କେବେ ଠାରୁ ଆରମ୍ଭ ହୋଇଥିଲା ରାମ ଜନ୍ମଭୂମି-ବାବ୍ରିମସଜିଦ ଜମି ବିବାଦ ? ଜାଣନ୍ତୁ ପୂରା କାହାଣୀ

1,195

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରିମସଜିଦ ଜମି ବିବାଦ ମାମଲାରେ ରାୟ । ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ୪୦ ଦିନର ଲଗାତାର ଶୁଣାଣି ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ଜଣିଆ ଖଣ୍ଡପୀଠ ଆଜି ଶୁଣାଇଛନ୍ତି ଐତିହାସିକ ରାୟ । ତେବେ କେବେ ଠାରୁ ଆରମ୍ଭ ହୋଇଥିଲା ଏହି ବିବାଦ ଜାଣନ୍ତୁ, ରାମ ମନ୍ଦିର ବିବାଦର ପୂରା କାହଣୀ ।

୧୫୨୮-୨୯

ବାବ୍ରୀ ମସଜିଦ ନିର୍ମାଣ ହେଲା । ମନ୍ଦିର ଭାଙ୍ଗି ଏହା ନିର୍ମାଣ କରାଯାଇଥିବା କହିଲେ ହିନ୍ଦୁ ସଂଗଠନ । କିନ୍ତୁ ଐତିହାସିକଙ୍କ ମତ, ୧୮ଶହ ଶତାଦ୍ଦୀ ଯାଏଁ ଏଭଳି କିମ୍ବଦନ୍ତୀ ନଥିଲା ।

୧୮୫୩

ହିନ୍ଦୁ ପୁଜକ ଓ ମୁସଲିମ ମୈାଲବୀଙ୍କ ମଧ୍ୟରେ ସଂଘର୍ଷ ଘଟିଲା । ଏହି ପବିତ୍ରସ୍ଥଳୀରେ ଏହା ଥିଲା ହିଂସାର ପ୍ରଥମ ଘଟଣା ।

୧୮୮୫

ଜଣେ ହିନ୍ଦୁ ପୁଜକ ମହନ୍ତ ରଘୁବୀର ଦାସ କୋର୍ଟରେ ପ୍ରଥମ କେସ ଦାଖଲ କରି ମସଜିଦ ସାମ୍ନାରେ ରାମଚୁତ୍ର ନିର୍ମାଣ ପାଇଁ ଆବେଦନ କଲେ । ଫୈଜାବାଦ ଜିଲ୍ଲା କୋର୍ଟ ଆବେଦନକୁ ଖାରଜ କରିଦେଲେ ।

ଡିସେମ୍ବର ୧୯୪୯

ମସଜିଦ ଭିତରେ ରାମଲାଲାଙ୍କର ଏକ ପ୍ରତିମୁର୍ତ୍ତି ମିଳିଲା । କୁହାଗଲା, ରାତିରେ ୩ ହିନ୍ଦୁ ଯୁବକ ମୁର୍ତ୍ତିକୁ ମସଜିଦ ଭିତରେ ରଖି ଆସିଥିଲେ । ହିନ୍ଦୁ ପୁଜା ଆରମ୍ଭ କଲେ । ଉଭୟ ପକ୍ଷରୁ ମାମଲା ରୁଜ୍ଜୁ କରାଗଲା । ସରକାର ଉକ୍ତ ସ୍ଥାନକୁ ବିବାଦୀୟ ଘୋଷଣା କରିଦେଲେ ।

୧୯୫୦ ଓ ୧୯୫୯

ଫୈଜାବାଦ କୋର୍ଟରେ ୨ ହିନ୍ଦୁ ପୁଜକ ସୁଟ୍ ଫାଇଲ କରି ରାମଙ୍କ ଜନ୍ମସ୍ଥାନରେ ପୁଜା ପାଇଁ ଆବେଦନ କଲେ । ଭିତର କବାଟ ବନ୍ଦ ରହିଲା ଆଉ ପୁଜା ପାଇଁ ଅନୁମତି ମିଳିଲା । ନିର୍ମୋହୀ ଆଖଡା ତରଫରୁ ତୃତୀୟ ସୁଟ୍ ଫାଇଲ୍ କରି କହିଲା, ରାମ ଜନ୍ମଭୁମି ଉପରେ ସେମାନଙ୍କର ହକ୍ ରହିଛି ।

୧୯୬୧

ମସଜିଦ ଭିତରେ ମ୍ରୁ୍ତ୍ତି ରହିବା ନେଇ ୱାକଫ ସୁନି ସେଂଟ୍ରାଲ ବୋର୍ଡ ପକ୍ଷରୁ କେସ୍ ଦାୟର କରାଗଲା । କୁହାଗଲା, ମସଜିଦ ଆଖପାଖରେ ଗୋଟିଏ ସମୟରେ କବରସ୍ଥାନ ଥିଲା ।

୧୯୮୪

ରାମ ଜନ୍ମଭୁମି ସ୍ଥାନରେ ମନ୍ଦିର ନିର୍ମାଣ ନେଇ ଏକ ହିନ୍ଦୁ ଗ୍ରୁପ୍ ମୁହିମ୍ ଆରମ୍ଭ କଲେ । ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ଆନ୍ଦୋଳନ ଜୋର ଧରିଲା ।

୧୯୮୬

ରାମ ଜନ୍ମଭୁମି ଗେଟ୍ ଖୋଲିବାକୁ ଆଇନଜୀବି ଉମେଶ ଚନ୍ଦ୍ର ପାଣ୍ଡେ ଆବେଦନ କଲେ । ଦର୍ଶନ ଏବଂ ପୁଜା ପାଇଁ ଗେଟ୍ ଖୋଲିବାକୁ କୋର୍ଟ ନିର୍ଦ୍ଦେଶ ଦେଲେ ।

୧୯୮୯

ବାବ୍ରୀ ମସଜିଦ ନିକଟସ୍ଥ ଜମିରେ ରାମ ମନ୍ଦିର ସ୍ଥାପନ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲା । ଜଣେ ଭିଏଚପି ନେତା ମସଜିଦକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆବେଦନ କଲେ ।

ନଭେମ୍ବର ୯, ୧୯୮୯

ଲୋକସଭା ନିର୍ବାଚନର କେଇ ମାସ ପୂର୍ବରୁ ରାମ ମନ୍ଦିରର ଶିଳାନ୍ୟାସ ପାଇଁ ରାଜୀବ ଗାନ୍ଧୀ, ବିଶ୍ୱ ହିନ୍ଦୁ ପରିଷଦକୁ ଅନୁମତି ଦେଇଥିଲେ ।

୧୯୯୦

ବିବାଦୀୟ ଜମିରେ ମନ୍ଦିର ନିର୍ମାଣ ବାବଦରେ ଲୋକଙ୍କୁ ଅବଗତ କରିବାକୁ ଲାଲକୃଷ୍ଣ ଆଡଭାନୀ ସୋମନାଥରୁ ଅଯୋଧ୍ୟା ଯାଏଁ ରଥଯାତ୍ରା ଆରମ୍ଭ କରିଥିଲେ । ଅଯୋଧ୍ୟାରେ ହଜାର ହଜାର କର ସେବକ ଏକତ୍ରିତ ହୋଇଥିଲେ । ମସଜିଦ୍ ସାମାନ୍ୟ କ୍ଷତିଗ୍ରସ୍ତ ହେଲା, ପୋଲିସ ଗୁଳିରେ ୩୦ ଜଣ ପ୍ରାଣ ହରାଇଲେ ।

୧୯୯୧

ଦେଶର ପ୍ରମୁଖ ବିରୋଧୀ ଦଳ ହେଲା ବିଜେପି, ଉତ୍ତରପ୍ରଦେଶରେ ଦଳ କ୍ଷମତାକୁ ଆସିଲା । ଅଯୋଧ୍ୟାକୁ କର ସେବକଙ୍କୁ ସୁଅ ଛୁଟିବା ସହ ମନ୍ଦିର ପାଇଁ ମୁହିମ୍ ଜୋର ଧରିଲା ।

ଡିସେମ୍ବର ୬, ୧୯୯୨

କର ସେବକ, ବାବ୍ରୀ ମସଜିଦକୁ ଭାଙ୍ଗିଦେଲେ । ଫଳରେ ସାରା ଦେଶରେ ଦଙ୍ଗାସ୍ଥିତି ସୃଷ୍ଟି ହେଲା, ୨ ହଜାର ଲୋକ ପ୍ରାଣ ହରାଇଲେ । ତକ୍ରାଳୀନ ଦେଶରେ ଥିବା ପି. ଭି. ନରସିହ୍ମା ରାଓ ସରକାର, ୟୁପି, ଏମପି, ରାଜସ୍ଥାନ, ହିମାଚଳର ବିଜେପି ସରକାରକୁ ଖାରଜ କରିଦେଲେ ।

ଡିସେମ୍ବର ୧୬, ୧୯୯୨

ମସଜିଦ ଭାଙ୍ଗିବାର ୧୦ ଦିନ ଭିତରେ ପି. ଭି. ନରସିହ୍ମା ରାଓ ତଦନ୍ତ ପାଇଁ ଜଷ୍ଟିସ ଏମ.ଏସ ଲିବେରହନଙ୍କ ନେତୃତ୍ୱରେ ଏକ କମିଶନ ଗଠନ କଲେ ।

ସେପଟେମ୍ବର ୧୯୯୭

ବାବ୍ରୀ ମସଜିଦ ଭାଙ୍ଗିବା ଘଟଣାର ଶୁଣାଣି କରୁଥିବା ସ୍ୱତନ୍ତ୍ର କୋର୍ଟ ୪୯ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ କରିବାକୁ ନିର୍ଦ୍ଦେଶ ଦେଲେ । କଲ୍ୟାଣ ସିଂ, ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଶୀଙ୍କ ନାଁ ତାଲିକାରେ ରହିଲା ।

୧୯୯୮

ଦିଲ୍ଲୀରେ ବିଜେପି ମିଳିତ ସରକାର ଗଠନ କଲା

୨୦୦୧

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ଭିଏଚପି ୨୦୦୨କୁ ଡେଡଲାଇନ ଭାବେ ନିର୍ଦ୍ଧାରଣ କଲା ।

ଫେବୃୟାରୀ ୪, ୨୦୦୨

ଅଯୋଧ୍ୟାରେ କୈାଣସି ପ୍ରକାର ଧାର୍ମିକ କାର୍ଯ୍ୟକଳାପ ଉପରେ ଲାଗିଥିବା ଅନ୍ତରୀଣ ରୋକକୁ ହଟାଇବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଅପିଲ୍ କଲେ । କୁହାଗଲା, ଭିଏଚପି ତରଫରୁ ଚାପଗ୍ରସ୍ତ ହୋଇ ସରକାର ଏହି ପଦକ୍ଷେପ ନେଲେ ।

ଫେବୃୟାରୀ ୬, ୨୦୦୨

କର ସେବକଙ୍କୁ ନେଇ ଯାଉଥିବା ଟ୍ରେନକୁ ଗୁଜୁରାଟର ଗୋଧ୍ରା ନିକଟରେ ଆକ୍ରମଣ କରାଗଲା, ଯେଉଁଥିରେ ୫୯ ଜଣ ପ୍ରାଣ ହରାଇଲେ । ଗୁଜୁରାଟରେ ଦଙ୍ଗା ବ୍ୟାପିଲା, ୧୦୦୦ ଲୋକ ପ୍ରାଣ ହରାଇଲେ ।

