ଝାଡଖଣ୍ଡ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୧୫ ବର୍ଷିୟା ମୁସଲିମ ବାଳିକା ନିଜ ଇଚ୍ଛାରେ କରିପାରିବେ ବିବାହ

135

କନକ ବ୍ୟୁରୋ : ଭାରତୀୟ ସମ୍ବିଧାନ ମୁତାବକ ଭାରତରେ ରହୁଥିବା ପୁରୁଷମାନଙ୍କର ବିବାହ ବୟସ ୨୧ ବର୍ଷ ରଖାଯାଇଥିବା ବେଳେ ଝିଅମାନଙ୍କ କ୍ଷେତ୍ରରେ ଏହା ୧୮ ବର୍ଷ । ଏହା ପୂର୍ବରୁ ଯଦି କୌଣସି ଝିଅ ବିବାହ କରୁଛି ତେବେ ତାକୁ ନାବାଳିକା ବିବାହ ବୋଲି କୁହାଯାଏ ଓ ଏହାକୁ ଭାରତୀୟ ଆଇନ ଗ୍ରହଣ କରିନଥାଏ । ହେଲେ ଏବେ ଝାଡଖଣ୍ଡ ହାଇକୋର୍ଟ ଏକ ରାୟରେ କହିଛନ୍ତି କି କୌଣସି ମୁସଲିମ୍ ବାଳିକା ୧୫ ବର୍ଷର ହୋଇଥିଲେ ସେ ତାଙ୍କ ଇଚ୍ଛା ମୁତାବକ ବିବାହ କରିପାରିବେ । ହାଇକୋର୍ଟଙ୍କ ଏଭଳି ରାୟ ପରେ ଏବେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ମୁତାବକ ମୁସଲିମ୍ ପର୍ସନାଲ ଲ ବୋର୍ଡର ଏକ ଆଧାରରେ ଝାଡଖଣ୍ଡ ହାଇକୋର୍ଟ ଏହି ରାୟ ଦେଇଥିବା ଜଣାପଡିଛି । ଏକ ମାମଲାର ଶୁଣାଣି କରି ଝାଡଖଣ୍ଡ ହାଇକୋର୍ଟ କହିଛନ୍ତି କି, ଯଦି କୌଣସି ମୁସଲିମ ବାଳିକା ୧୫ ବର୍ଷ ଅତିକ୍ରମ କରିସାରିଛି ତେବେ ସେ ନିଜ ଇଚ୍ଛାମୁତାବକ ପୁଅକୁ ବିବାହ କରିପାରିବ । ଏଥିରେ କୌଣସି ଆଇନ ବା ବ୍ୟକ୍ତି ବାଧା ଦେଇପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଝାଡଖଣ୍ଡ ହାଇକୋର୍ଟର ଏହି ମାମଲାର ଶୁଣାଣି ଜଷ୍ଟିସ ଏସକେ ଦ୍ୱିବେଦୀଙ୍କ ପୀଠ କରିଛି । ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ, ମୁସଲିମ୍ ପର୍ସନାଲ ଲ ବୋର୍ଡ ୧୫ବର୍ଷରୁ ଅଧିକ ବାଳିକାଙ୍କୁ ନିଜ ଇଚ୍ଛାମୁତାବକ ବିବାହ କରିବାକୁ ସ୍ୱାଧୀନତା ଦେଇଛି ।

ଘଟଣା ଏପରି ଥିଲା ଜାମସେଦପୁରର ଜୁଗସଲାଇରେ ରହୁଥିବା ଜଣେ ମୁସଲିମ ବାଳିକା ବିହାର ନାବାଦା ଜିଲ୍ଲାରେ ରହୁଥିବା ଜଣେ ଯୁବକକୁ ପ୍ରେମ କରୁଥିଲେ । ହେଲେ ପରିବାର ଲୋକ ଅରାଜି ହେବାରୁ ସେମାନେ ଘରୁ ପଳାଇଯାଇ ବିବାହ କରିଥିଲେ । ଏହାପରେ ବାଳିକାର ପିତା ପୁଅଟି ଉପରେ ଅଭିଯୋଗ ଆଣିଥିଲେ କି ପୁଅଟି ତାଙ୍କ ଝିଅକୁ ଶିଖାଇବୁଝାଇ ଅପହରଣ କରିନେଇଛି । ଏହାପରେ ପୋଲିସ ଯେତେବେଳେ ପିଲାଟିକୁ ଧରିବାକୁ ଚେଷ୍ଟା କରିଥିଲା ସେ ହାଇକୋର୍ଟରେ ପହଂଚି ଝିଅର ବାପାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗକୁ ଚ୍ୟାଲେଞ୍ଜ କରିଥିଲା । ଏହି ମାମଲାର ଶୁଣାଣି କରି ଝାଡଖଣ୍ଡ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି ।