ହିଜବୁଲ ଆତଙ୍କବାଦୀ ବୁରହାନ ୱାନିର ମୃତ୍ୟୁର ଦୁଇ ବର୍ଷ ପୂର୍ତ୍ତିରେ କାଶ୍ମୀର ଆଲର୍ଟ ! ରୋକାଗଲା ଅମରନାଥ ଯାତ୍ରା ।

30

କନକ ବ୍ୟୁରୋ : ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ବୁରହାନ ୱାନି ମୃତ୍ୟୁର ଆଜି ଦ୍ୱିତୀୟ ବାର୍ଷିକୀ । ଏହି ଅବସରରେ କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ଜମ୍ମୁ କଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି । ବିଛିନ୍ନତାବାଦୀମାନେ ବନ୍ଦ ଡାକରା ଦେଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଅମରନାଥ ଯାତ୍ରାକୁ ମଧ୍ୟ ରୋକି ଦିଆଯାଇଛି । ପୁଲୱାମା ଜିଲ୍ଲାର ତ୍ରାଲ ଓ ଶ୍ରୀନଗରର ନୌହଟ୍ଟା ତଥା ମୈସୁମା ଥାନା ଅଂଚଳରେ କଟକଣା ଜାରି କରାଯାଇଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଏହା ସହ ଗୁଇନ୍ଦା ସୂଚନା ଅନୁଯାୟୀ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଶ୍ରୀନଗର ଜାତୀୟ ରାଜପଥର ୩ ଶହ କିଲୋମିଟର ଅଂଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହା ପୂର୍ବରୁ ଜମ୍ମୁକଶ୍ମୀର ଲିବରେସନ୍ ଫ୍ରଂଟ୍ର ଅଧ୍ୟକ୍ଷ ୟାସିନ୍ ମଲିକକୁ ଗିରଫ କରାଯାଇଥିବା ବେଳେ ହୁରିୟତ କନଫରେନ୍ସ ମୁଖ୍ୟ ର୍ମ ୀରୱେଜ ଉମର ଫାରୁକକୁ ନଜରବନ୍ଦୀ ରଖାଯାଇଛି ।

ଜମ୍ମୁ କଶ୍ମୀରର କୁଲ୍‌ଗାମ ଜିଲ୍ଲା ଅନ୍ତର୍ଗତ ଖୁଦଓ୍ଵାନି ଅଞ୍ଚଳରେ ଆଜି ସେନା ଉପରେ ଭୟଙ୍କର ପଥର ମାଡ଼ ହୋଇଥିବା ବେଳେ ସେନାର ଗୁଳିମାଡ଼ରେ ୩ ଜଣ ସ୍ଥାନୀୟ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ପଥର ପିଙ୍ଗାଳି ଅଛନ୍ତି। ସୂଚନା ମୁତାବକ, ସମ୍ଭାବ୍ୟ ଆତଙ୍କବାଦୀ କାର୍ୟ୍ୟକଳାପକୁ ରୋକିବା ଲାଗି ଆଜି ସେନା ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ କରାଯାଉଥିଲା। ଏହି ସମୟରେ ସ୍ଥାନୀୟ ଲୋକମାନେ ସେନା ଉପରକୁ ହଠାତ୍‌ ପଥରମାଡ଼ କରିଥିଲେ। ସେମାନଙ୍କୁ ଡରାଇବା ପାଇଁ ସେନା ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯିବା ସତ୍ତ୍ୱେ ସେମାନେ ଏହାକୁ ଖାତିର ନ କରି ଅଧିକ ଆକ୍ରମଣାତ୍ମକ ହୋଇଉଠିଥିଲେ। ଫଳରେ ଅନନ୍ୟୋପାୟ ହୋଇ ସେନା ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୧୬ ବର୍ଷୀୟା ନାବାଳିକା ଅନ୍ଦଲିବ୍‌ଙ୍କ ସମେତ ସକିର ଅହମ୍ମଦ (୨୨) ଓ ଇର୍ଷାଦ ମଜିଦ୍‌ (୨୦) ରହିଛନ୍ତି। ଅନ୍ୟପକ୍ଷରେ ମୁହାଁମୁହିଁ ଆକ୍ରମଣରେ ୩ ଜଣ ସେନା ଓ ମୋଟ ୧୩ ଜଣ ଲୋକ ଆହତ ହୋଇଛନ୍ତି। ତେବେ ଦୁଇଜଣଙ୍କ ଦେହରେ ଗୁଳି ବାଜିଥିବାରୁ ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର କମାଣ୍ଡର ବୁରହାନ୍‌ ଓ୍ଵାନିର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଚ୍ଛିନ୍ନତାବାଦୀଙ୍କ ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଥିଲା। ସେନା ସୁରକ୍ଷା ବାହିନୀ ଆଜି ସକାଳେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ତେବେ ଗୁଳିଚାଳନା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ତେଣୁ ଆଗକୁ ବଡ଼ଧରଣର ହିଂସାକାଣ୍ଡ ଘଟିପାରେ ବୋଲି ଆଶଙ୍କା ରହିଛି। ଅନ୍ୟପକ୍ଷରେ ଆଗୁଆ ପଦକ୍ଷେପ ସ୍ୱରୂପ ସରକାରଙ୍କ ପକ୍ଷରୁ କୁଲଗାମ୍‌ ଜିଲ୍ଲା ସମେତ ଅନନ୍ତନାଗ, ସୋପିଆନ୍‌ ଓ ପୁଲ୍‌ଓ୍ଵାମାରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି।