ରାଉରକେଲାରେ ହେବ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ । ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଫାଇଭ ଟି ସଚିବ ।

178

କନକ ବ୍ୟୁରୋ: ରାଉରକେଲାରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ । ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମର ସ୍ଥାନ ପରିଦର୍ଶନ କଲେ ଫାଇଭ ଟି ସଚିବ । ୨୦୨୨ ସୁଦ୍ଧା ଏହି ଷ୍ଟାଡିୟମର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ଏହି ସ୍ଥାନର ଅନୁଧ୍ୟାନ କରାଯାଇଛି । ବିପିୟୁଟି ପରିସରରେ ହେବାକୁ ଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମ ଉଭୟ ଖେଳାଳୀ ଓ ଦର୍ଶକଙ୍କୁ ଯେମିତି ବିଶ୍ୱ ସ୍ତରୀୟ ଅନୁଭୂତି ପ୍ରଦାନ କରି ପାରିବ ସେନେଇ ତାହାର ଡିଜାଇନ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଫାଇଭ ଟି ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କ୍ରୀଡା ଓ ଯୁବସେବା ବିଭାଗର ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ଷ୍ଟାଡିୟମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସେପଟେ ଗତମାସ ରାଉରକେଲାରେ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ହେବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଷ୍ଟାଡିୟମ ଜାନୁୟାରୀ ୨୦୨୩ରେ ଓଡିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପର ଅନ୍ୟତମ ଆୟୋଜନ ସ୍ଥଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ଏକା ସାଙ୍ଗରେ ଏହି ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସି ଖେଳ ଦେଖିପାରିବାର ସୁବିଧା କରାଯିବ ଯାହା ହକିର ହବ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଉ ରାଜ୍ୟ ସରକାରଙ୍କ ଏକ ହାଇଲେଭଲ ଟିମ୍ ପ୍ରକଳ୍ପ ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ରାଉରକେଲା ପୂର୍ବରୁ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାଶ୍ୱିର୍କ ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ । ସେହିପରି ସମଲେଶ୍ୱରୀ ପୀଠର ବିକାଶ ପାଇଁ ହୋଇଥିବା ବ୍ଲୁ-ପ୍ରିଂଟର ଅନୁଧ୍ୟାନ କରିଛନ୍ତି ଭି.କେ ପାଣ୍ଡିଆନ୍ ।