‘ଅଯୋଧ୍ୟା’ ରାୟ: ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲା ନେଇ ସୁପ୍ରିମକୋର୍ଟଙ୍କ ରାୟ

1,006

କନକ ବ୍ୟୁରୋ: ଭାରତୀୟ ନ୍ୟାୟପାଳିକା ଇତିହାସରେ ସବୁଠାରୁ ଲମ୍ବା ସମୟ ଧରି ଚାଲିଥିବା ମାମଲା ମଧ୍ୟରୁ ଅଯୋଧ୍ୟା ଗୋଟିଏ । ଏହା ଏମିତି ଏକ ବିବାଦ ଯେଉଁଥିପାଇଁ ଅନେକ ସମୟରେ ରାଚନୈତିକ ହଟଚମଟ ଆସିଛି । କାହିଁକି ନା ଏହି ମାମଲା କେବଳ ଜମିକୁ ନେଇ ନୁହେଁ ବରଂ ହିନ୍ଦୁ ଆଉ ମୁସଲମାନ ଦୁଇ ସଂପ୍ରଦାୟର ଧାର୍ମିକ ଆସ୍ଥା ଏବଂ ସମ୍ବିଧାନର ମୂଳ ସିଦ୍ଧାନ୍ତ ସହ ଜଡିତ । ଯାହାକୁ ଆପଣ ଭାରତର ରାମ କାହାଣୀ ମଧ୍ୟ କହିପାରିବେ । ଶୁଣାଣି ସମୟରେ ଅଯୋଧ୍ୟାରେ ରାମ ଜନ୍ମଭୂମି ବିବାଦରେ ସୁପ୍ରିମକୋର୍ଟ ଏକ ମହତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । କୋର୍ଟ କହିଥିଲେ, ରାମ ମନ୍ଦିର ମୁଦ୍ଦା ଅଦାଲତର ବାହାରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହେବା ଦରକାର । କୋର୍ଟରେ ଏହି ମାମଲା ୧୯୫୦ରୁ ଚାଲିଛି ଅର୍ଥାତ ଗତ ୬୯ ବର୍ଷ ଧରି ଏହି ବିବାଦ ଉପରେ କୈାଣସି ସମାଧାନର ସୁତ୍ର ବାହାରି ପାରୁନି । ଦେଶର ଅନେକ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଉ ଅଦାଲତ ଏହି ବିବାଦର ସମାଧାନ କରିବାକୁ ଉଦ୍ୟମ କରିଥିଲେ, ହେଲେ କେହି ବି ସଫଳ ହୋଇନଥିଲେ । କୈାଣସି ବି ବିବାଦକୁ ସମାଧାନ କରିବାକୁ ୬୯ ବର୍ଷ ଏକ ଲମ୍ବା ସମୟ, ୬୯ ବର୍ଷରେ ପିଢି ବଦଳିଯାଏ, ଲୋକ ବଦଳିଯାଆନ୍ତି, ରାଜନୀତି ବଦଳିଯାଏ, ଦେଶର ପନଃନିର୍ମାଣ ହୁଏ । ଆଉ ଏହାରି ଭିତରେ ପ୍ରଶ୍ନ ଉଠୁଛି, ରାମ ଜନ୍ମଭୁମିକୁ ନେଇ ଥିବା ବିବାଦର ସମାଧାନ କାହିଁକି ହୋଇପାରୁନି? ଆମ ସରକାର କଣ ଏହି ବିବାଦର ଅନ୍ତ ଚାହୁଁନି? କଣ ରାମ ମନ୍ଦିର ଆଉ ବାବ୍ରୀ ମସଜିଦର ବିବାଦର ସମାଧାନ କରିଦେଲେ ଅନେକ ରାଜନୈତିକ ଦଳର ଭବିଷ୍ୟତ ନଷ୍ଟ ହୋଇଯିବ ନା ଦେଶର ସରକାର ଏହି ବିବାଦର ସମାଧାନ କରିବାକୁ ଡରୁଛି? ଇଏ ହେଉଛି ସେହି ତମାମ ପ୍ରଶ୍ନ, ଯାହାର ଉତ୍ତର ଅନେକ ସମୟରେ ଅନେକ ଥର ଖୋଜାଯାଇଛି ।

ପ୍ରକୃତରେ ଦେଖିବାକୁ ଗଲେ ଏହି ବିବାଦ ୬୯ ବର୍ଷ ପୂର୍ବର ନୁହେଁ ବରଂ ୪୮୯ ବର୍ଷ ଆଗରୁ ବିବାଦର ସୁତ୍ରପାତ ହୋଇଥିଲା । ଆପଣଙ୍କ ମଧ୍ୟରୁ ଏମିତି ଅନେକ ବ୍ୟକ୍ତି ଥିବେ, ଯିଏ ଏହି ବିବାଦ ବାବଦରେ କମ ଜାଣିଥିବେ । କୁହାଯାଏ, ବର୍ଷ ୧୫୨୮ରେ ଅଯୋଧ୍ୟାରେ ଏକ ଏଭଳି ସ୍ଥଳରେ ମସଜିଦ ନିର୍ମାଣ କରାଗଲା, ଯେଉଁଠି ହିନ୍ଦୁ ନିଜର ଆରାଧ୍ୟ ଦେବତା ଭଗବାନ ରାମଙ୍କ ଜନ୍ମ ସ୍ଥାନ ବୋଲି ମାନୁଥିଲେ । ଏହି ମସଜିଦ ମୋଗଲ ବାଦଶାହ ବାବର୍ ନିର୍ମାଣ କରିଥିଲେ । ଯେଉଁଥିପାଇଁ ଏହାକୁ ବାବ୍ରୀ ମସଜିଦ କୁହାଯାଏ । ଚର୍ଚ୍ଚା ହୁଏ, ଯେଉଁ ଜାଗାରେ ମସଜିଦ ନିର୍ମାଣ କରାଯାଇଛି, ସେହି ସ୍ଥାନରେ ଥିବା ରାମ ମନ୍ଦିରକୁ ଭାଙ୍ଗି ମସଜିଦ ଗଢାଯାଇଥିଲା । କୋର୍ଟରେ ଏହି ମାମଲା ୧୯୪୯ରେ ଆରମ୍ଭ ହେଲା ଯେତେବେଳେ ମସଜିଦରେ ଭଗବାନ ରାମଙ୍କର ମୁର୍ତ୍ତି ସବୁ ମିଳିବାରେ ଲାଗିଲା । ଏହାପରେ ସରକାର ଏହି ସ୍ଥାନକୁ ବିବାଦୀୟ ଘୋଷଣା କରି ଏଥିରେ ତାଲା ଲଗେଇଦେଲେ । ଜାନୁୟାରୀ ୧୯୫୦ରେ ଫୈଜାବାଦ କୋର୍ଟରେ ହିନ୍ଦୁ ମହାସଭା ଏବଂ ଦିଗମ୍ବର ଆଖଡା ତରଫରୁ ପ୍ରଥମ ମୋକଦ୍ଦମା ଦାୟର କରାଯାଇଥିଲା । ଏହାପରେ ରାମ ମନ୍ଦିର ନାଁରେ ବିବାଦିତ ସ୍ଥଳକୁ ନେଇ ଦଶନ୍ଧି ଦଶନ୍ଧି ଧରି ରାଜନୀତି ଚାଲି ଆସୁଛି । ୧୯୮୦ ଦଶକର ଶେଷ ଆଡକୁ ଭାରତୀୟ ଜନତା ପାର୍ଟି ରାମ ମନ୍ଦିର ନିର୍ମାଣପାଇଁ ଆନ୍ଦୋଳନ ଆରମ୍ଭ କଲା । ଆଉ ୬ ଡିସେମ୍ବର ୧୯୯୨ରେ ବାବ୍ରି ମସଜିଦର ବିବାଦୀୟ ଢାଂଚାକୁ ଭାଙ୍ଗି ଦିଆଗଲା । ଏହାପରେ ଦେଶର ରାଜନୈତିକ ଆଉ ସାମାଜିକ ଚିତ୍ର ଚରିତ୍ର ବଦଳିଗଲା । ଆଉ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଲା । ହେଲେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇପାରିଲାନି । ଏଥିସହ ଆରମ୍ଭ ହୋଇଥିଲା ମୁସଲିମ ତୁଷ୍ଟୀକରଣ ରାଜନୀତି । ପ୍ରସଙ୍ଗର ରାଜନୈତିକ ବ୍ୟବହାର ଯଥେଷ୍ଟ ଜୋରରେ ଆରମ୍ଭ ହୋଇଗଲା ।

ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ, ରାମ ମନ୍ଦିର ପ୍ରସଙ୍ଗ ସମ୍ବେଦନଶୀଳ ଏବଂ ଭାବନାତ୍ମକ ଦିଗ ସହ ଜଡିତ । ଯାହା ଉପରେ ସମସ୍ତ ପକ୍ଷର ଗୋଟିଏ ମତ ରହିବା ଦରକାର । କଥାବାର୍ତା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ ହେବା ଆବଶ୍ୟକ । ସର୍ବୋଚ୍ଚ କୋର୍ଟର ମୁଖ୍ୟ ବିଚାରପତି କହିଥିଲେ, ସବୁପକ୍ଷ ଏକାଠି ବସି ଏହି ବିବାଦର ଅନ୍ତ ଘଟାଇବା ଦରକାର । ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିଥିଲେ । କହିଥିଲେ, ରାମ ମନ୍ଦିର ନିର୍ମାଣ ପାଇଁ ଅତିଶୀଘ୍ର ଏହି ବିବାଦର ଅନ୍ତ ଘଟାଯାଉ । ଯାହା ଉପରେ କୋର୍ଟ କହିଲେ, ଏହା ଧାର୍ମିକ ପ୍ରସଙ୍ଗ ସହ ଜଡିତ, ତେଣୁ ଉଭୟ ପକ୍ଷ ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରନ୍ତୁ । ସାଧାରଣତଃ ଆଲୋଚନା ମାଧ୍ୟମରେ ବିବାଦ ସମାଧାନର ସୁତ୍ର ନ ବାହାରିଲେ ମାମଲା କୋର୍ଟକୁ ଆସେ, ହେଲେ ରାମ ମନ୍ଦିର ପ୍ରସଙ୍ଗରେ କୋର୍ଟଙ୍କ ଏହି ଟିପ୍ପଣୀ ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । ୬୯ ବର୍ଷ ପରେ ପୁଣି ସୁପ୍ରିମକୋର୍ଟଙ୍କ ଏଭଳି ଟିପ୍ପଣୀ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ପୂର୍ବରୁ ୩୦ ସେପଟେମ୍ବର ୨୦୧୦ରେ ଆଲାହାବାଦ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ । ହାଇକୋର୍ଟ ବିବାଦୀୟ ସ୍ଥାନକୁ ୩ ଭାଗରେ ବାଂଟିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଦାଲତ କହିଥିଲେ, ବିବାଦିତ ସ୍ଥଳ ହିନ୍ଦୁ ମହାସଭା, ସୁନ୍ନୀ ୱାକଫ୍ ବୋର୍ଡ ଆଉ ନିର୍ମୋହୀ ଆଖଡା ମଧ୍ୟରେ ବାଂଟି ଦିଆଯିବ । ରାୟ ମୁତାବକ, ରାମ ଲାଲ୍ଲାଙ୍କ ପାଇଁ ମସଜିଦରେ କେନ୍ଦ୍ରୀୟ ଗୁମୁଟ ତଳ ଜମି ମିଳିବା ଦରକାର । ଏଥିସହ ରାମ ଚଉତରା, ସୀତା ରସୋଇ ନିର୍ମାହୀ ଆଖଡା ପାଖକୁ ଯିବ । ଯେଉଁ ସ୍ଥାନରେ ନମାଜ ପଢାଯାଉଥିଲା, ସେହି ସ୍ଥାନ ୱାକଫ ବୋର୍ଡକୁ ଦିଆଯିବ । ହେଲେ ଏହି ନିଷ୍ପତି ଉପରେ ୯ ମେ, ୨୦୧୧ରେ ସୁପ୍ରିମକୋର୍ଟ ରୋକ ଲଗାଇଲେ । ଆଉ ଏହାର ଦୀର୍ଘ ବର୍ଷ ପରେ ସୁପ୍ରିମକୋର୍ଟ କହିଲେ, ବିବାଦର ଆପୋଷ ସମାଧାନ କର ।

ଗତ ୬୯ ବର୍ଷ ଭିତରେ ଦେଶରେ ଅନେକ କିଛି ବଦଳିଛି । ଗରୀବି ଦେଶରୁ ବାହାରି ଆମେ ବିକାଶଶୀଳ ରାଷ୍ଟ୍ର ହେଲେଣି । ଆମର ପ୍ରସଙ୍ଗ ବଦଳିଛି । ସରକାର ବଦଳିଛି । ନେତା ବଦଳିଛନ୍ତି, ରାଜନୈତିକ ଦଳର ଚେହେରା ବଦଳିଛି । ହେଲେ ଯଦି କିଛି ବଦଳିନି, ସେ ହେଉଛି ବ୍ୟବସ୍ଥାର ଇଛାଶକ୍ତି । ୧୯୫୦ ପରଠାରୁ ଦେଶରେ ୫୫ ବର୍ଷ କଂଗ୍ରେସ ଶାସନ କରିଛି, ବିଜେପି ୯ ବର୍ଷରୁ କିଛି ଅଧିକ ସମୟ, ବାକି ରାଜନୈତିକ ଦଳ ୬ ବର୍ଷ ଶାସନ ଗାଦିରେ ବସିଛନ୍ତି । ହେଲେ ଅଯୋଧ୍ୟା ବିବାଦର ସମାଧାନ ହୋଇନି । ଆଉ ଆଜି ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିଛି ।