କଲେରା କବଳରେ କୁନି କୁନି ପିଲା। ସ୍ୱାସ୍ଥ୍ୟ ବିଭାଗର ଫୋକସରେ ଟିକିରି ଅଞ୍ଚଳ। 

78

କନକ ବ୍ୟୁରୋ:  କାଶୀପୁର ଅଞ୍ଚଳରେ ଏବେ କୁନି କୁନି ପିଲା ଝାଡାବାନ୍ତିରେ ଆକ୍ରାନ୍ତ ହୋଉଥିବା ତତ୍ପର ହୋଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାପ୍ରଶାସନ । ଦୁଇ ଦିନ ଭିତରେ ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ଛୋଟ ପିଲା ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି । ସମସ୍ତଙ୍କ ବୟସ ୧୧ ବର୍ଷରୁ କମ ବୋଲି ଜଣାପଡିଛି । ପିଲାମାନଙ୍କୁ ତରଳ ଝାଡା ହେଉଥିବା ବେଳେ ଝାଡାରେ ରକ୍ତ ପଡୁଥିବାରୁ ଇ-କୋଲାଇରେ ଆକ୍ରାନ୍ତ ହୋଇ ଥିବା ଡାକ୍ତର ଅନୁମାନ କରୁଛନ୍ତି । କୁନି ପିଲା ଝାଡାବାନ୍ତିରେ ଆକ୍ରାନ୍ତ ହେବା ଘାତକ ସାବ୍ୟସ୍ତ ହୋଇପାରେ ତେଣୁ, ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଛନ୍ତି । ବିଦ୍ୟାଳୟ, ଆଶ୍ରମ ସ୍କୁଲକୁ ଯାଇ ହାତ ଧୋଇବା, ପାଣି ଫୁଟାଇ ପିଇବା ପାଇଁ ବୁଝାଉଛନ୍ତି ଶିକ୍ଷକ ଓ ଡାକ୍ତରି ଦଳ ।

ଛୋଟ ପିଲାଙ୍କୁ ଛାଡି ରବିବାର ୧୦ ଆକ୍ରାନ୍ତ କାଶିପୁରର ବିଭିନ୍ନ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଡାକ୍ତରଖାନାରେ ଏବେ ମୋଟ ୬୮ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ସୁଚନା ମିଳିଛି । କାଶୀପୁରରୁ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ନେତାଙ୍କ ସୁଅ ମଧ୍ୟ ଛୁଟୁଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରେ ବିଜେପିର ଏକ ପ୍ରତିନିଧି ଦଳ କାଶୀପୁର ପାଞ୍ଚାଳି ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆକ୍ରାନ୍ତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ଓ ସମସ୍ୟା ପଚାରି ବୁଝିଛନ୍ତି । ଏଥିସହ ଆଗାମୀ ଅଧିବେଶନରେ କାଶୀପୁରରେ ହଇଜା ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ବିଜେପି ବିଧାୟକ ।

କାଶୀପୁରରେ ଝାଡାବାନ୍ତି ବ୍ୟାପୁଥିବାରୁ ୨୫୯ଟି ଗାଁକୁ ସମ୍ବେଦନଶୀଳ ଘୋଷଣା କରିବା ସହ ୮ଟି ଗାଁକୁ ଆକ୍ରାନ୍ତଙ୍କ ଗାଁ ଭାବେ ଚିହ୍ନଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଶନିବାର ଡେଙ୍ଗାଗୁଡା ଗାଁରେ ଜଣେ ଆକ୍ରାନ୍ତ ଆଖି ବୁଜିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁ ଗାଁ ବୁଲି ଅଳ୍ପ ଆକ୍ରାନ୍ତଙ୍କୁ ମଧ୍ୟ ମେଡିକାଲକୁ ଉଠାଇ ଆଣୁଛନ୍ତି ।