ସୋସିଆଲ ମିଡିଆରେ ତାଲିବାନକୁ ସମର୍ଥନ କରିବା ପଡିଲା ମହଙ୍ଗା, ୧୪ ଜଣଙ୍କୁ ଗିରଫ କଲା ଆସାମ ପୋଲିସ

261

କନକ ବ୍ୟୁରୋ : ଏବେ ତାଲିବାନର ଏକଛତ୍ରବାଦ ଶାସନ ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତାଲିବାନୀ ଆତଙ୍କବାଦୀମାନେ ଆଫଗାନିସ୍ତାନ ଦଖଲ କରିବା ପରେ ଏବେ ସେଠାରେ ଦମନଲୀଳା ଚଳାଇଛନ୍ତି  । ଏହାରି ମଧ୍ୟରେ କିଛି ଲୋକ ତାଲିବାନକୁ ସମର୍ଥନ କରିବାରେ ଲାଗିଛନ୍ତି ।

ତାଲିବାନକୁ ସମର୍ଥନ କରୁଥିବା ଲୋକଙ୍କ ଉପରେ ଏବେ କଡା ନଜର ରହିଛି । ଯେଉଁମାନେ ତାଲିବାନର ଏଭଳି ବର୍ବର କାଣ୍ଡକୁ ସମର୍ଥନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଆରମ୍ଭ ହୋଇଛି । ଏହି କ୍ରମରେ ଆସାମର କିଛି ଯୁବକ ତାଲିବାନକୁ ସମର୍ଥନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଗିରଫ କରିଛି ଆସାମ ପୋଲିସ ।
ଆସାମ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ସେମାନଙ୍କୁ ଶୁକ୍ରବାର ରାତିରେ ଗିରଫ କରାଯାଇଛି । ସେମାନଙ୍କ ନାମରେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ଆଇଟି ଆକ୍ଟ ଓ ସିଆରପିସିର ବିଭିନ୍ନ ଧାରା ଆଧାରରେ ମାମଲା ରୁଜୁ କରାଯାଇଛି । ଏହାସହ ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତି କି ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ ଉପରେ ସାରା ଦେଶର ପୋଲିସ ନଜର ରଖିଛି ।

କହିରଖୁ କି ଆଫଗାନିସ୍ତାନ ଘଟଣା ଦେଖିବା ପରେ ବି କିଛି ଲୋକ ତାଲିବାନକୁ ସମର୍ଥନ କରୁଛନ୍ତି । ଏନେଇ ପ୍ରଖ୍ୟାତ କବି ମନୁବର ରାଣା ବି ତାଲିବାନ ସମର୍ଥନରେ ମନ୍ତବ୍ୟ ଦେଇ ଫଶିଛନ୍ତି । ତାଙ୍କ ନାମରେ ବି ମାମଲା ରୁଜୁ କରାଯିବା ନେଇ ବିଚାର ଚାଲିଛି । ଅନ୍ୟପଟେ ଜଣେ ବିଏସପି ନେତା ବି ସମାନ ଢଙ୍ଗରେ ତାଲିବାନକୁ ସମର୍ଥନ କରିଛନ୍ତି । ପୋଲିସ ତାଙ୍କ ନାମରେ ଅଦ୍ୟାବଧି ମାମଲା ରୁଜୁ କରି ସାରିଛି ।