ଡାକ୍ତରଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ଗରିବ ରୋଗୀଙ୍କୁ ବି ମାଗିଲେ ଲାଞ୍ଚ,ନଦେବାରୁ ବ୍ରହ୍ମପୁର ରେଫର।

120

କନକ ବ୍ୟୁରୋ: ଡାକ୍ତର ବି ଭୁଲିଯାଉଛନ୍ତି ହିତାହିତ ଜ୍ଞାନ । ଲାଞ୍ଚ ନଦେବାରୁ କଲେନି ଅସ୍ତ୍ରୋପଚାରା ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲର ଡାକ୍ତର ପଙ୍କଜ କୁମାରଙ୍କ ବିରୋଧରେ । ମୁଣ୍ଡରେ ଅସ୍ତ୍ରୋପଚାର ପାଇଁ ପ୍ରଥମେ ଲଣ୍ଡା କରାଗଲା । ପରେ ୨୫ ହଜାର ଟଙ୍କା ରୋଗୀଙ୍କ ପରିବାରକୁ ମାଗିଲେ । ଟଙ୍କା ନଦେଇପାରିବାରୁ ରୋଗୀଙ୍କୁ ଚିକିତ୍ସା ନକରି ହାର୍ଟପ୍ରୋବ୍ଲେମ୍ କହି ବ୍ରହ୍ମପୁର ହସ୍ପିଟାଲକୁ ରେଫର କରିଦେଇଥିବା ଅଭିଯୋଗ ହୋଇଛି ।

ମାଲକାନଗିରି ଜିଲ୍ଲା ଚମ୍ପାଖାରି ଗାଁର ବିଶ୍ୱଜିତ ଭୂରିଆ ସାଇକେଲରେ ଯାଉଥିବାବେଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଅଧିକ ଚିକିତ୍ସା ପାଇଁ ତାଙ୍କୁ କୋରାପୁଟ ମେଡିକାଲକୁ ଅଣାଯାଇଥିଲା । ଏଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ଡାକ୍ତର କହଥିଲେ, ମୁଣ୍ଡରେ ଅସ୍ତ୍ରୋପଚାର ହେବ ବୋଲି । ସେ ଅନୁସାରେ ତାଙ୍କୁ ଲଣ୍ଡା ବି କରାଯାଇଥିଲା । କିନ୍ତୁ ଡାକ୍ତର ୨୫ ହଜାର ଲାଞ୍ଚ ମାଗିଥିଲେ । ଏ ନେଇ ରୋଗୀଙ୍କ ଭାଇ ଡାକ୍ତରଖାନା କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ଡାକ୍ତର ଅର୍ଥଦାବି କରିବା ଅଭିଯୋଗର ତଦନ୍ତ ବି ଆରମ୍ଭ ହୋଇଛି । ବର୍ତମାନ ରୋଗୀଙ୍କ ଅବସ୍ଥା ସ୍ଥିର ଅଛି । ସେପଟେ ବର୍ତମାନ ଅପେକ୍ଷା ତଦନ୍ତ ରିପୋର୍ଟକୁ । ଏହା ପରେ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ମିଳିଛି ।