ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର । କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳଶ, କିଏ ହେବ ସଦର ଭୋଟରଙ୍କ ପ୍ରତିନିଧି………

403

କନକ ବ୍ୟୁରୋ : ବାଲେଶ୍ୱର ସଦର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । କୋଭିଡ୍ କଟକଣାର ଖୋଲା ଖୋଲି ଉଲଙ୍ଘନକରି ପ୍ରମୁଖ ୩ ରାଜନୈତିକ ଦଳ ଚଳାଇଛନ୍ତି ଘମାଘୋଟ୍ ପ୍ରଚାର । ମାସ୍କ ନପିନ୍ଧିଥିବା ଅଭିଯୋଗରେ ସାଧାରଣ ଲୋକଙ୍କ ଠାରୁ ଜରିମାନା ଆଦାୟ କରୁଥିବା ପୋଲିସ ସେଠି କିନ୍ତୁ ନରବଦ୍ରଷ୍ଟା । ଏଭଳି ସ୍ଥଳେ ଆଜି ଆଲୋଚନା କରିବା ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ଇତିହାସ ।

୧୯୫୧ ମସିହା ଠାରୁ ଏଠାରେ ନିର୍ବାଚନ ହୋଇଛି । ଏଥିରେ ବହୁ ଦଳର ପ୍ରାର୍ଥୀ ଜୟଯୁକ୍ତ ହୋଇଛନ୍ତି । ହେଲେ ଏଠାରେ ପୂର୍ବତନ ସିପିଆଇ ନେତା ଅରୁଣ ଦେ ଙ୍କର ରହିଛି ସର୍ବାଧିକ ଥର ବିଜୟର ଇତିହାସ । ସେ ଏହି ନିର୍ବାଚନ ମଣ୍ଡଳୀରୁ ୫ ଥର ବିଜୟୀ ହୋଇଛନ୍ତି । ହଁ ସେ କେବଳ ସିପିଆଇରୁ ବିଜୟୀ ହୋଇଛନ୍ତି ତାହା ନୁହେଁ । କେତେବେଳେ ସିପିଆଇ, କେତେବେଳେ ଓଜିପି ତ କେତେବେଳେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଯେତେବେଳେ ବି ସେ ବିଜୟୀ ହୋଇଛନ୍ତି କୌଣସି ନା କୌଣସି ମେଣ୍ଟରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଯେମିତି କି ୧୯୭୪ ଓ ୧୯୮୦ ରେ ସିପିଆଇ ଓ କଂଗ୍ରେସ ସମର୍ଥନରେ , ୧୯୯୦ ରେ ଜନତା ଦଳ ସମର୍ଥନ, ୧୯୯୫ ରେ ସ୍ୱାଧୀନ ଭାବେ କଂଗ୍ରେସ ସମର୍ଥନ ଓ ୨୦୦୪ ରେ ଓଜିପି ଓ କଂଗ୍ରେସ ସମର୍ଥନରେ ସେ ଶେଷଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ ।

ଏନେଇ ଯଦି ଆମେ ଯଦି ଜାତୀୟ ଦଳ କଂଗ୍ରେସ କଥା ଆଲୋଚନା କରିବା ତେବେ କଂଗ୍ରେସ ଏହି ନିର୍ବାଚନ ମଣ୍ଡଳୀରୁ ୪ ଥର ବିଜୟୀ ହୋଇଛି । ୧୯୫୧,୧୯୬.୧୯୭୧ ଓ ୧୯୮୫ ମସିହାରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଜୟଯୁକ୍ତ ହୋଇଥିଲେ । ୧୯୮୫ ପରେ କଂଗ୍ରେସ ଆଉ ଏହି ଆସନକୁ ନିଜ ହାତକୁ ଆଣିପ।।ରି ନାହିଁ ।

