କୋରାପୁଟ : ଯୌତୁକ ପାଇଁ ସ୍ୱାମୀ ଆଉ ଶାଶୂଘର ଲୋକଙ୍କ ନିର୍ଯାତନାରେ ଦିବ୍ୟାଙ୍ଗ ହୋଇଗଲେ ମହିଳା

50

କନକ ବ୍ୟୁରୋ : ଯୌତୁକ ହେଲା କାଳ । ସୁଖର ସଂସାରରେ ଲାଗିଗଲା ନିଆଁ । ସ୍ୱାମୀ ଆଉ ଶାଶୂଘର ନିର୍ଯାତନାରେ ହୋଇଗଲେ ଦିବ୍ୟାଙ୍ଗ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି ଠାରେ । ହେଲେ ଏବେବି ଦୋଷୀ ବେଲରେ ଆସି ଖୋଲାରେ ବୁଲୁଛି । ସ୍ୱାମୀର ଶୁଭ ମନାସି ସ୍ତ୍ରୀ ପାଳିଥାଏ ସାବିତ୍ରୀ ବ୍ରତ । ହେଲେ ସବୁ ସ୍ତ୍ରୀଙ୍କ ଭାଗ୍ୟରେ ନଥାଏ ଏମିତି ସୌଭାଗ୍ୟ ।

ସ୍ୱାମୀ ଓ ଶାଶୂଘର କଥା ମନେ ପଡିଲେ ଆଖି ଆଗରେ ଭାସି ଉଠୁଛି ଦୁଃଖ ଆଉ ଯନ୍ତ୍ରଣାର ସ୍ମୃତି । ଏମିତି କିଛି ପରିସ୍ଥିତି ଦେଇ ଗତି କରୁଛନ୍ତି କୋରାପୁଟ ଜିଲ୍ଲା ଦାମନଯୋଡ଼ି ପେଟ୍ରା ଘାଟିର ରୁକ୍ମିଣୀ । ଘରୋଇ ହିଂସା ଓ ଯୌତୁକର ନିର୍ଯାତନାର ଶିକାର ହେବା ପରେ ରୁକ୍ମିଣୀ ପାଲଟି ଯାଇଛନ୍ତି ଭିନ୍ନକ୍ଷମ । ନା ଠିକରେ ଚାଲି ପାରୁଛନ୍ତି, ନା ନିଜର କୌଣସି କାମ କରିପାରୁଛନ୍ତି ।

କଥା କହିଲେ ପାଟି ଖନି ମାରି ଯାଉଛି । ହେଲେ ସ୍ୱାମୀ ପିଲାଙ୍କ ଫଟୋକୁ ଦେଖିଲେ ମୁହଁରେ ଖେଳିଯାଉଛି ଖୁସିର ଲହରି । ୧୩ ବର୍ଷ ତଳେ ସେମଳିଗୁଡ଼ା ବ୍ଲକ ଭେଜାପୁଟ ଗାଁର ରମେଶ ବିଶୋଇଙ୍କୁ ବିବାହ କରିଥିଲେ ରୁକ୍ମିଣୀ । ଦୁଇଟି ପିଲା ହେବା ପରେ ମଧ୍ୟ ଯୌତୁକ ପାଇଁ ସ୍ୱାମୀ ଓ ଶାଶୂଘର ଲୋକେ ଦେଇଥିଲେ ଅକଥନୀୟ ନିର୍ଯାତନା ।

ଆଉ ବାପ ଘରକୁ ତଡି ଦେଇଥିଲେ । ବାପ ମାଆ କେବେଠୁ ଆରପାରିକୁ ଚାଲିଯାଇଛନ୍ତି । ରୁକ୍ମିଣୀଙ୍କ ଚିନ୍ତାରେ ଭାଇ ଭାଉଜ ବି ଆର ପାରିକୁ ଚାଲିଗଲେ । ରୁକ୍ମିଣୀ ଓ ତା’ ସାନ ଭଉଣୀର ବୋଝ ଏବେ ବୁଢ଼ୀ ଜେଜେ ମା’ଙ୍କ ଉପରେ ।