ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ମହାମହିମଙ୍କ ଉଦବୋଧନ : କହିଲେ, ‘ଜେଲ ସଂଖ୍ୟା ବଢିବା ଦେଶର ବିକାଶର ମାପକାଠି ନୁହେଁ’

171

କନକ ବ୍ୟୁରୋ : ମନ ଛୁଇଁଲା ମହାମହିମଙ୍କ ଉଦବୋଧନ । ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେଇ ବିଚାରପତିଙ୍କୁ ଏକ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଜେଲରେ ଅନେକ କଏଦୀ ରହିଛନ୍ତି ଯେଉଁମାନେ କି ଚାପୁଡା ମାରି ଅପରାଧ କରିଛନ୍ତି । ଏମାନେ ବିଭିନ୍ନ କାରଣ ପାଇଁ ଜେଲରୁ ବାହାରି ପାରୁନାହାନ୍ତି । କିନ୍ତୁ ଅନେକ ବଡ ଅପରାଧୀ ଜେଲ ବାହାରେ ବୁଲୁଛନ୍ତି ।

ଏପରି କଏଦୀଙ୍କ ମୌଳିକ ଅଧିକାର ଏବଂ ସାମାଜିକ ନ୍ୟାୟ ବାବଦରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ମୁର୍ମୁ ଏପରି କହି ସୁପ୍ରିମକୋର୍ଟରେ ଉପସ୍ଥିତ ଥିବା ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିଚାରପତି, ଆଇନ ମନ୍ତ୍ରୀ ଏବଂ ଶତାଧିକ ଅତିଥିଙ୍କ ହୃଦୟ ଜିତିଥିଲେ । ଏପରିକି ଉପସ୍ଥିତ ଲୋକମାନେ ଛିଡା ହୋଇ କରତାଳି ମଧ୍ୟ ମାରିଥିଲେ । ରାଷ୍ଟ୍ରପତି କହିଛନ୍ତି, ତାଙ୍କ ମତରେ ଦେଶରେ ଜେଲ ସଂଖ୍ୟା ବଢିବା ବିକାଶର ମାପକାଠି ନୁହେଁ । ଏହା ବଦଳରେ ଆମେ ଆତ୍ମସମୀକ୍ଷା କରିବା ଉଚିତ ଯେ ଜେଲ କାହିଁକି ରହିବା ଉଚିତ ।

ସେ କହିଛନ୍ତି ଯେ ଅଦାଲତ ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା ହୋଇଥାଏ ଏବଂ ତେଣୁ ଲୋକମାନଙ୍କ ବିଷୟରେ ଚିନ୍ତା କରିବା ଆବଶ୍ୟକ ରହିଛି । ଏହି ଅବସରରେ ସେ ନିଜ ଜନ୍ମମାଟିର କଥା ମନେ ପକାଇଥିଲେ । ଦେଶରେ ବିଧାନସଭା, କାର୍ଯ୍ୟପାଳିକା, ନ୍ୟାୟପାଳିକା ‘ଗୋଟିଏ ଚିନ୍ତାଧାରା’ରେ କାମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।