କରୋନା କଟକଣା ସତ୍ୱେ କଳାହାଣ୍ଡିରେ ପାଳିତ ହେଲା ଟୋକି ପରବ । ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆସ୍ଥା ଓ ବିଶ୍ୱାସର ପର୍ବ ପାଳିଲେ ଆଦିବାସୀ ।

173

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବାବୁ କେନ୍ଦୁଗୁଡାରେ ପାଳିତ ହୋଇଯାଇଛି ଆଦିବାସୀଙ୍କ ପର୍ବ ଟୋକି ପରବ । ଏହି ଟୋକି ପରବରେ କନ୍ଧଙ୍କ ମେଳି ଦେଖିବାକୁ ଦୂରଦୁରାନ୍ତରୁ ଆସିଥିଲେ ଶହ ଶହ ଲୋକ । ହେଲେ କେହି ସାମାଜିକ ଦୂରତା ରକ୍ଷା କରିନଥିଲେ, ଏବଂ ମାସ୍କ ବି ପିନ୍ଧିଥିବା ଦେଖିବାକୁ ମିଳିନଥିଲା ।

ଆଦିବାସୀଙ୍କ ଆସ୍ଥା ଓ ବିଶ୍ୱାସର ପର୍ବ । ଟୋକି ମରା ପରବ । ହାତରେ ଆଦିବାସୀଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର । ତୁଣ୍ଡରେ ଇଷ୍ଟଦେବୀଙ୍କ ନାରା । ଟୋକି ମରା ପରବ ପାଇଁ ଚଳଚଞ୍ଚଳ ହୋଇଉଠିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ବାବୁ କେନ୍ଦୁଗୁଡା ଗାଁ । ଦୀର୍ଘ ୧୨ ବର୍ଷ ପରେ ଗାଁରେ ଟୋକି ପରବ ପାଳିତ ହେଉଥିବାରୁ ବାବୁ କେନ୍ଦୁଗୁଡା ଉତ୍ସବ ମୁଖର ହୋଇଉଠିଛି ।

ଟୋକି ପରବରେ ପୂଜକଙ୍କ ଘରୁ ଏକ ମେଣ୍ଢାକୁ ମେଳି କରି ନାଚି ନାଚି ପୂଜା ସ୍ଥଳକୁ ଅଣାଯାଇଥିଲା । ଦେବତୀଙ୍କୁ ପୂଜାର୍ଚ୍ଚନା କରିବା ସହ ମେଣ୍ଢାକୁ ବଳି ଦେବା ପରେ ଆରମ୍ଭ ହୋଇଥିଲା ମାଂସ ଚୋରି ପ୍ରତିଯୋଗିତା । ବଳି ପଡିଥିବା ମେଣ୍ଢା ମାଂସକୁ ନେଇ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ଲାଗି କଲେ ପରିବାରର ମଙ୍ଗଳ ଓ ଜମିରେ ପୋତିଲେ ଭଲ ଫସଲ ହୁଏ ବୋଲି ବିଶ୍ୱାସ ରହିଛି । ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କନ୍ଧଙ୍କ ମେଳି ଏହି ଟୋକି ମରା ପରବର ମୁଖ୍ୟ ଆକର୍ଷଣ । ବାବୁକେନ୍ଦୁଗୁଡାର ପରବ ଦେଖିବାକୁ ଦୂରଦୁରାନ୍ତରୁ ଛୁଟି ଆସିଥିଲେ ଶହ ଶହ ଲୋକ ।