୮୦ ବର୍ଷ ବୟସରେ ବି ସେ ଥକିପଡିନାହାନ୍ତି । ପରିଣତ ବୟସରେ ପୁରୁଣା ସାଇକେଲରେ ରଙ୍ଗ ବେରଙ୍ଗର ଚୂଡି ବିକୁଛନ୍ତି ବୁଢା ଶଙ୍ଖାରୀ ଲକ୍ଷ୍ମୀଧର ମଉସା ।

233

କନକ ବ୍ୟୁରୋ : ବୟସ ୮୦ ଡେଇଁଲାଣି । ବାର୍ଦ୍ଧକ୍ୟରେ ନଇଁଗଲାଣି ଅଣ୍ଟା । ପୁରୁଣା ସାଇକେଲରେ ଶଙ୍ଖା, ରଙ୍ଗ ବେରଙ୍ଗର ଚୂଡି ପେଟି ବୋଝେଇ କରି ଗାଁକୁ ଗାଁ ବୁଲୁଛି ବୁଢା ଶଙ୍ଖାରୀ । ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ସେ ସମସ୍ତଙ୍କ ପ୍ରିୟର ଲକ୍ଷ୍ମୀଧର ମଉସା । ଲକ୍ଷ୍ମୀଧର ଦାସଙ୍କ ପାଖରେ ସତେ ଯେମିତି ବାର୍ଦ୍ଧକ୍ୟ ହାରମାନିଛି ।

ଝିଅ, ବୋହୂଙ୍କୁ ଅତି ଯତ୍ନରେ ଚୂଡି ପିନେ୍ଧଇ ଆଶିର୍ବାଦ ଦିଅନ୍ତି ଲକ୍ଷ୍ମୀଧର । ତାଙ୍କ ହସ ହସ ମୁହଁ, ଆତ୍ମୀୟତା ଭାବ ଓ ଭଲ ପାଇବା ଯୋଗୁଁ ତାଙ୍କ ପାଖରୁ ଚୂଡି ପିନ୍ଧିବାକୁ ପିପିଲି ଓ ଆଖପାଖ ଅଂଚଳର ଝିଅ, ବୋହୁଙ୍କ ବେଶ ଆଗ୍ରହ ବି ରହିଥାଏ ।

ପରିଣତ ବୟସରେ ବି ଲକ୍ଷ୍ମୀଧର କର୍ତବ୍ୟରେ କେବେ ହେଳା କରନ୍ତି ନାହିଁ । ସକାଳ ପାହିଲେ ଧୋତି କୁର୍ତା ପିନ୍ଧି ଚୂଡି, ଶଙ୍ଖାର ପସରା ଧରି ଘରୁ ବାହାରି ପଡନ୍ତି । ଜମିବାଡି ନାହିଁ, ବାର୍ଦ୍ଧକ୍ୟ ଭତା ଟଙ୍କା ଓ ଶଙ୍ଖା ବିକ୍ରି କରି ଯାହା ଆୟ ହୁଏ ସେଥିରେ ଚଳିଯାଏ ପରିବାର । ପୁଅ ବୋହୁଙ୍କ ପାଖରେ ରହୁଥିବା ଲକ୍ଷ୍ମୀଧର କହିଛନ୍ତି ଘରେ ଥିବା ତାଙ୍କ ପୋଲିଓଗ୍ରସ୍ତ ନାତିଙ୍କ ଚିକିତ୍ସା ପାଇଁ ବାର୍ଦ୍ଧକ୍ୟରେ ବି ସେ ଚୂଡି ବିକ୍ରି କରୁଛନ୍ତି ।

ବୁଢା ଶଙ୍ଖାରି ଲକ୍ଷ୍ମୀଧର ଦାସ । ତାଙ୍କ ବୟସର ଅନେକ ବ୍ୟକ୍ତି ଘରେ ରହି, ବାହାରକୁ ଯିବା ଆସିବା କରିପାରୁ ନାହାନ୍ତି । ହେଲେ ବୁଢା ଶଙ୍ଖାରି ପାଖରେ ସତେ ଯେମିତି ବାର୍ଦ୍ଧକ୍ୟ ହାର ମାନିଛି ।