ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣା : ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା; ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦୋଳଗୋବିନ୍ଦ ବେହେରା

116

କନକ ବ୍ୟୁରୋ : ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଲା । ଅନ୍ୟ ୨ଜଣ ଏବେ ଗୁରୁତର । ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟିଥିବା ଏହିଭଳି ଏକ ଘଟଣା କେବଳ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳର ଭୂଷଣ୍ଡପୁର ଗାଁ ନୁହେଁ, ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ବାଣ ବିସ୍ଫୋରଣ ଜନିତ ଘଟଣା ଏହିଭଳି କେତେ ଜୀବନ ନେବ, ତାହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି ।

ମୃତକମ‌ାନେ ହେଲେ, ଟାଙ୍ଗୀ ଥାନା ଭୂଷଣ୍ଡପୁରର ନିରଞ୍ଜନ ବେହେରା, ବ୍ରଜ ବେହେରା, ନିରାକାରପୁର ଥାନା ଅଧୀନସ୍ଥ ପାଣ୍ଡବ ପାଟଣାର ସହଦେବ ବେହେରା ଏବଂ କଣାସ ଥାନା ଅଧୀନସ୍ଥ ବାଦୁରାବରର ବୃନ୍ଦାବନ ସାହୁ, ଦୋଳଗୋବିନ୍ଦ ବେହେରା । ଦୋଳଗୋବିନ୍ଦଙ୍କର କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧୀଭୂତ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଦୁଇଜଣ ମହେଶ୍ବର ବେହେରା ଓ ସୁଦର୍ଶନ ବେହେରା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଏହି ମୃତାହତମାନେ ଆସନ୍ତାକାଲି ଭୂଷଣ୍ଡପୁରରେ ହେବାକୁ ଥିବା ଆତସବାଜି ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଭୂଷଣ୍ଡପୁରର ଚିଲିକାକୂଳ ମନ୍ଦିର ନିକଟରେ ବାଣ ତିଆରି କରୁଥିଲେ । ମନ୍ଦିରର କୋଠଜାଗାରେ ଭୂଷଣ୍ଡପୁର ମଙ୍ଗଳା ସାହିର ବାଣବେପାରୀ ହଟ ବେହେରା ନିର୍ମାଣ କରିଥିବା ଏକ ଆଜ୍‌ବେଷ୍ଟସ୍‌ ଘରେ ବାଣ ଭିଡ଼ା ଚାଲିଥିଲା । ଏଥିରେ ସେ ନିଜ ଦୁଇପୁଅଙ୍କ ସମେତ ମୋଟ ୭ ଜଣ କାମରେ ଲାଗାଇଥିଲେ । ସେମାନଙ୍କ ମଧ୍ୟରୁ ଘର ଭିତରେ ଥିବା ବାରୁଦ ଗଦା ନିକଟରେ ଚାରିଜଣ ବାଣ ଭିଡ଼ୁଥିଲେ ।

ସେହି ସମୟରେ ହଠାତ୍ ଘର ଭିତରୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ବୋଧହୁଏ ଆଜ୍‌ବେଷ୍ଟସ୍‌ ମାତ୍ରାଧିକ ଗରମ ହେବାଯୋଗୁ ବାରୁଦ ତାତି ଯାଇଥିଲ। ସେଥିପାଇଁ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ‌ଯେ ସଂପୃକ୍ତ ଆଜ୍‌ବେଷ୍ଟସ୍‌ ଘରର ଛାତ ସଂପୂର୍ଣ୍ଣ ଛାରଖାର ହୋଇଯାଇଥିଲା। ଚାରିଟି ଯାକ କାନ୍ଥ ଫାଟି ଯାଇଥିଲା। ଢେର ସମୟ ପର୍ଯ୍ୟନ୍ତ ଏହି ଆଜବେଷ୍ଟସ୍ ଘରେ ନିଆଁ ହୁତୁହୁତୁ ହୋଇ ଜଳୁଥିଲା । ଏଥିସହିତ, ଘର ଭିତରେ ଥିବା ଚାରିଜଣ ବାଣଭିଡ଼ାଳି ପୋଡ଼ି କାଠ ହୋଇଯାଇଥିଲେ। ପୂରାପୂରି ଜୀବନ୍ତ ଦଗ୍ଦ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।