ଅନ୍ୟପଟେ ସ୍ୱାଧିନତା ପରେ ୧୯୫୭ ଓ ୧୯୬୭ ମସିହାରେ ସେତେବେଳର ପ୍ରଜା ସୋସିଆଲିଷ୍ଟ ପାର୍ଟି ଏହି ଆସନରୁ ୨ ଥର ଜିତିଛି ।
ଏହି ଆସନରୁ ଜନତା ଦଳ ୧୯୭୭ ମସିହାରେ ଥରେ ମାତ୍ର ବଜୟଲାଭ କରିଥିବା ବେଳେ ୨୦୦୯ ଓ ୨୦୧୪ ରେ ବିଜେଡି ଏହି ଆସନରୁ ବିଜୟଲାଭ କରିଥିଲା ।

ବିଜେପି ବାଲେଶ୍ୱର ସଦର ଆସନରୁ ୨ ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୯ ରେ ଦଳ ଏଠାରେ ନିଜର ବିଜୟକୁ ସୁନିଶ୍ଚିନ୍ତ କରିଥିଲା । ଅବଶ୍ୟ ୨୦୦୦ ମସିହାରେ ବିଜେପି ଓ ବିଜେଡିର ମେଣ୍ଟ ଥିଲା । ଅର୍ଥାତ ବିଜେପି ନିଜ ଶକ୍ତି ବଳରେ କେବଳ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜୟୀ ହୋଇପାରିଥିଲା ।

୨୦୧୯ ମସିହାରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଜୀବନ ପ୍ରଦୀପ ଦାଶଙ୍କ ଠାରୁ ମାତ୍ର ୮ ପ୍ରତିଶତ ଅଧିକ ଭୋଟ ପାଇଥିଲେ । ଠିକ୍ ଏହି ସମୟରେ କଂଗ୍ରେସର ଭୋଟ ପ୍ରତିଶତ ମାତ୍ର ୧୨ ପ୍ରତିଶତ ମଧ୍ୟରେ ସିମିତ ରହିଥିଲା । ବୋଧହୁଏ ପୂର୍ବରୁ ଏହି ଆସନରୁ କଂଗ୍ରେସ କେବେ ଏତେ କମ୍ ଭୋଟ ପାଇନଥିଲା । ଯଦିଓ ୨୦୦୯ ରେ କଂଗ୍ରେସ ମାତ୍ର ୯ ପ୍ରତିଶତ ଭୋଟ ପାଇଥିଲା ହେଲେ ସେତେବେଳେ କଂଗ୍ରେସର ଜଣେ ବିଦ୍ରୋହୀ ପ୍ରାର୍ଥୀ ୩୪ ପ୍ରତିଶତ ଭୋଟ ହାତେଇଥିଲେ । ତେଣୁ ଏହି ୩୪ ପ୍ରତିଶତକୁ ଯଦି ମିଶାଇ ଦିଆଯାଏ ତାହେଲେ କଂଗ୍ରେସର ଭୋଟ ୪୩ ପ୍ରତିଶତ ଯାଏଁ ଥିଲା ।

ଅନ୍ୟପଟେ ଏହି ନିର୍ବାଚନ ମଣ୍ଡଳୀର ଭୋଟ ହାରକୁ ଯଦି ବିଶ୍ଳେଶଣ କରାଯାଏ ତେବେ କଂଗ୍ରେସର ଅନ୍ତଃକନ୍ଦଳ ଯେତେ ବଢି ବଢି ଚାଲିଛି ବିଜେପି ସେତିକି ସେତିକି ନିଜର ଭୋଟ ହାର ବଢାଇ ଚାଲିଛି ।

