୨୫ ଯାଏଁ ବର୍ଷିବ: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା; ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

2,528

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ପରିସ୍ଥିତି କମିଥିବା ବେଳେ ପୁଣି ଆରମ୍ଭ ହୋଇଯାଇଛି ବର୍ଷା । ଲଘୁଚାପର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଫଳରେ ଆଜି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି, ପାଣିପାଗ ବିଭାଗ । କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଦେବଗଡ, ନୂଆପଡା ଓ ଝାରସୁଗୁଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏପରିକି ଏସବୁ ଜିଲ୍ଲାରେ ୨୦୦ ମିଲିମିଟର ଯାଏଁ ବର୍ଷା ହୋଇପାରେ ।

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ସୁନ୍ଦରଗଡ, ଝାରସୁଗୁଡା ସମେତ ଉତ୍ତର-ପଶ୍ଚିମ ଓଡିଶାରେ ବର୍ଷା ଲାଗି ରହିବ । ରାଜ୍ୟର ୧୫ଟି ଜିଲ୍ଲାରେ ୨ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ହୀରାକୁଦର ଜଳସ୍ତର ପୁଣି ବୃଦ୍ଧି ପାଇବାରେ ଲାଗିଛି ।

ଗତକାଲି ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତରବ ୬୨୦ ଦଶମିକ ୪୧ ଫୁଟ ରହିଛି । ହୀରାକୁଦ ଜଳଭଣ୍ଡାରରୁ ଏବେ ୭ଟି ଗେଟ ଦେଇ ବନ୍ୟାଜଳ ଛଡାଯାଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୮ ହଜାର ୪୨୩ କ୍ୟୁସେକ ଜଳ ପ୍ରବେଶ କରଛି । ସେହିପରି ପ୍ରତି ସେକେଣ୍ଡରେ ୧ଲକ୍ଷ ୨୭ ହଜାର ୩୮୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।