ବର୍ଷ ବର୍ଷ ଧରି ସାଙ୍ଗ ହୋଇ ରହୁଥିଲେ, ରାତି ଅଧରେ ତଣ୍ଟି କାଟିଦେଲେ! ପୋଲିସ ଆଗରେ ଅଭିଯୁକ୍ତ କହିଲା ପୂରା କାହାଣୀ 

1,424

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଜି ଏପରି ଏକ ହତ୍ୟାକାଣ୍ଡ ସାମନାକୁ ଆସିଛି ଯାହାକୁ ବିଶ୍ୱାସ କରିବା କଷ୍ଟ । ଦୁଇ ଜଣ ଯୁବତୀ ସାଙ୍ଗ ହୋଇ ବର୍ଷ ବର୍ଷ ଧରି ଗୋଟିଏ ଘର ଭଡ଼ା ନେଇ ରହୁଥିଲେ । ଜଣଙ୍କ ବିବାହ ଠିକ୍ ହୋଇଯିବାରୁ ଅନ୍ୟ ଜଣେ ଯୁବତୀ ତାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଅନିଶା ମିତ୍ରକୁ ଗିରଫ କରିଛି କମିସନରେଟ୍ ପୋଲିସ । ତେବେ କେବଳ ଏହି କାରଣରୁ ହତ୍ୟାକାଣ୍ଡ ହୋଇଛି ନା’ ଏହା ପଛରେ ଆହୁରି କିଛି ରହସ୍ୟ ଲୁଚି ରହିଛି, ପୂରା ସତ ଖୋଲିବାକୁ ତନାଘନା ଚଳାଇଛି ପୋଲିସ ।

ଏ ଏପରି ଏକ ହତ୍ୟାକାଣ୍ଡ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବେଡରୁମରେ ପଡି ରହିଥିଲା ଯୁବତୀଙ୍କ ମୃତଦେହ । ରକ୍ତରେ ଭିଜି ଯାଇଥିଲା ସାରା ଚଟାଣ । ରକ୍ତ ଭିଜା ଛୁରୀ ଧରି ପାଖରେ ଛିଡା ହୋଇ ରହିଥିଲା ଆଉ ଜଣେ ଯୁବତୀ । ପୁଲିସ ପହଂଚିଲା ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା । ଯୁବତୀ ଜଣକ ଯାହା କହିଥିଲା ତାହା ଶୁଣି ଚକିତ ହୋଇ ଯାଇଥିଲେ ପୁଲିସ ଅଫିସର । ଦୀର୍ଘ ୪ ବର୍ଷ ଧରି ଗୋଟିଏ ଘର ଭଡ଼ା ନେଇ ସାଙ୍ଗ ହୋଇ ରହୁଥିଲେ ୨ ଜଣ ଝିଅ । କଲ ସେଂଟରରେ କାମ କରୁଥିବା ଅଳକାନନ୍ଦା ଦାସ ଏବଂ ଏନଜିଓରେ କାମ କରୁଥିବା ଅନିଶା ମିତ୍ର । ୨ ଜଣ ସାଙ୍ଗ ହୋଇ ବେଡରୁମକୁ ଶୋଇବାକୁ ଯାଇଥିଲେ ହେଲେ, ବିଳମ୍ବିତ ରାତିରେ ଘର ଭିତରୁ ମିଳିଲା ଅଳକାଙ୍କ ଶବ । ଅଳକାଙ୍କ ଗଳାକାଟି ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା ଅନିଶା । ସାଇଂଟିଫିକ ଟିମ ସହ ଘଟଣାସ୍ଥଳରେ ପହଂଚି ପୁଲିସ ଘଟଣଆର ଛାନଭିନ ଆରମ୍ଭ କଲା ।

ମୃତ ଅଳକା ଏବଂ ଅଭିଯୁକ୍ତ ଅନିଶା ଥିଲେ ୨ଜଣ ଭଲ ସାଙ୍ଗ । ସେମାନେ ପରସ୍ପରକୁ ପ୍ରାୟ ୯ବର୍ଷ ହେବ ଜାଣିଥିଲେ । ପୂର୍ବରୁ ଉଭୟ ଗୋଟିଏ ସଂସ୍ଥାରେ କାମ କରୁଥିଲେ । ସଂସ୍ଥା ଛାଡିବା ପରେ ବି ଉଭୟ ଲିଙ୍ଗରାଜ ଥାନା ଅଧିନ ଗୋ÷ରୀନଗରରେ ରହି ଆସୁଥିଲେ । ତେବେ ହଠାତ୍ ଅଳକାଙ୍କ ବିବାହ ଠିକ୍ ହୋଇଯିବାରୁ ଏହାକୁ ସହି ପାରିନଥିଲେ ଅଭିଯୁକ୍ତ ଅନିଶା । ବିବାହକୁ ନେଇ ଅଳକା ଓ ଅନିଶାଙ୍କ ଭିତରେ ଝଗଡା ଉଗ୍ରରୂୂପ ନେଇଥିଲା । ବାହାଘର ସଂପର୍କରେ କଥାବାର୍ତା ପାଇଁ ରବିବାର ସକାଳୁ ଘରକୁ ଯାଇଥାନ୍ତେ ଅଳକା । ମାତ୍ର ଶନିବାର ରାତିରେ ଏହାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ଚରମ ପର୍ଯ୍ୟାୟକୁ ପହଁଚି ଯାଇଥିଲା । ବିଳମ୍ବିତ ରାତିରେ ଅଳକାଙ୍କ ଗଳା କାଟି ଦେଇଥିଲା ଅନିଶା । ଅନିଶାଙ୍କୁ ପଚାରାଉଚରା କରିବା ପରେ ଏଭଳି ସାଂଘାତିକ ହତ୍ୟାକାଣ୍ଡ, ପୋଲିସକୁ ଆଶ୍ଚର୍ଯ୍ୟ କରିଦେଇଛି ।

ଅନିଶା କାହିଁକି ସାଜିଲା ହତ୍ୟାକାରୀ?  କ’ଣ ଘଟିଲା ବିଳମ୍ବିତ ରାତିରେ? କେବଳ ଅଳକାଙ୍କ ବିବାହ ପ୍ରସଙ୍ଗ ଅନିଶାଙ୍କୁ କ୍ଷୁବ୍ଧ କରିଥିଲା ନା’ ଏହା ପଛରେ ରହିଛି ସାଙ୍ଘାତିକ ରହସ୍ୟ? ଏମିତି କିଛି ଅସମାହିତ ପ୍ରଶ୍ନର ଉତର ଖୋଜୁଛି କମିସନରେଟ ପୋଲିସ ।