ଫେସବୁକରେ ଯୁବତୀଙ୍କୁ ଧମକ ଦେବା ଯୁବକଙ୍କୁ ପଡିଲା ମହଙ୍ଗା : ଗ୍ରାମସଭାରେ ୫୦ହଜାର ଟଙ୍କା ଜୋରିମାନା ଦେଲେ ଯୁବକ

ଦିନକୁ ଦିନ ସୋସିଆଲ ମିଡିଆରେ ଅଶ୍ଲୀଳ ମେସେଜ ଆଦି ପଠାଯାଉଥିବାର ଦେଖିବାକୁ ମିଳିଛି

128

କନକ ବ୍ୟୁରୋ : ଦିନକୁ ଦିନ ସୋସିଆଲ ମିଡିଆରେ ଅଶ୍ଲୀଳ ମେସେଜ ଆଦି ପଠାଯାଉଥିବାର ଦେଖିବାକୁ ମିଳିଛି । ତେଣୁ ଅନେକ ସମୟରେ ଏପରି ମାମଲା ଥାନାରେ ଋୁଜୁ ହେବା ସହ ମାମଲା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ, ରାଜଧାନୀର ଉତ୍ତରାଫାଣ୍ଡି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଫେସବୁକ ଓ ହ୍ବାଟ୍ସଆପରେ ଧମକପୂର୍ଣ୍ଣ ଓ ଅଶ୍ଳୀଳ ମେସେଜ୍ ପଠାଇ ଜଣେ ଯୁବକ ଗ୍ରାମ ସଭାରେ ୫୦ ହଜାର ଟଙ୍କା ଜରିମାନା ଗଣିଛନ୍ତି। ଏଭଳି ଘଟଣା ଘଟିଛି ଉକ୍ତ ଫାଣ୍ଡି ଅଧୀନ ଲକ୍ଷ୍ମୀନାରାୟଣପୁର ଓ ଖଣ୍ଡିଆମାଟିଆ ଗ୍ରାମରେ।

 

ଖଣ୍ଡିଆମାଟିଆ ଗ୍ରାମର ଯୁବତୀଙ୍କ ସହିତ ଲକ୍ଷ୍ମୀନାରାୟଣପୁର ଗ୍ରାମର ଜଣେ ଯୁବକଙ୍କ ସହିତ ଫେସବୁକରେ ପରିଚୟ ଓ ବନ୍ଧୁତା ହୋଇଥିଲା। ଏହାପରେ ଚାଟିଂରୁ ସେମାନଙ୍କ ମଧ୍ୟରେ ସଂପର୍କ ଭିନ୍ନ ମୋଡ଼ ନେଇଥିଲା। ଯୁବତୀଙ୍କ ସରଳତାର ସୁଯୋଗ ନେଇ ଯୁବକ ଜଣକ ତାଙ୍କୁ ପ୍ରେମ ନିବେଦନ କରିବା ସହ ଧମକଚମକ ଦେଇଥିଲେ। ହେଲେ ଏ ସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। କିନ୍ତୁ ବୁଧବାର ସମାଧାନ ପାଇଁ ଗ୍ରାମସଭା ବସିଥିଲା। ଏଥିରେ ଯୁବକ ଜଣକ ନିଜର ଦୋଷ ସ୍ବୀକାର କରିଥିଲେ। ଗ୍ରାମସଭାର ନିଷ୍ପତ୍ତି ଅନୁଯାୟୀ ଯୁବତୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଜରିମାନା ଗଣିଥିବା ଜଣାପଡ଼ିଛି। ଏହି ଘଟଣା ଏଠାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।