ଓଳିଏ ଖାଇ ଓଳିଏ ଓପାସ ରୁହନ୍ତି ! କିନ୍ତୁ କୁନି ପିଲାଙ୍କ ପାଇଁ ସ୍କୁଲକୁ ଦାନ କଲେ ୫୦ ଲକ୍ଷ ଟଙ୍କାର ଜମି, ଏବେ ପରିବା ବିକି ଭଡା ଘରେ ବିତୁଛି ଦିନ ।

59

ରାଜସ୍ଥାନର ଆଦିବାସୀ ଅଞ୍ଚଳ ଡୁଙ୍ଗରପୁର ଜିଲ୍ଲାରେ ବାସ କରୁଥିବା ଜଣେ ମହିଳା ପାଠ ନପଢିଥିବା ସତ୍ୱେ ମଧ୍ୟ ପାଠର ମହତ୍ୱକୁ ବୁଝିପାରିଛନ୍ତି । ଗାଁରେ ଜାଗା ଏବଂ ଟଙ୍କା ଅଭାବରୁ ସ୍କୁଲ ଖଣ୍ଡେ ନଥିଲା । ପିଲାମାନେ ପାଠ ପଢିପାରୁନଥିଲେ । ତେଣୁ ଏହାକୁ ଦେଖି ଡୁଙ୍ଗରପୁର ଜିଲ୍ଲାର ଜଣେ ମହିଳା ତାଙ୍କର ୫୦ ଲକ୍ଷ ଟଙ୍କାର ଜମିକୁ ସରକାରୀ ସ୍କୁଲ ହାତକୁ ଟେକିଦେଇ ନିଜେ ଭଡା ଘରେ ରହୁଛନ୍ତି । କଥାରେ ଅଛି ଅନ୍ୟକୁ କିଛି ଦାନ କରିବା ଏକ ମହତ କାମ ହୋଇଥାଏ । କିନ୍ତୁ ନିଜେ ଅସୁବିଧାରେ ରହି ଅନ୍ୟକୁ ଦାନ କରିବା ସହଜ ହୋଇନଥାଏ । ତେଣୁ ସରକାରୀ ସ୍କୁଲକୁ ନିଜର ଜମି ଦାନ କରିଦେଇଥିବା ଏହି ଦାନୀ ମହିଳାଙ୍କୁ ଜୁନ ୨୮ ତାରିଖରେ ସମ୍ମାନିତ କରାଯିବ ।

ଡୁଙ୍ଗରପୁର ସହରର ବିଜୟଗଂଜ କଲୋନିରେ ରହୁଥିବା କମଳା ଭୋଇ ନିଜେ ପାଠ ପଢିନାହାଁନ୍ତି । କିନ୍ତୁ ଶିକ୍ଷାର ମହତ୍ୱକୁ ବୁଝିପାରିଛନ୍ତି । କମଳାଦେବୀ କିଛିଦିନ ପୂର୍ବରୁ କିଶନଲାଲ ଗର୍ଗ ରାଜକୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନିଜର ୨,୬୮୬ ବର୍ଗଫୁଟର ଜମି ଦାନ କରିଛନ୍ତି । କମଳା ତାଙ୍କ ଦୁଇ ପୁଅଙ୍କ ସହ ବିଜୟଗଂଜ କଲୋନିରେ ଭଡାରେ ରହିବା ସହ ପରିବା ବ୍ୟବସାୟ କରି ପେଟ ପୋଷନ୍ତି । ନିଜେ ଓଳିଏ ଖାଇ ଓଳିଏ ଉପାସ ରହୁଥିବା ବେଳେ ପିଲାଙ୍କ ପାଠ ପଢିବା ପାଇଁ ନିଜର ମୂଲ୍ୟବାନ ଜମିକୁ ସରକାରୀ ସ୍କୁଲ ହାତକୁ ଟେକି ଦେଇ ଖୁସି ଅନୁଭବ କରୁଥିବା କହିଛନ୍ତି କମଳା । କମଳାଙ୍କ ଦ୍ୱାରା ଦାନ କରାଯାଇଥିବା ଏହି ଜମିର ବଜାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଏ । ତେଣୁ ଏହି ବହୁମୂଲ୍ୟ ଜମି ସ୍କୁଲକୁ ଦାନ କରିଥିବାରୁ କମଳା ଭୋଇଙ୍କୁ ଆସନ୍ତା ୨୮ ତାରିଖରେ ସମ୍ମାନିତ କରାଯିବାର ଆୟୋଜନ କରାଯାଇଛି ।