ଭଲପାଇବା… ବେଲଜିୟମରୁ ବାଙ୍ଗାଲୋର: ଭାରତକୁ ଆସି ଅଟୋ ଡ୍ରାଇଭରଙ୍କ ହାତ ଧରିଲେ ବିଦେଶୀନି

216

କନକ ବ୍ୟୁରୋ: ପ୍ରେମ ହେଲେ ଦୂରତା ଜଣା ପଡେନି, ପ୍ରେମ ହେଲେ ସମୟ ଜଣାପଡେନି । ଏ ପ୍ରେମ କାହାଣୀ- ଦରିଆ ସେପାରିର, ଏ ପ୍ରେମ କାହାଣୀ ଦୁଇ ଦେଶର, ଏ ପ୍ରେମ କାହାଣୀ ୮ ହଜାର କିଲୋମିଟର ଦୂରର । ଯେଉଁଠି ପ୍ରେମିକାଟିଏ ଆଖିରେ ଇସାରା ଦେଲେ ଏଠି ପ୍ରେମିକ ଆଖିବୁଜି ବୁଝିପାରେ । ପ୍ରେମିକାର ଦିଲର ଧକଧକ ହେଲେ ପ୍ରେମିକ ଦୂରରେ ଥାଇ ଶୁଣିପାରେ । ହଁ ! ଏ ପ୍ରେମ ବିଦେଶୀ ପ୍ରେମିକାର, ଏ ଭଲପାଇବା ବେଲଜିୟମରୁ ଆସି ଭାରତୀୟ ପୁରୁଷର ପ୍ରେମରେ ପଡିଥିବା ଜଣେ କୁଆଁରୀର…

ଆଖି ମିଶିଲା ଅଟୋରେ ଅଟୋରେ, ପ୍ରେମ ହେଇଗଲା ଛାତିରେ ଛାତିରେ । ଚାରିଆଖି ମିଶିଲା ପରେ ଆପେଆପେ ଷ୍ଟାର୍ଟ ହେଲା ପ୍ରେମର ଗାଡି । ଆଉ ତାପରେ କର୍ଣ୍ଣାଟକର ରାସ୍ତାରେ ଲେଖା ହେଲା ଲଙ୍ଗ ଡିଷ୍ଟାନ୍ସ ଲଭଷ୍ଟୋରୀ…

କର୍ଣ୍ଣାଟକର ଅନନ୍ତରାଜୁ ଆଉ ବେଲଜିୟମର କେମିଲିଙ୍କ ପ୍ରେମ କାହାଣୀକୁ ନେଇ ଭାରି ଚର୍ଚ୍ଚା । ସାତ ଦରିଆ ପାରି ହୋଇ ନିଜ ପ୍ରେମକୁ ସାକାର କରିଛନ୍ତି ଏହି ଯୋଡି । ସୁଦୂର ବେଲଜିୟମରୁ ଆସି ହିନ୍ଦୁ ରିତିନୀତିରେ ଅନନ୍ତରାଜୁଙ୍କ ହାତ ଧରିଛନ୍ତି କେମିଲି । ଅଟୋରେ ଆଖି ମିଶିଲା ଆଉ ତାପରେ ବେଲଜିୟମରେ ଯାଇ ଲାଗିଲା ପ୍ରେମର ନେଟୱର୍କ । ଜଣେ ଅଟୋ ଡ୍ରାଇଭରଙ୍କ ପ୍ରେମରେ ପଡି ତାଙ୍କ ହାତ ଧରିଛନ୍ତି ବିଦେଶିନୀ ।

