେଇ ଜାତୀୟ ସ୍ତରରେ ଜୋରଦାର ଚର୍ଚ୍ଚା ହୋଇଥିଲା । ମାତ୍ର ଦିନ କେଇଟାରେ ପ୍ରତାପଙ୍କ କ୍ରେଜ ଆକାଶ ଛୁଆଁ ହୋଇଥିଲା । ଦିଲ୍ଲୀରୁ ପଲ୍ଲୀ ସବୁଠି ଶୁଭିଥିଲା ପ୍ରତାପଙ୍କ ନାଁ । ବିଜେପିର ଏହି ପୁରୁଣା ସୈନିକ ପ୍ରଥମ ଥର ସାଂସଦ ହେବା ପରେ ମୋଦି ଦେଇଥିଲେ ବଡ ସରପ୍ରାଇଜ । ପ୍ରତାପଙ୍କୁ ନିଜ ଟିମରେ ସାମିଲ କରି ମୋଦି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଆଉ ଦିଲ୍ଲୀ ଦରବାରରେ ପାୱାରଫୁଲ କୋଟରୀରେ ସାମିଲ ହୋଇଯାଇଥିଲା ଆଉ ଜଣେ ଓଡ଼ିଆଙ୍କ ନାଁ ।

ମୃତ୍ୟୁଞ୍ଜୟ ମହାପାତ୍ର : ସାଇକ୍ଲୋନ ମ୍ୟାନ୍ ଅଫ୍ ଇଣ୍ଡିଆ ଭାବେ ଦେଶର ପ୍ରତିଟି ଘରେ ଜଣାଶୁଣା ଓଡ଼ିଆ ପୁଅ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଯାହାଙ୍କୁ ଆଇଏମଡି ବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ମୋଦି ସରକାର । ପାଣିପାଗ ଓ ବାତ୍ୟାର ସଠିକ ଆକଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ମୃତ୍ୟୁଞ୍ଜୟ । ଏହାଛଡା ମୃତ୍ୟୁଞ୍ଜୟଙ୍କ ସଠିକ ଆକଳନ ପାଇଁ ଅମ୍ଫାନ, ଫୋନି, ଫାଇଲିନ, ହୁଡହୁଡ, ତିତଲି ଭଳି ବଡ ବିପର୍ଯ୍ୟୟର ସଫଳ ମୁକାବିଲା କରି ପାରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।

ସତ୍ୟ ନାରାୟଣ ପ୍ରଧାନ : ଦିଲ୍ଲୀ ଦରବାରରେ ଉଚ୍ଚ ପଦବୀରେ ରହିଥିବା ଆଉ ଜଣେ ଓଡ଼ିଆ ପୁଅ ହେଉଛନ୍ତି ସତ୍ୟ ନାରାୟଣ ପ୍ରଧାନ । ୧୯୮୮ ବ୍ୟାଚ୍ ଝାଡଖଣ୍ଡ କ୍ୟାଡରର ଆଇପିଏସ ଅଫିସର ସତ୍ୟ ନାରାୟଣ ୨୦୧୯ରୁ ଏନଡିଆରଏଫ ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି । ପ୍ରାକୃତିକ ଦୁର୍ବିପାକ ପରେ ସତ୍ୟନାରାୟଣଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ବନ୍ୟା, ବାତ୍ୟା, ପରେ ପରେ ଏହି ଅଫିସରଙ୍କ ନେତୃତ୍ୱରେ ଏନଡିଆରଏଫ ଯବାନଙ୍କ ଉଦ୍ଧାର କାର୍ଯ୍ୟକୁ ବେଶ ପ୍ରଂଶସନୀୟ ।