୫ ବର୍ଷ ପରେ ଡେବ୍ରିଗଡ ଅଭୟାରଣ୍ୟରେ ଦେଖାଦେଲା ମହାବଳ ବାଘ । ବନବିଭାଗ ସତର୍କ…

143

କନକ ବ୍ୟୁରୋ: ୫ ବର୍ଷ ପରେ ସମ୍ବଲପୁର ଡେବ୍ରିଗଡ ଅଭୟାରଣ୍ୟରେ ଦେଖାଦେଲା ମହାବଳ ବାଘ । ଅଭୟାରଣ୍ୟ ଭିତରେ ଥିବା ରାସ୍ତା ଉପରେ ଡିସେମ୍ବର ୧ ତାରିଖ ସନ୍ଧ୍ୟା ସମୟରେ ମହାବଳ ବାଘକୁ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପର୍ଯ୍ୟଟକ ଓ ବନ ଅଧିକାରୀଙ୍କ ସମ୍ମୁଖରେ ବାଘଟି ଚାଲି ଚାଲି ଯାଇଥିଲା । ପର୍ଯ୍ୟଟକଙ୍କ ସଫାରି ଗାଡି ମଧ୍ୟ ସେହି ସ୍ଥାନରେ ଥିବାରୁ ବେଶ କିଛି ସମୟ ଧରି ପର୍ଯ୍ୟଟକମାନେ ମଧ୍ୟ ମହାବଳ ବାଘକୁ ଦେଖିଥିଲେ । ପ୍ରାୟ ୫ରୁ ୧୦ ମିନିଟ ପର୍ଯ୍ୟନ୍ତ ବାଘଟି ଅଭୟାରଣ୍ୟ ରାସ୍ତା ଭିତରେ ଚାଲି ଚାଲି ଯାଇଥିବା ସମସ୍ତେ ଦେଖିଥିଲେ ।

ଡେବ୍ରିଗଡ ଅଭୟାରଣ୍ୟରେ ମହାବଳ ବାଘ ଦେଖାଦେବା ପରେ ସଜାଗ ହୋଇଯାଇଛି ବନ ବିଭାଗ । ବାଘକୁ ସୁରକ୍ଷା ଯୋଗାଇ ଦେବା ପାଇଁ ବିଭି୍ନ୍ନ ପଦକ୍ଷେପ ନେଇଛି ବିଭାଗ । ୨୪ ଘଣ୍ଟା ବାଘର ଗତିବିଧିକୁ ଟ୍ରାକ କରିବା ପାଇଁ ୧୨ଟି ପାଟ୍ରୋଲିଂ ଟିମ୍ ଗଠନ କରାଯାଇଛି । ଏହାସହ ଅଭୟାରଣ୍ୟ ଭିତରେ ଶହେଟି କ୍ୟାମେରା ଖଞ୍ଜା ଯାଇଛି । ବାଘଟି ଦିନ ଓ ରାତି କେଉଁ କେଉଁ ଆଡେ ଗତି କରୁଛି ଏବଂ ତାକୁ କିପରି ସୁରକ୍ଷିତ ଭାବେ ରଖାଯାଇ ପାରିବ ଏହିସବୁ ତଥ୍ୟ ଉପରେ ନଜର ରଖିଛି ବନବିଭାଗ । ଏହାସହ ସ୍ଥାନୀୟ ଅଞ୍ଚଳର ସନ୍ଦିଗ୍ଧ ଶିକାରୀଙ୍କ ଉପରେ ବି ତୀକ୍ଷ୍ଣ ନଜର ରଖିଛି ବନବିଭାଗ । ୨୦୧୮ରେ ଶେଷ ଥର ପାଇଁ ଡେବ୍ରିଗଡରେ ମହାବଳ ବାଘ ଦେଖିବାକୁ ମିଳିଥିଲା ।