ଏପ୍ରିଲ ୨୦୦୨

ଅଯୋଧ୍ୟାର ବିବାଦୀୟ ଅଂଚଳ କାହାର, ଏହା ଉପରେ ଶୁଣାଣି ଆରମ୍ଭ କଲେ ଆହ୍ଲାବାଦ ହାଇକୋର୍ଟର ଲକ୍ଷେ୍ଣା ବେଂଚ ।

ଜୁନ୍ ୨୦୦୨

ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପାୟୀ ଅଯୋଧ୍ୟା ସେଲ୍ ଗଠନ କଲେ, ଯେଉଁଥିରେ ଉଭୟ ହିନ୍ଦୁ ଓ ମୁସଲିମଙ୍କ ସହ ଆଲୋଚନା କରିବାକୁ ସ୍ଥିର କରାଗଲା ।

ଜୁନ ୨୦୦୯

ଲିବେରହାନ କମିଶନ ରିପୋର୍ଟ ଦାଖଲ କଲେ, ହେଲେ ଏହାର ବିଷୟକୁ ସାର୍ବଜନୀନ କରାଗଲା ନାହିଁ ।

ଜୁଲାଇ ୨୬, ୨୦୧୦

ଆହ୍ଲାବାଦ ହାଇକୋର୍ଟର ଲକ୍ଷେ୍ନା ବେଂଚ ନିଜର ରାୟକୁ ସଂରକ୍ଷିତ ରଖିବା ସହ ପରସ୍ପର ସହ ଆଲୋଚନା ମାଧ୍ୟମରେ ବିବାଦକୁ ସମାଧାନ କରିବାକୁ ସବୁ ପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ।

ସେପଟେମ୍ବର ୩୦, ୨୦୧୦

ବିବାଦୀୟ ଜମିକୁ ୩ ଭାଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ । ସୁନ୍ନୀ ୱାକଫ ବୋର୍ଡ ପାଇଁ ଏକ ତୃତୀୟାଂଶ, ନିର୍ମୋହୀ ଆଖଡା ପାଇଁ ଏକ ତୃତୀୟାଂଶ, ଏବଂ ରାମ ଲାଲ୍ଲା ପକ୍ଷକୁ ଏକ ତୃତୀୟାଂଶ ଜମି ଦେବାକୁ ନିଷ୍ପତ୍ତି ହେଲା ।

ମେ ୨୦୧୧

ହିନ୍ଦୁ ଓ ମୁସଲିମ ସଂଗଠନ ଏହା ବିରୋଧରେ ସୁପ୍ରିମକୋର୍ଟକୁ ଗଲେ । ସର୍ବୋଚ୍ଚ କୋର୍ଟ, ହାଇକୋର୍ଟଙ୍କ ରାୟକୁ ସସପେଣ୍ଡ କରିଦେଲେ ।

ଫେବୃୟାରୀ ୨୦୧୫

ସୁପ୍ରିମକୋର୍ଟଙ୍କ ସାମ୍ନାରେ ସମାଧାନର ସୁତ୍ର ରଖୀବାକୁ ଉଭୟ ହିନ୍ଦୁ ଓ ମୁସଲିମ ସଂଗଠନ ଏକାଠି ହୋଇ ଆଲୋଚନା କଲେ । ହେଲେ ଏଥିରୁ କୈାଣସି ସୁଫଳ ମିଳିଲା ନାହିଁ ।

ମାର୍ଚ୍ଚ ୨୦୧୫

ବିଜେପି ନେତା ଆଡଭାନୀ ଓ ଯୋଶୀଙ୍କୁ ନୋଟିସ ହେଲା । ବାବ୍ରି ମସଜିଦ ଭାଙ୍ଗିବା ଷଡଯନ୍ତ୍ରକାରୀରେ ସେମାନଙ୍କ ନାଁକୁ ବାଦ ଦେବାକୁ ହୋଇଥିବା ପିଟିସନ ଉପରେ ଶୁଣାଣି କରି ନୋଟିସ ।

