ସଂସଦୀୟ କ୍ଷେତ୍ର ବାରଣାସୀ ପାଇଁ ଭଣ୍ଡାର ଖୋଲିଦେଲେ ମୋଦି । ୧୫ଶହ କୋଟି ପ୍ରକଳ୍ପର କଲେ ଶିଳାନ୍ୟାସ ।

162

କନକ ବ୍ୟୁରୋ: ଆଜି ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ଶହ କୋଟି ଟଙ୍କାର ଭିନ୍ନ ଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ୨୭ତମ ଯାତ୍ରା । ଆସନ୍ତୁ ଜାଣିବା ମୋଦିଙ୍କ ବାରଣାସୀ ଗସ୍ତର କିଛି ଖାସ କଥା ।

ବାରଣାସୀ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀରେ ପହଁଚି ଲୋକଙ୍କୁ ସମ୍ଭୋଧନ କରିଛନ୍ତି ଆଉ ଭୋଜପୁରୀ ଭାଷାରୁ ଆରମ୍ଭ କରିଛନ୍ତି ନିଜ ଅଭିଭାଷଣ । ମୋଦି ନିଜ ଅଭିଭାଷଣରେ କରୋନାର ୨ୟ ଲହର ବିଷୟରେ କହିଛନ୍ତି । ଏହି ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟଶୈଳୀର ଭରପୂର ପ୍ରଶଂସା କରିଛନ୍ତି ମୋଦି ।

ନିଜର ଏହି ଯାତ୍ରାରେ ପ୍ରଧାନମନ୍ତ୍ରୀ ଗଙ୍ଗା ଆରତୀର ସିଧା ପ୍ରସାରଣ ପାଇଁ ଏଲଇଡି ସ୍କ୍ରିନ ଲଗାଇବା ପାଇଁ ଘୋଷଣା କରିଛନ୍ତି । ମୋଦି କହିଛନ୍ତି ପୁରା କାଶୀରେ ଦେଖିବାକୁ ମିଳିବ ଗଙ୍ଗା ଆରତୀର ସିଧା ପ୍ରସାରଣ । ଖାଲି ସେତିକି ନୁହେଁ, ଏହି ଅବସରରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି ମୋଦି । ସେଠାରେ ମାତୃ ଏବଂ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଶହେ ଶଯ୍ୟା ବିଶିଷ୍ଠ ହେଲଥ ୱିଙ୍ଗ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ରୁଦ୍ରାକ୍ଷ ସେଣ୍ଟର ମଧ୍ୟ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ପୁରୁଣା ସରକାର ସହ ଯୋଗୀ ସରକାରଙ୍କ କାର୍ଯ୍ୟଶୈଳୀ ତୁଳନା କରିଛନ୍ତି । ସେ କହିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ପରିଶ୍ରମରେ ଉତ୍ତର ପ୍ରଦେଶ ବିକାଶଶୀଳ ରାଷ୍ଟ୍ର ହୋଇ ପାରିଛି ।