ଅନନ୍ତରାଜୁ ଆଉ କେମିଲିଙ୍କ ପ୍ରଥମ ଦେଖା ୨୦୧୯ ମସିହାରେ ହୋଇଥିଲା । ସେତେବେଳେ କେମିଲି ନିଜ ପରିବାର ସହ ହମ୍ପି ବୁଲିବାକୁ ଆସିଥିଲେ । ଅନନ୍ତରାଜୁ କର୍ଣ୍ଣାଟକର ହମ୍ପିରେ ଅଟୋ ଚଲାଇବା ସହ ଟୁରିଷ୍ଟ ଗାଇଡ ଭାବେ କାମ କରନ୍ତି । ଆଉ ସେହି ସମୟରେ ଅନନ୍ତରାଜୁ ତାଙ୍କୁ ଗାଇଡ କରିଥିଲେ । ତା ସହ ତାଙ୍କ ରହିବା ଖାଇବାର ବନ୍ଦୋବସ୍ତ ମଧ୍ୟ କରିଥିଲେ । ଇଣ୍ଡିଆ ଟ୍ରିପ ସମୟରେ ଅନନ୍ତରାଜୁଙ୍କ ଅତିଥି ଚର୍ଚ୍ଚାରେ ଏହି ବିଦେଶୀ ପରିବାର ଖୁବ ଆକର୍ଷିତ ହୋଇଥିଲେ । ଏହାପରେ ନିଜ ଦେଶ ଫେରିଯିବା ପରେ ବି କେମିଲି ସୋସିଆଲମିଡିଆରେ ଅନନ୍ତରାଜୁଙ୍କ ସହ ସମ୍ପର୍କରେ ରହିଥିଲେ । ଆଉ ଧିରେ ଧିରେ ସେମାନେ କଥାବାର୍ତ୍ତା ହେବା ଆରମ୍ଭ କରିଥିଲେ । ଆଉ ଏହାପରେ ପରସ୍ପରକୁ ପସନ୍ଦ କରିବାକୁ ଲାଗିଥିଲେ ।

ହେଲେ ଦୁହିଁଙ୍କ ସମ୍ପର୍କରେ ବାଧା ସାଜିଥିଲା କରୋନା । ଦୀର୍ଘ ବର୍ଷ ଧରି ପରସ୍ପରକୁ ଭେଟି ପାରିନଥିଲେ ଉଭୟେ । ହେଲେ ଏହି ଦୂରତା ସେମାନଙ୍କୁ ବେଶୀ ଦିନ ଅଟକାଇ ପାରିନଥିଲା । ସେମାନେ ନିଜ ନିଜ ପରିବାରକୁ ନିଜ ଲଙ୍ଗ ଡିଷ୍ଟାନ୍ସ ଲଭ ବିଷୟରେ କହିଥିଲେ । ଏହା ଶୁଣି ଉଭୟ ପରିବାର ମଧ୍ୟ ରାଜି ହୋଇଯାଇଥିଲେ । ଆଉ ବିବାହ ପାଇଁ ସେମାନଙ୍କୁ ଅନୁମତି ଦେଇଥିଲେ । ତେଣୁ ଉଭୟ ନଭେମ୍ବର ୨୫ ତାରିଖରେ ୮ ହଜାର କିଲୋମିଟରର ଦୂରତାକୁ ଅତିକ୍ରମ କରି ଏକାଠି ହୋଇଛନ୍ତି । ଆଉ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଅନନ୍ତରାଜୁ କେମିଲିଙ୍କ ବିବାହରେ କେମିଲିଙ୍କ ୪୦ ଜଣ ସମ୍ପର୍କୀୟ ଯୋଗ ଦେଇଥିଲେ । ହମ୍ପିର ବିରୁପାକ୍ଷ ମନ୍ଦିରରେ ସେମାନଙ୍କ ବିବାହ ହୋଇଥିଲା । ତେବେ ଅନନ୍ତରାଜୁ କେମିଲିଙ୍କ ବିବାହ ପ୍ରମାଣ କରିଦେଲା ଯେ ପ୍ରେମର କୌଣସି ସୀମା ନାହିଁ । ପ୍ରେମ ହେଲେ ପାହାଡ ପର୍ବତ ଡେଇଁଯିବାକୁ ଭିତରୁ କିଏ ପ୍ରେରଣା ଦିଅ । ପ୍ରେମ ହେଲେ ଦୂରତା କମିଯାଏ, ଦୁଇ ଆଖି ମିଶିଯାଏ ଆଉ କାଳ କାଳକୁ ରହିଯାଏ ଅମର ପ୍ରେମ କାହାଣୀ…