୨୦୧୫-୨୦୧୬

ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଦୁଇ ଥର ହିନ୍ଦୁ ଓ ମୁସଲମାନ ସଂଗଠନ ମଧ୍ୟରେ ଆଲୋଚନା ହେଲା । ହେଲେ ଏହା ବିଫଳ ହୋଇଥିଲା ।

ମାର୍ଚ୍ଚ ୨୧, ୨୦୧୭

କୋର୍ଟ ବାହାରେ ଏହାର ସମାଧାନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଲେ । ଜମିର ପ୍ରକୃତ ମାଲିକ କିଏ, ଏହି ସମ୍ବେଦନଶୀଳ ଓ ଭାବନାତ୍ମକ ଦିଗର ସମାଧାନ କୋର୍ଟ ବାହାରେ କରିବାକୁ ଗୁରୁତ୍ୱ ।

ଏପ୍ରିଲ ୧୯, ୨୦୧୭

ବାବ୍ରୀ ମସଜିଦ ଭାଙ୍ଗିବା ଘଟଣାରେ ବିଜେପି ନେତା ଆଡଭାନୀ, ଜୋଶୀ ଓ ଉମା ଭାରତୀ ଷଡଯନ୍ତ୍ର କରିଥିବା ନେଇ ମାମଲା ଚାଲିବ ବୋଲି କହିଲେ ସୁପ୍ରିମକୋର୍ଟ ।

ଅଗଷ୍ଟ ୨୦୧୭

ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ତିନିଜଣିଆ ବେଂଚ ଆବେଦନ ଉପରେ ଶୁଣାଣି ଆରମ୍ଭ କଲେ

ଡିସେମ୍ବର ୫, ୨୦୧୭

ବାବ୍ରୀ ମସଜିଦ ଭାଙ୍ଗିବାକୁ ୨୫ ବର୍ଷ ପୁରୁଥିବା ବେଳେ, ସୁପ୍ରିମକୋର୍ଟରେ ୧୩ଟି ପିଟିସନ ଉପରେ ହେଲା ଶୁଣାଣି । ମାମଲାର ସମସ୍ତ ଦସ୍ତାବିଜକୁ ଇଂରାଜୀରେ ଅନୁବାଦ କରିବାକୁ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟ କହିଲେ ।

ସେପଟେମ୍ବର ୨୦୧୮

ମାମଲାକୁ ବୃହତ ବେଂଚକୁ ପଠାଇବା ପାଇଁ ହୋଇଥିବା ଆବେଦନକୁ ୨-୧ ରାୟରେ ଖଣ୍ଡନ ସୁପ୍ରିମକୋର୍ଟ ଖଣ୍ଡପୀଠ

ଜାନୁୟାରୀ ୮, ୨୦୧୯

ମୁଖ୍ୟ ବିଚାରପତି ରଂଜନ ଗୋଗୋଇ ନିଜ ନେତୃତ୍ୱରେ ଏକ ୫ ଜଣିଆ ଖଣ୍ଡପୀଠ ଗଠନ କରି ମାମଲାର ଶୁଣାଣି ।।ରମ୍ଭ କଲେ

ଅଗଷ୍ଟ, ୨୦୧୯

ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ହୋଇଥିବା ଅପିଲକୁ ନେଇ ସୁପ୍ରିମକୋର୍ଟରେ ପ୍ରତିଦିନ ଶୁଣାଣି ଆରମ୍ଭ ହେଲା ।

ଅକଟୋବର ୧୫, ୨୦୧୯

ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ ।

ନଭେମ୍ବର ୯, ୨୦୧୯

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କଲେ ।

Comments are closed.