ହାତୀ ହତ୍ୟା ଅଭିଯୁକ୍ତର ମୃତ୍ୟୁ ଅଭିଯୋଗ : କ୍ଷତିପୂରଣ ପରେ ହଟିଲା ଆନ୍ଦୋଳନ; ୫ଲକ୍ଷ ସହାୟତା ସହ ମିଳିଲା ଚାକିରୀ ପ୍ରତିଶ୍ରୁତି

108

କନକ ବ୍ୟୁରୋ : ହାତୀ ହତ୍ୟା ଅଭିଯୁକ୍ତର ମୃତ୍ୟୁ ଅଭିଯୋଗ ନେଇ ଦିଆଯାଇଥିବା ଧାରଣା ହଟିଛି । ମୃତକଙ୍କ ପରିବାରକୁ ଚାକିରୀ ସହ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଛି । କଟକ ଆଠଗଡରେ ହାତୀ ହତ୍ୟା ଅଭିଯୁକ୍ତ ଧନେଶ୍ୱର ବେହେରାଙ୍କୁ ବନ ଅଧିକାରୀ ଅଟକ ରଖି ପଚରାଉଚରା କରୁଥିଲେ । ଏହି ସମୟରେ ଧନେଶ୍ୱରଙ୍କ ମୃତ୍ୟୁ ଘଟିଥିଲା । ଯାହାର ବିରୋଧ କରିବା ସହିତ ମୃତକଙ୍କୁ ରାସ୍ତାରେ ରଖି ପ୍ରତିବାଦ କରିଛନ୍ତି ଗାଁ ଲୋକେ । ବଡବାରସିହ ଛକରେ ଗାଁ ଲୋକେ ପ୍ରତିବାଦ କରିବା ସହିତ କ୍ଷତିପୂରଣ ଦାବି କରିଥିଲେ ।

ଏପରିକି ବଡମ୍ବା ବାଣପୁର ବିଟ ହାଉସ ଭିତରେ ଭଙ୍ଗାରୁଜା କରିବା ସହ ଜାଳି ଦେଇଥିଲେ ଉତ୍ୟକ୍ତ ଲୋକେ । ଧନେଶ୍ୱରଙ୍କର ମୃତ୍ୟୁ ପରେ ଆଠଗଡ ପୋଲିସ ବଡମ୍ବା ରେଞ୍ଜର ସୁବ୍ରତ ବେହେରା, ୨ ଏସିଏଫ ଘନଶ୍ୟାମ ମୁଦୁଲି ଏବଂ ହରେକୃଷ୍ଣ ମଲ୍ଲିକ ଏବଂ ୬ ବନ କର୍ମଚାରୀଙ୍କୁ ଅଟକ ରଖାଯାଇଛି । ଦୁଇ ଦିନ ତଳେ ହାତୀର ମୃତ ଦେହ ଠାବ ହୋଇଥିଲା । ଏହାପରେ ବଡମ୍ବା ଖୁଂଟକଟାର ସାତଗୋଛିଆ ଗାଁର ଧନେଶ୍ୱର ବେହେରାଙ୍କୁ ଉଠାଇନେଇଥିଲେ ବଡମ୍ବା ରେଞ୍ଜର ଅଧିକାରୀ । ତେବେ କିଭଳି ପରିସ୍ଥିତିରେ ଧନେଶ୍ୱରଙ୍କ ମୃତ୍ୟୁ ହୋଇଥିଲା, ସେନେଇ ତଦନ୍ତ ଜାରି ରଖିଛି ଆଠଗଡ଼ ଥାନା ପୁଲିସ । ବିଭିନ୍ନ ଦିଗକୁ ନେଇ ଛାନ୍ଭିନ୍ ଜାରି ରଖିଛି ପୁଲିସ ।