ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା ! ଜାଣନ୍ତୁ ଏଥରକ କଣ ରହିଛି ବିଶେଷ

60

କନକ ବ୍ୟୁରୋ: ମହିମା ଧର୍ମର ପୂଣ୍ୟପୀଠ ଯୋରନ୍ଦା ମହିମାଗାଦିରେ ଆଜିଠାରୁ ମାଘ ମେଳା ଆରମ୍ଭ ହେଉଛି। ଏଥି ପାଇଁ ଜିଲ୍ଲା ପ୍ରଶାସନ ଓ ସାଧୁ ସମାଜ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ସନ୍ଧ୍ୟା ୫ଟା ୧୫ ମିନିଟରେ ଝାଡ଼ ଜଳିବ। ୩୧ ତାରିଖରେ ଚନ୍ଦ୍ରଗ୍ରହଣ ପଡୁଥିଲେ ବି ମହିମା ଧର୍ମନୀତି ଅନୁସାରେ ଝାଡ଼ବତୀ ଜଳିବାରେ କୌଣସି ବାଧା ନାହିଁ ବୋଲି ବରିଷ୍ଠ ମହିମା ସନ୍ନ୍ୟାସୀ ନିତ୍ୟାନନ୍ଦ ବାବା ଓ ଅବିନାଶୀ ବାବା କହିଛନ୍ତି।

ଭକ୍ତମାନଙ୍କ ଅନୁରୋଧ କ୍ରମେ ତୃତୀୟ ଦିନରେ ମଧ୍ୟ ଝାଡ଼ ଜଳିବା ପାଇଁ ବ୍ୟବସ୍ଥା ହୋଇଛି । ଗାଦି ମନ୍ଦିରର ପଶ୍ଚିମ ମୁଖଶାଳାରେ ଅନାଦି ବାବା, ଡମ୍ବରୁ ବାବା, ନାରଣ ବାବା, ଶୁକଦେବ ବାବା, ସଦାନନ୍ଦ ବାବା, ପ୍ରଭାସ ବାବା, ବ୍ରହ୍ମଚାରୀ ବାବା, ପୂର୍ବ ମୁଖଶାଳାରେ ଅଭୟ ବାବା, ଜଟାଧାରୀ ବାବା, ବାବୁଲି ବାବା, ଶଙ୍କର ବାବା, ଅରୂପ ବାବା ଏବଂ ରବିବାବା, ଦକ୍ଷିଣ ଦ୍ୱାରରେ ନଟବର ବାବା, ସ୍ୱାଧୀନ ବାବା, ବାସୁଦେବ ବାବା, ବଳରାମ ବାବା, ଉତ୍ତର ଦ୍ୱାରରେ ଭୀମସେନ ବାବା, ଅନ୍ତର୍ୟ୍ୟାମୀ ବାବା, କାଶୀନାଥ ବାବା ଏବଂ ଶୁକଦେବ ବାବାଙ୍କୁ ନିଯୁକ୍ତି ଦିଆଯାଇଛି । ଧୂନି ମନ୍ଦିରରେ ନରୋତ୍ତମ ବାବା ଆହୁତି ପ୍ରଦାନ କରିବେ ଓ ବ୍ରଜକିଶୋର ବାବା, ଜୟରାମ ବାବା, ସାନ ବ୍ରଜବାବା ପ୍ରମୁଖ ତାଙ୍କୁ ସହାୟତା କରିବେ। ଧୂନି ମନ୍ଦିରର ଉତ୍ତର ଦ୍ୱାରରେ ଦିବାକର ବାବା, ଲମ୍ବୋଦର ବାବା, କପିଳ ବାବା, ପୂର୍ବଦ୍ୱାରରେ ମୁରଲୀ ବାବା, ଦାଶରଥୀ ବାବା, ଦକ୍ଷିଣଦ୍ୱାରରେ ବେଣୁଧର ବାବା ଏବଂ ଯୋଗୀ ବାବା, ପଶ୍ଚିମ ଦ୍ୱାରରେ ପ୍ରମୋଦ ବାବା ଏବଂ ବହ୍ଲବ ବାବାଙ୍କୁ ନିଯୁକ୍ତ କରାଯାଇଛି ।

ଆଜି ପ୍ରାତଃ ୩ଟା ୪୫ ମିନିଟ୍ ସମୟରେ ମହିମାଗାଦିରେ ଉପସ୍ଥିତ ସାଧୁ ସନ୍ଥମାନେ ବେଢା ପରିକ୍ରମା କରିବେ । ପ୍ରାତଃ ଧୂପ, ମଧ୍ୟାହ୍ଣ ଧୂପ ପରେ ଅପରାହ୍ଣ ୩ଟା ସମୟରୁ ସ୍ୱତନ୍ତ୍ର ଝାଡ ନୀତି ଆରମ୍ଭ କରାଯିବ । ପରେ ନୀତି କୂଅରୁ ରୁପା ଗରାରେ ପାଣି ଅଣାଯାଇ ଗାଦି ମନ୍ଦିରକୁ ଶୋଧନ କରାଯିବ। ବରିଷ୍ଠ ବକ୍କଳଧାରୀ ସନ୍ନ୍ୟାସୀ ମନ୍ଦରଧର ବାବା ଛେରାପହଁରା କରିବେ। ବକ୍କଳଧାରୀ ମହିମା ସମାଜ ସଭାପତି ପବିତ୍ର ମୋହନ ବାବା ସୁନା ଗିନାରେ ଚନ୍ଦନ, ଅଗୁର, ଭାସ୍କର, କର୍ପୁର ଦ୍ୱାରା ମନ୍ଦିରରେ ସିଞ୍ଚନ କରିବେ। ସନ୍ଧ୍ୟା ୫ଟା୧୫ ମିନିଟରେ ବରିଷ୍ଠ ବକ୍କଳଧାରୀ ସନ୍ନ୍ୟାସୀ ମନ୍ଦରଧର ବାବା ଗାଦି ମନ୍ଦିରର ପଶ୍ଚିମ ଦ୍ୱାରରେ ଥିବା ବୃହତ ପୀତଳ ଝାଡରେ ଅଗ୍ନି ସଂଯୋଗ କରିବା ପରେ ଅନ୍ୟ ଦ୍ୱାରରେ ନୀତି ନିଯୁକ୍ତ ବରିଷ୍ଠ ବକ୍କଳଧାରୀ ସନ୍ନ୍ୟାସୀମାନେ ଝାଡରେ ଅଗ୍ନି ସଂଯୋଗ କରିବେ । ଶୂନ୍ୟ ମନ୍ଦିର, ଏକୋଇଶ ହାତିଆ ମନ୍ଦିରରେ ଝାଡ ଜଳିବା ସହ ଧୂନି ମନ୍ଦିରରେ ଘୃତାହୁତି ହେବ ।