ଏହି ନିର୍ବାଚନ ମଣ୍ଡଳୀରେ ଏଥର କଂଗ୍ରେସ ପ୍ରାର୍ଥୀଙ୍କୁ ସିପିଆଇ ଓ ସିପିଆଇ (ଏମ୍‌) ର ସମର୍ଥନ ରହିଛି । ଏହି ଆସନରେ ବାମଦଳ ମାନଙ୍କର ଭୋଟ ପାଖା ପାଖି ୧୦ ପ୍ରତିଶତ ରହିଛି । ତେଣୁ କଂଗ୍ରେସ ଯଦି ବିଗଦ ଦିନର ଭୋଟ ଆଧାରକୁ କିଛିଟା ସୁରକ୍ଷିତ କରିପାରେ ଓ ବିଗତ ଦିନ ମାନଙ୍କରେ ଯେଉଁସବୁ କଂଗ୍ରେସ ଭୋଟ ବିଜେପି ଆଡକୁ ଯାଇଥିଲା ତାକୁ ଫେରାଇ ଆଣିବାକୁ ସମର୍ଥ ହୁଏ ତେବେ ବିଜେପି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ବେଶି । ଏଭଳି କରିବା ଦ୍ୱାରା ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ପାଇଁ କଂଗ୍ରେସ ହିଁ ସାଜିପାରେ ବିପଦ।

ସ୍ୱର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନଓ ଦତ୍ତଙ୍କ ପାଇଁ କିଛି ଟା ଅନୂୁକମ୍ପା ଭୋଟ ରହିଛି । ଏହା ସହ ମଦନ ମୋହନ ଦତ୍ତ ମାତ୍ର ଦେଢବର୍ଷ କାର୍ଯ୍ୟକାଳ ମଧ୍ୟରେ ବାଲେଶ୍ୱର ପାଇଁ କିଛି କାମ ବି କରିଛନ୍ତି । ହେଲେ ବିଜେଡିର ସାମଗ୍ରିକ ପ୍ରସ୍ତୁତି ନିର୍ବାଚନ ଯୁଦ୍ଧକୁ ମୁକାବିଲା କରିବାରେ ଏହା ଯେ ସକ୍ଷମ ହେବ ତାହା ବିଶ୍ୱାସଯୋଗ୍ୟ ନୁହେଁ ।

୨୦୧୯ ନିର୍ବାଚନରେ ମାତ୍ର ୮ ପ୍ରତିଶତ କମ୍ ଭୋଟ ପାଇଥିବା ବିଜେଡି ଏଥର କିନ୍ତୁ ପ୍ରାର୍ଥୀ ବଦଳାଇଛି । ଯୁବ ଚେହେରା, ଶାସକ ଦଳର ସମସ୍ତ କ୍ଷମତା ଓ ବିଜେଡି ଯେଭଳି ଭାବେ ଦଳୀୟ କନ୍ଦଳର ସମାଧାନ କରିଛି ତାହା ଦଳ ପାଇଁ ଶୁଭଙ୍କର ହୋଇପାରେ ।
ଏହା ସହ ରହିଛି ସ୍ୱାଧୀନ ପ୍ରାଥୀ ବେଣୁ ମଉଶାଙ୍କ କଥା । ଏବେ ନ୍ୟୁଜ୍ ଚ୍ୟାନେଲ, ସୋସିଆଲ ଗଣମାଧ୍ୟମ ଓ ଲୋକଙ୍କ ମୁହଁରେ ବିଜେଡି, ବିଜେପି ଓ କଂଗ୍ରେସ ଠାରୁ ବେଣୁ ମଉଶାଙ୍କ ପ୍ରଚାର ଅଧିକ ହେଉଛି । ସାମାଜିକ କର୍ମୀ, ସିନେ ତାରକା ଓ ଗଣତାନ୍ତ୍ରୀକ ନିର୍ବାଚନରେ ବିଶ୍ୱାସ କରୁନଥିବା ବିୁଦ୍ଧିଜୀବୀ ମାନେ ଏବେ ବେଣୁ ମଉଶାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ହେଲେ ବେଣୁ ମଉଶା ନିର୍ବାଚନ ଜିତିବା ସମ୍ଭବ ଲାଗୁ ନଥିଲେ ବି ବିହାରରେ ଏଲଜେପି ଭଳି ବେଣୁ ମଉଶା ଭୋଟ କଟର ପ୍ରାର୍ଥୀ ହେବେ ନାହିଁ ତ !