ସମୁଦ୍ର ମଝିରେ ଘନୀଭୂତ ହେଉଛି ବାତ୍ୟା: ଆଜି ତୀବ୍ର ସାମୁଦ୍ରିକ ଝଡର ରୂପ ନେବ ‘ଅମ୍ଫନ’; ପ୍ରଭାବରେ ୩ଦିନ ଯାଏଁ ଓଡ଼ିଶାରେ ବର୍ଷା

ପାଣିପାଗ ବିଭାଗର ଆକଳନ: ୨୦ ତାରିଖରେ ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁପାରେ ‘ଅମ୍ଫନ’

1,022

କନକ ବ୍ୟୁରୋ: ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଥିବା ଅମ୍ପନ ଘନୀଭୂତ ହେଉଛି । ଆଉ କିଛି ଘଂଟା ଭିତରେ ଏହା ତୀବ୍ର ସାମୁଦ୍ରିକ ଝଡ଼ ବା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଆଇଏମ୍ଡି ବା ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୦ ତାରିଖରେ ଏହା ସ୍ଥଳ ଭାଗ ଛୁଇଁବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ଥିବା ଗଭୀର ଅବପାତ ଗତକାଲି ସନ୍ଧ୍ୟାରେ ବାତ୍ୟା ବା ସାମୁଦ୍ରିକ ଝଡ଼ ବା ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଥିଲା । ଏହା ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୧୦୨୦ କିଲୋମିଟର ଦୂରରେ ରହିଛି । ଶେଷ ୬ ଘଂଟାରେ ଏହା ଘଂଟା ପ୍ରତି ୫ କିଲୋମିଟର ବେଗରେ ଉତର-ପଶ୍ଚିମ ଦିଗରେ ଗତି କରୁଛି ।

୧୮ ତାରିଖ ସକାଳ ବେଳା ଏହା ଆହୁରି ଶକ୍ତି ସଂଗ୍ରହ କରି ଅତି ତୀବ୍ର ସାମୁଦ୍ରିକ ଝଡ଼ ବା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ଆଇଏମଡିର ଆକଳନ ଅନୁସାରେ ଆସନ୍ତା ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ସ୍ଥଳ ଭାଗରେ ମାଡ ହେବ ବାତ୍ୟା ଅମ୍ଫନ । ବର୍ତମାନର ଆକଳନ ଅନୁସାରେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ ହେବ ବାତ୍ୟା । ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି । ଉପକୂଳ ଓ ଉତର ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି ।

ବାତ୍ୟାର ରୂପ ନେଇ ସାରିଥିବା ଅମ୍ଫନ ପ୍ରଭାବରେ ୧୮ ତାରିଖରୁ ଓଡିଶାରେ ଆରମ୍ଭ ହେବ ବର୍ଷା । ତେବେ ବାତ୍ୟା କେଉଁ ଆଡକୁ ଯିବ, ଓଡ଼ିଶା ମୁହାଁ ହେବ କି ପଶ୍ଚିମବଙ୍ଗ ମୁହାଁ ହେବ, ଏ ନେଇ ଆହୁରି ସ୍ପଷ୍ଟ ସୂଚନା ମିଳିବ । କାରଣ ଗଭୀର ଅବପାତ ଏବେ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଏହାର ରି-କର୍ଭ ବା ଦିଗ ପରିବର୍ତନ ହେବ । ଦିଗ ପରିବର୍ତନ ହେବା ପରେ ବାତ୍ୟା କେଉଁ ଆଡକୁ ଯିବ ଏବଂ କେଉଁଠି ମାଡ ହେବ, ଏ ନେଇ ସଂକେତ ମିଳିବ ।