ଅସନ୍ତୁଷ୍ଟିଆଙ୍କ ହାତ ଛାଡ଼ିଦେଉଛି ‘ହାତ’ । ବିଦ୍ରୋହୀଙ୍କୁ ଦଳ ବାହାର ରାସ୍ତା ଦେଖାଉଛି କଂଗ୍ରେସ, ସୀମା ଲଙ୍ଘିଲେ ମିଳୁଛି ଶାସ୍ତି ।

ରାଜନୀତି ବିଛଣାରେ କଡ଼ ଲେଉଟାଇଲା କଂଗ୍ରେସ !

862

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପୂର୍ବରୁ କଳଙ୍କହୀନ ନିର୍ବାଚନ ଲଢ଼ିବାକୁ ଚାହୁଁଛି କଂଗ୍ରେସ । ଏକଥା ଆମେ କହୁନୁ ବରଂ ଖଟିରେ ଏବେ ଏଇ ଗୋଟିଏ ଚର୍ଚ୍ଚା । ରାଜ୍ୟ କଂଗ୍ରେସ ଶିବିରଠାରୁ ଆରମ୍ଭ କରି ଗାଁ ଗହଳିର କଂଗ୍ରେସ କର୍ମୀଙ୍କ ମଧ୍ରରେ କମ୍ପନ ସୃଷ୍ଟି ହୋଇଛି । କାରଣ କିଏ ‘ହାତ’କୁ ଛାଡୁଛି ତ ଆଉ କାହାକୁ ‘ହାତ’ ହିଁ ଛାଡ଼ି ଦେଉଛି । ସତେ ଯେମିତି ବିଛଣାରେ କଡ଼ ଲେଉଟିଲା ଭଳି କଂଗ୍ରେସ ଦଳ ପାଇଁ କଡ଼ ଲେଉଟାଣି ଆରମ୍ଭ ହୋଇଛି । ଗତ ସପ୍ତାହ ମଧ୍ୟରେ ଦଳରୁ କିଏ ନିଲମ୍ବିତ ଆଉ କିଏ ବହିଷ୍କାର ଆଗାମୀ ନିର୍ବାଚନ ପାଇଁ ଭିନ୍ନ ଭିନ୍ନ ସଙ୍କେତ ଦେଉଛି ।

ରାଜନୀତିରେ କ’ଣ ସବୁ ଦେଖିବାକୁ ନମିଳେ । ଦିନକୁ ଦିନ କଂଗ୍ରେସରେ କନ୍ଦଳ ବଢୁଥିବାବେଳେ ଅସନ୍ତୁଷ୍ଟିଆଙ୍କୁ କାଢି କଂଗ୍ରେସ କଳଙ୍କହୀନ ରାଜନୀତି ଲଢ଼ିବାକୁ ଉଦ୍ୟମ କରୁଥିବା ଖଟିରେ ଚର୍ଚ୍ଚା ହେଉଛି । ଯେଉଁଥି ପାଇଁ ଦୀର୍ଘ ଦିନଧରି କଂଗ୍ରେସ ରହି ଦଳ ପାଇଁ ଅଡୁଆ ସୃଷ୍ଟି କରୁଥିବା ନେତାଙ୍କର ହାତ ଛାଡ଼ିଦେଇଛି ‘ହାତ’ । ଏହାର ଶୁଭାରମ୍ଭ ନବ ଦାସଙ୍କ ଠାରୁ ଆରମ୍ଭ ହୋଇ ଯୋଗେଶ, ଶ୍ରୀକାନ୍ତ ଓ ସଗରିଆଙ୍କ ପାଖରେ ପହଁଚିଛି ।

ରାଜନୀତୀରେ ଗୋଟିଏ ବିଛଣାରେ ଅନେକ ଅପରିଚିତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳେ । ବର୍ଷ ବର୍ଷ ଧରି ସରକାରଙ୍କୁ ଗାଳି ଦେଉଥିବା ବ୍ୟକ୍ତି ଶେଷ ମୁର୍ହୂତରେ ପ୍ରଶଂସକ ପାଲଟିଜାନ୍ତି । ଯେଉଁଥି ପାଇଁ ଗତ କେଇ ମାସ ହେବ ନବ ଦାସ ବିଜେଡିକୁ ଖୋଲାଖୋଲି ପ୍ରଶଂସା କଂଗ୍ରେସର ମହଲରେ ବେଶ୍ ଉଷ୍ମତା ଆଣିଥିଲା । ଶେଷରେ ପ୍ରଶଂସାର ରୂପ ବାସ୍ତବତାରେ ପରିଣତ ହେଲା ଆଉ ଗତ ୧୬ ତାରିଖ ଦିନ ‘ହାତ’କୁ ବାଏ ବାଏ କହିଥିଲେ ଝାରସୁଗୁଡ଼ା ନେତା ନବ ଦାସ । କିନ୍ତୁ ଏହାପୂର୍ବରୁ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ଏଆଇସିସି ହାଇକମାଣ୍ଡ ବୋଲି ମତ ରଖିଥିଲେ ପିସିସି ସଭାପତି । ତା ପରଦିନ ଯୋଗେଶ ସିଂହଙ୍କୁ ମଧ୍ୟ ଦଳରୁ ନିଲମ୍ବିତ କରାଗଲା । ବାରମ୍ବାର ଦଳ ବିରୋଧୀ କାର୍ଯ୍ୟ ଏବଂ ମନ୍ତବ୍ୟ ପାଇଁ ସେମାନଙ୍କୁ ‘ହାତ’ରୁ ହଟାଗଲା ।

ଏହାପରେ ପାଳି ଆସିଲା ଦଳର ସବୁଠାରୁ ପୁରୁଖା ନେତା ଶ୍ରୀକାନ୍ତ ଜେନା ଆଉ କୃଷ୍ଣଚନ୍ଦ୍ର ସଗରିଆଙ୍କର । ଉଭୟଙ୍କୁ ଦଳ ବିରୋଧୀ କାର୍ଯ୍ୟ ଏବଂ ବିଶୃଙ୍ଖଳା ପାଇଁ କଂଗ୍ରେସ କରିଡ଼ରରରୁ ବିଦା କରିଦେଲେ ଏଆଇସିସି ହାଇକମାଣ୍ଡ । କଂଗ୍ରେସ ଶିବିରଠାରୁ ଆରମ୍ଭ କରି ଶ୍ରୀକାନ୍ତଙ୍କ ଅନୁଗତ ସଗରିଆଙ୍କର ଯୋଡ଼ିକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । କାରଣ ଉଭୟ କଂଗ୍ରେସର ନୀତି ଆଦର୍ଶକୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇ ପୂର୍ବରୁ ବିବାଦୀୟ ହୋଇପଡ଼ିଥିଲେ । କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସଗରିଆ କୁନ୍ଦୁଲି ପୀଡ଼ିତାଙ୍କ ଆଢୁଆଳରେ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଏହାର କିଛି ଦିନପରେ ଦଳରେ ବାରମ୍ବାର ବିଶୃଙ୍ଖଳା କରୁଥିବା ଶ୍ରୀକାନ୍ତଙ୍କୁ ମଧ୍ୟ ଇସ୍ତାହାର କମିଟି ପଦରୁ ବିଦା କରାଗଲା । ଆଉ କଂଗ୍ରେସର ଏଭଳି କଡ଼ା ଆଭିମୂଖ୍ୟ ଦେଖି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି ।

‘ହାତ’ରୁ ହଟୁଛନ୍ତି ପ୍ରମୂଖ ଟାଣୁଆ ନେତା ହେଲେ ଅନ୍ୟପଟେ ପ୍ରଦେଶ କଂଗ୍ରେସ କିଛି ପରିବର୍ତ୍ତନର ବାର୍ତ୍ତା ଦେଉଛନ୍ତି କି ? ଯେଉଁମାନେ ବିଛଣା ବଦଳାଇଲା ପରି ଦଳରେ ରହି ବିଭୀଷଣ ଭଳି କାର୍ଯ୍ୟକରୁଛନ୍ତି ତାଙ୍କ ଉପରେ ହାଇକମାଣ୍ଡ କେତେ କଠୋର ହୋଇପାରନ୍ତି ତାହା ଏବେ ପଦାକୁ ଆସିଛି । ତେବେ ବିଶୃଙ୍ଖଳା କରୁଥିବା ନେତାଙ୍କ ପାଇଁ ଦଳ ସିଧା ସିଧା ଆକସନ୍ ନେଇପାରେ ବୋଲି ଆଗୁଆ ଉଦାହରଣ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।